Unknown

 

 

 

 

 

 

 

 

 

 

 

ସପ୍ତସିନ୍ଧୁ ବିଜୟୀ ମିହିର

ଶ୍ରୀ ରାଜେନ୍ଦ୍ର ବର୍ମା

 

ଉତ୍କଳ ଗୌରବ-ରବି

ସପ୍ତସିନ୍ଧୁ ବିଜୟୀ ପଦ୍ମଶ୍ରୀ ମିହିରକୁମାରଙ୍କ ସୌଭାଗ୍ୟବାନ୍‌

ପିତା ଶ୍ରୀଯୁକ୍ତ ରମେଶଚନ୍ଦ୍ର ସେନ୍‌

ମାତା ଶ୍ରୀମତୀ ଲୀଳାବତୀ ଦେବୀଙ୍କ

ଉଦ୍ଦେଶ୍ୟରେ ଏ ଗ୍ରନ୍ଥ ଉତ୍ସର୍ଗୀକୃତ

 

–ଲେଖକ

Image

 

ପଦେଅଧେ

 

ଆମ ଭାରତବର୍ଷର ତାଜମହଲ ବିଶ୍ୱ-ଦରବାରରେ ପ୍ରତ୍ୟେକ ପ୍ରାଣକୁ କଳା-କାରୁ-କାର୍ଯ୍ୟର ଗୁଞ୍ଜନ ତୋଳି ଆକର୍ଷଣ କରୁଛି । ଲକ୍ଷ ଲକ୍ଷ ଦର୍ଶକ ଏକ ମହାନ୍‌ ଦର୍ଶନର ଅଭିଳାଷ ନେଇ ପ୍ରତ୍ୟହ ଏଠାକୁ ଆସୁଛନ୍ତି । ତାଜର ଅପୂର୍ବ ରୂପ ଐଶ୍ୱର୍ଯ୍ୟ ଦେଖି ହତାଶା ଏବଂ ଆଶ୍ଚର୍ଯ୍ୟରେ ଦୀର୍ଘନିଶ୍ୱାସ ଛାଡ଼ି ଫେରୁଛନ୍ତି । ବିଶ୍ୱକବି ରବିନ୍ଦ୍ରନାଥ ଦିନେ ତାଜମହଲକୁ ଦେଖି ଅଶ୍ରୁଳ ନୟନରେ ସାହାଜାହାନଙ୍କ ଉଦ୍ଦେଶ୍ୟରେ ଗାଇଥିଲେ :–

 

‘‘ତୋମାର କୀର୍ତ୍ତିର ଚେୟେ ତୁମିଯେ ମହତ

ତାଇ ତବ ଜୀବନେର ରଥ....’’

 

ଆଜି ସେହି ଭାରତବର୍ଷରେ ଏକ ମହାନ ପ୍ରତିଭାର ସୂର୍ଯ୍ୟୋଦୟ ଘଟିଛି । ପୃଥିବୀର ଅଦ୍ୱିତୀୟ ସନ୍ତରଣବୀର ମିହିରକୁମାର ସମସ୍ତ ମହାସାଗର ବିଜୟକରି ବିଶ୍ୱ ଇତିହାସରେ ଏକ ଅପରିବର୍ତ୍ତନୀୟ ରେକର୍ଡ଼ ସୃଷ୍ଟିକରିଛନ୍ତି । ତାଙ୍କୁ କେବଳ ସେଇ ତାଜମହଲର ସ୍ରଷ୍ଟା ସାହାଜାହାନଙ୍କ ସଙ୍ଗେ ତୁଳନା କରାଯାଇପାରେ, ଏବଂ କୁହାଯାଇପାରେ ‘‘ତୋମାର କୀର୍ତ୍ତିର ଚେୟେ ତୁମି ଯେ ମହତ୍‌ ।’’ ସେ କେବଳ ଉତ୍କଳ ବା ଭାରତର ଗୌରବ-ରବି ନୁହଁନ୍ତି–ସମଗ୍ର ବିଶ୍ୱର ପ୍ରଭାଦୀପ୍ତ ସୂର୍ଯ୍ୟ । ତାଙ୍କର ଆଲୋକରେ ଯେ ଆଗାମୀ ପ୍ରଭାତ ଆଲୋକିତ ହେବ ଏହା ନିସନ୍ଦେହରେ କୁହାଯାଇପାରେ ।

 

ମିହିରକୁମାରଙ୍କର ଏହି ରୋମାଞ୍ଚକର ଓ ଐନ୍ଦ୍ରଜାଲିକ ସନ୍ତରଣ ଘଟଣାବଳୀ ଯେପରି କୌତୂହଳପୂର୍ଣ୍ଣ ସେହିପରି ବୀରତ୍ୱ ବ୍ୟଞ୍ଜକ ଏବଂ ଗୌରବମୟ । ତାଙ୍କର ଏହି ଦୁଃସାହସିକ ସନ୍ତରଣ ଅଭିଯାନ କାହାଣୀ ପ୍ରତ୍ୟେକ ଯୁବକ ଯୁବତୀଙ୍କର ଜାଣିବା ଏକାନ୍ତ ଆବଶ୍ୟକ । ଦେଶର ଯୁବ ସମ୍ପ୍ରଦାୟ ମିହିରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଜାତିର ଗୌରବ ବୃଦ୍ଧି ଅବସ୍ୟମ୍ଭାବୀ ।

 

ମିହିର ଇତିମଧ୍ୟରେ ରାଷ୍ଟ୍ରର ଦୁଇଟି ଶ୍ରେଷ୍ଠ ସମ୍ମାନରେ ଭୂଷିତ ହୋଇସାରିଲେଣି । ସେ ଇଂଲିଶପ୍ରଣାଳୀ ସନ୍ତରଣ କରି ‘ପଦ୍ମଶ୍ରୀ’ ଉପାଧି ଭାରତର ସର୍ବୋଚ୍ଚ ସମ୍ମାନାସ୍ପଦ ବ୍ୟକ୍ତି ରାଷ୍ଟ୍ରପତିଙ୍କ ଠାରୁ ପାଇଥିଲେ । କେବଳ ସେତିକି ନୁହେଁ, ତା’ପରେ ପ୍ରତ୍ୟେକ ସଫଳୀକୃତ ସନ୍ତରଣପାଇଁ ତାରବାର୍ତ୍ତା ମଧ୍ୟ ପାଉଥିଲେ । କହିବାକୁ ଗଲେ ଅତ୍ୟୁକ୍ତି ହେବନି ଯେ ଏଭଳି ତାରବାର୍ତ୍ତା ପାଇବା ଅନ୍ୟ କୌଣସି ଦେଶର କୌଣସି ଲୋକପକ୍ଷରେ ସମ୍ଭବ ନୁହେଁ । ସର୍ବ ଶେଷରେ ସପ୍ତସିନ୍ଧୁ ବିଜୟୀ ମିହିର ‘ପଦ୍ମଭୂଷଣ’ ଉପାଧିରେ ଭୂଷିତ ହେଲେ । ବାସ୍ତବିକ ସେ ତାଙ୍କ ନାମର ସାର୍ଥକତା ପ୍ରତିପାଦନ କରିଛନ୍ତି । ସେ ଭାରତର ‘ମିହିର’ ଅର୍ଥାତ୍‌ ‘ଭାରତର ସୂର୍ଯ୍ୟ ।’

 

ଏହି ପୁସ୍ତକ ସଂକଳନରେ ଶ୍ରୀ ବଟକୃଷ୍ଣ ମହାନ୍ତିଙ୍କର ଅଦମ୍ୟ ଉତ୍ସାହ ଓ ପ୍ରବଳପ୍ରେରଣା ମୋର ପ୍ରଥମ ସହାୟକ । ସର୍ବୋପରି ଶ୍ରୀ ମିହିରକୁମାରଙ୍କର ଦୁଇ କନିଷ୍ଠାଭଗ୍ନୀ ଶ୍ରୀମତୀ ଅଞ୍ଜଳୀ ଓ ଶ୍ରୀମତୀ ସେଫାଳୀ ବିଭିନ୍ନ ପତ୍ର-ପତ୍ରିକା ଓ ସମ୍ବାଦପତ୍ରମାନଙ୍କରୁ ବିବରଣୀମାନ ଯେଗାଇ ପ୍ରଭୂତ ସାହାଯ୍ୟ କରିଅଛନ୍ତି । ପରିଶେଷରେ ମୋର କବିବନ୍ଧୁ ଶ୍ରୀ ରତ୍ନାକର ଚଇନି ମଧ୍ୟ ମୋତେ ଏ ଦିଗରେ ବହୁ ସାହଯ୍ୟ କରିଛନ୍ତି । ମୁଁ ସେମାନଙ୍କ ନିକଟରେ ଚିର କୃତଜ୍ଞ ।

 

ବିଶିଷ୍ଟ ବନ୍ଧୁ ଓ ସାଥୀମହଲ ସ୍ୱତ୍ୱାଧିକାରୀ ଶ୍ରୀଯୁକ୍ତ ରାଧାଶ୍ୟାମ ମହାନ୍ତି ଏହି ପୁସ୍ତକ ପ୍ରକାଶନପାଇଁ ମୋତେ ସବୁଦିଗରୁ ଉତ୍ସାହିତ କରିଛନ୍ତି ଏବଂ ଉତ୍କଳର ବିଶିଷ୍ଟ ଶିଳ୍ପ ଶ୍ରୀ ଅସିତ୍‌କୁମାର ମୁଖାର୍ଜୀ ଉକ୍ତ ପୁସ୍ତକର ପ୍ରଚ୍ଛଦପଟ୍ଟ କଳ୍ପନା ଓ ଚିତ୍ରଣ କରିଥିବାରୁ ମୁଁ ଉଭୟଙ୍କ ପାଖରେ ଆନ୍ତରିକ କୃତଜ୍ଞତା ଜଣାଉଛି । ମୋର ଆଶା ଓ ବିଶ୍ୱାସ ଉତ୍କଳର ସୁଧୀ ପାଠକମାନେ ମୋର ଏ ପ୍ରକାର ପ୍ରୟାସକୁ ସାଫଲ୍ୟ ମଣ୍ଡିତ କରିବା ହେବେ ।

 

–ରାଜେନ୍ଦ୍ର ବର୍ମା

Image

 

ଏକ

ପରିଚିତ

 

ଯେଉଁ ମୃଗର ନାଭିରେ କସ୍ତୁରୀ ଥାଏ ସେ ମୃଗ ଚାଲିଗଲାବେଳେ ତା’ର ସୁଗନ୍ଧ ଚତୁର୍ଦ୍ଦିଗରେ ବିଞ୍ଚିହୋଇ ପଡ଼େ । ଚନ୍ଦନକୁ ଶିଳାରେ ଘର୍ଷଣ କଲେ ତା’ର ସୁବାସ ଜଣାପଡ଼େ । ପୁଷ୍ପ ପ୍ରସ୍ଫୁଟିତ ହେଲେ ପବନରେ ତା’ର ବାସ ମହକି ଯାଏ । ତୁଳସୀ ଦୁଇପତ୍ରରୁ ବାସି ଉଠେ ।

 

ଯେଉଁ ମନୁଷ୍ୟର ସୁଗୁଣ ଥାଏ, ତାହା ତା’ର ବାଲ୍ୟାବସ୍ଥାରୁ ଜଣା ପଡ଼େ । ଯେଉଁ ଅଦ୍ୱିତୀୟ ବୀରଙ୍କ କଥା କହିବାକୁ ଯାଉଛି, ତାଙ୍କର ସୁଗୁଣ କଥା ବାଲ୍ୟକାଳରୁ ଜଣା ପଡ଼ିନଥିଲା । କେବଳ ଜଣା ପଡ଼ିଥିଲା ଯେ ସେ ଉତ୍ସାହୀ, ଜିଦଖୋର, ଅଧ୍ୟବସାୟୀ, ଧୈର୍ଯ୍ୟଶୀଳ, ଅସୀମ ସାହସୀ ଓ ନିଜ ସଂକଳ୍ପପରେ ଦୃଢ଼ । ଏହିସବୁ ଅପରାଜେୟ ମନୋବଳର ସେ ଅଧିକାରୀଥିଲେ । ସେ ଯେଉଁ କାର୍ଯ୍ୟ କରିବାକୁ ଠିକ୍‌ ବୋଲି ମନେକରୁଥିଲେ ସେ କାର୍ଯ୍ୟ ସିଦ୍ଧ ନ ହେଲା ପର୍ଯ୍ୟନ୍ତ ସେଥିରୁ ନିବୃତ୍ତ ହେଉନଥିଲେ । ସେହି କାର୍ଯ୍ୟ କରିବା ପଥରେ ଯେତେ ପ୍ରତିବନ୍ଧକ ଓ ବିପଦ ପଡ଼ିଲେ ମଧ୍ୟ ତାକୁ ଅତିକ୍ରମ କରିବାକୁ ତାଙ୍କର ଅସୀମ ଶକ୍ତି ରହିଥିଲା । ସେହି ଅସୀମ ଶକ୍ତି ଶେଷରେ ତାଙ୍କୁ ସମଗ୍ର ପୃଥିବୀରେ ଉଚ୍ଚ ଆସନର ଅଧିକାରୀ କରିପାରିଲା ।

 

ଅଦମ୍ୟ ଉତ୍ସାହୀ, ଅପରାଜେୟ ମନୋବଳର ଅଧିକାରୀ ଓ ଅସାଧାରଣ ଅଧ୍ୟବସାୟୀ ଜଣେ ୩୭ ବର୍ଷର ଯୁବକ ଇଂଲିଶ ପ୍ରଣାଳୀ ଜୟ କରି ବିଶ୍ୱ ସନ୍ତରଣ ମାନଚିତ୍ରରେ ଭାରତର ସ୍ଥାନ ସୁପ୍ରତିଷ୍ଠିତ କରିପାରିଲେ । ସେ ଥରେ ନୁହେଁ, ଦୁଇଥର ନୁହେଁ, ଥର ଥର କରି ପାଞ୍ଚଥର ବ୍ୟର୍ଥତାର ଗ୍ଳାନି ବହନ କରି ମଧ୍ୟ ଶେଷରେ ବିଜୟଲକ୍ଷ୍ମୀଙ୍କର ବରମାଲ୍ୟର ଅଧିକାରୀ ହୋଇଥିଲେ । ସମଗ୍ର ବିଶ୍ୱ ସ୍ତମ୍ଭିତ ହୋଇ ଶୁଣିଲା ସର୍ବ ପ୍ରଥମେ ଜଣେ ଏସିଆବାସୀ ଯୁବକ ଇଂଲିଶ ପ୍ରଣାଳୀ ଜୟ କରିପାରିଛନ୍ତି । ଭାରତବାସୀ ଚକିତ ହୋଇ ଜାଣିଲେ ଯେ ଏହି ଯୁବକ ଜଣକ ହେଉଛନ୍ତି ଉତ୍କଳର ମୁଖୋଜ୍ଜ୍ୱଳକାରୀ ସନ୍ତାନ ଓ ଭାରତର ଗୌରବ-ରବି ଶ୍ରୀ ମିହିରକୁମାର ସେନଗୁପ୍ତ (ଡାକନାମ ମିହିର ସେନ) ।

 

ମିହିରକୁମାରଙ୍କ ବିଷୟରେ ମନ୍ତବ୍ୟ ଦେବାକୁ ହେଲେ ଏତିକି କୁହାଯାଇ ପାରେ ଯେ, ସେ ଜଣେ ଦକ୍ଷ ସନ୍ତରଣକାରୀ ନ ହୋଇ ଇଂଲିଶ ପ୍ରଣାଳୀ ଜୟ କରିପାରିଛନ୍ତି । ତା’ ଭାରତ ଇତିହାସରେ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ସମଗ୍ର ବିଶ୍ୱ କ୍ରୀଡ଼ା ଜଗତର ଇତିହାସ ପର୍ଯ୍ୟାଲୋଚନା କଲେ ଦେଖିବାକୁ ମିଳେ ଯେ ପ୍ରାୟ ସମସ୍ତ ଖ୍ୟାତନାମା କ୍ରୀଡ଼ାବିତ୍‌ ବାଲ୍ୟକାଳରୁ ଖେଳ କସରତକୁ ଜୀବନର ଅପରିହାର୍ଯ୍ୟ ଅଂଶରୂପେ ବରଣ କରିନେଇଥାନ୍ତି; କିନ୍ତୁ ମିହିରକୁମାର ଏହାର ଏକମାତ୍ର ବ୍ୟତିକ୍ରମ । ସେ ଖ୍ୟାତାନାମା ସନ୍ତରଣକାରୀ ନ ହୋଇ ସର୍ବଶ୍ରେଷ୍ଠ ସନ୍ତରଣକାରୀ ହୋଇ ଭାରତର ନବୀନ ସନ୍ତରଣକାରୀମାନଙ୍କର ଆଦର୍ଶର ପ୍ରତୀକ ହୋଇ ପାରିଛନ୍ତି ।

 

ମିହିରକୁମାରଙ୍କର ଇଂଲିଶ ପ୍ରଣାଳୀ ବିଜୟ ନିଜର ଗୌରବପାଇଁ ନୁହେଁ–ସେ ଚାହିଁଲେ ଭାରତୀୟମାନେ, ବିଶେଷତଃ ଯୁବ ସମାଜ ସ୍ୱଦେଶ ପ୍ରେମିକ ସ୍ୱଦେଶାନୁରାଗୀ ଓ ଦୁଃସାହସିକ ହୋଇ ଦୁନିଆ ଦରବାରରେ ଦଣ୍ଡାୟମାନ ହୁଅନ୍ତୁ ।

 

ସେ କଠୋର ସଂଗ୍ରାମ କରି ଲକ୍ଷ୍ୟସ୍ଥଳରେ ନ ପହଞ୍ଚି ପାରି ଅକୃତକାର୍ଯ୍ୟ ହେଲେ ବି କେବେ ହତୋତ୍ସାହ ହୋଇପଡ଼ିନାହାନ୍ତି ।

 

ମିହିରକୁମାରଙ୍କୁ ଜୟ ପରାଜୟ, ଦୁଃଖ ଓ ଆନନ୍ଦରେ ଦେଖିଲେ ଜଣେ ଅତି ଅସାଧାରଣ, ଅମାୟିକ ସ୍ୱଭାବର ଯୁବକ ବୋଲି ମନେହୁଏ । ତାଙ୍କର ହୃଦୟ କୋମଳ ଏବଂ ଇଚ୍ଛା ଶକ୍ତି ଲୌହପରି ଦୃଢ଼ ।

 

ମିହିରକୁମାର ଇଂଲିଶ ପ୍ରଣାଳୀ ସନ୍ତରଣ କରି ଉଚ୍ଚ ଗୌରବର ଅଧିକାରୀ ହେଲେ । ସେ ସେତିକିରେ କ୍ଷାନ୍ତ ନ ହୋଇ ନିଜ ଦେଶ ଅର୍ଥାତ୍‌ ଭାରତ ମହାସାଗର ଅନ୍ତର୍ଗତ ସିଂହଳ ଭାରତ ମଧ୍ୟରେ ଥିବା ପ୍ରାକ୍‌ ପ୍ରଣାଳୀ ସନ୍ତରଣ କରିବାର ସ୍ୱପ୍ନ ଦେଖିଲେ । ସେହି ସ୍ୱପ୍ନକୁ ସେ ଦୀର୍ଘ ଆଠବର୍ଷରେ ସଫଳ କରିବାକୁ ସକ୍ଷମ ହେଲେ । ଇଂଲିଶ ପ୍ରଣାଳୀପରି ପାକ୍‌ପ୍ରଣାଳୀକୁ ଜଗତ ସମକ୍ଷରେ ସୁପ୍ରତିଷ୍ଠିତ କରିବାର କଳ୍ପନା ତାଙ୍କର ଥିଲା । ସେ କଳ୍ପନାକୁ ବାସ୍ତବରେ ପରିଣତ କରି ବିଜୟୀ ବୀର ଆଖ୍ୟା ପ୍ରାପ୍ତ ହେଲେ ।

 

ଭାରତର ଖାରବେଳ, ଗ୍ରୀସର ଆଲେକ୍‌ଜାଣ୍ଡର, ଫ୍ରାନ୍‌ସର ନେପୋଲିଅନ ପୃଥିବୀ ଜୟର ସ୍ୱପ୍ନ ଦେଖିଥିଲେ । ସେମାନଙ୍କର ଏହି ଦିଗ୍‌ବିଜୟର ଉଦ୍ଦେଶ୍ୟ ଥିଲା ବିଭିନ୍ନ ଦେଶ ବିଜୟ କରି ସେ ଦେଶକୁ ନିଜ ଅଧୀନକୁ ଆଣି ପଦାନତ କରି ରଖିବା ।

 

ସେମାନେ ଏହି ବିଜୟ ଅଭିଯାନରେ ଶତ ଶତ ଜନପଦକୁ ଧ୍ୱଂସ କରି ଧୂଳିରେ ମିଶାଇ ଦେଇଛନ୍ତି । ସୁନ୍ଦର ପ୍ରାସାଦମାନଙ୍କୁ ଭାଙ୍ଗି ଚୂରି ଧ୍ୱଂସ ସ୍ତୂପରେ ପରିଣତ କରିଛନ୍ତି । ଲକ୍ଷ ଲକ୍ଷ ଜନମାନବଙ୍କ ରକ୍ତର ନଦୀ ବୁହାଇ ଦେଇଛନ୍ତି ଏବଂ ସେମାନଙ୍କ ଅସ୍ଥି କଙ୍କାଳରେ ସ୍ଥାନେ ସ୍ଥାନେ ଗଢ଼ିଛନ୍ତି ବଡ଼ ବଡ଼ ମିନାର ।

 

ସେହିପରି ମିହିରକୁମାରଙ୍କର ହୃଦୟରେ ପୃଥିବୀର ସାଗରମାନଙ୍କୁ ବିଜୟପାଇଁ କଳ୍ପନା ଜାଗିଉଠିଲା । ଖାରବେଳ, ଆଲେକ୍‌ଜାଣ୍ଡର ଓ ନେପୋଲିଅନଙ୍କ ଦେଶଜୟ ସ୍ୱପ୍ନପରି ମିହିରକୁମାରଙ୍କର ସ୍ୱପ୍ନ ନ ଥିଲା । ତାଙ୍କର ସ୍ୱପ୍ନ ସମ୍ପୂର୍ଣ୍ଣ ଭିନ୍ନ । ଏ ସ୍ୱପ୍ନ ହେଲା ପୃଥିବୀର ସାଗରମାନଙ୍କୁ ଆବିଷ୍କାର କରିବା । ସେଇଥିପାଇଁ ସେ ସପ୍ତସିନ୍ଧୁ ବିଜୟ ନିମନ୍ତେ ଅଗ୍ରସର ହେଲେ-। ପ୍ରଥମେ ଜିବ୍ରାଲ୍‌ଟର, ଦ୍ୱିତୀୟରେ ଦାର୍ଦ୍ଦନେଲିସ ଓ ତୃତୀୟରେ ବସ୍‌ଫରସ ପ୍ରଣାଳୀ ସନ୍ତରଣ କରି ସମଗ୍ର ପୃଥିବୀରେ ଦିଗ୍‌ବିଜୟୀ ସନ୍ତରଣକାରୀ ଭାବରେ ସମ୍ମାନିତ ହେଲେ । ଏତିକିରେ ସେ କ୍ଷାନ୍ତ ହେଲେ ନାହିଁ । ତାଙ୍କର ସନ୍ତରଣ ପିପାସା ଅଧିକ ମନରେ ଜାଗ୍ରତ ହେଲା । ତହୁଁ ସେ ପାନାମା କେନାଲ ବିଜୟର କଳ୍ପନା କଲେ । ଦେଖୁଁ ଦେଖୁଁ ଅବଲୀଳା କ୍ରମେ ପାନାମା କେନାଲ ବିଜୟ କରି ପୃଥିବୀ ସମକ୍ଷରେ ସର୍ବଶ୍ରେଷ୍ଠ ରେକର୍ଡ଼ ସ୍ଥାପନ କଲେ । ସାରା ପୃଥିବୀରେ ତାଙ୍କ କାର୍ଯ୍ୟର ଜୟ ଜୟକାର ପଡ଼ିଗଲା ।

 

ଏପରି ଜଣେ ମହାନ୍‌ ଦିଗ୍‌ବିଜୟୀ ବୀରଙ୍କର ସନ୍ତରଣ କାହାଣୀ ଅନୁଧ୍ୟାନ କରିବା ଆମ ଯୁବକମାନଙ୍କର ଉଚିତ । ତାଙ୍କର ଏହି ସାଗର ସନ୍ତରଣ କାହାଣୀ ଐନ୍ଦ୍ରଜାଲିକ ଓ କୌତୁକପୂର୍ଣ୍ଣ । ତାକୁ ଜାଣିବାପାଇଁ ସମସ୍ତଙ୍କ ଆଗ୍ରହ ହେବା ସ୍ୱାଭାବିକ । ଯୁବକମାନେ ମିହିରକୁମାରଙ୍କ ପରି ଅସୀମ ସାହସିକ ହୋଇ ନାନା କ୍ଷେତ୍ରରେ ଆଗୁସାର ହୋଇ ଅସମ୍ଭବକୁ ସମ୍ଭବ କରିବା ଉଚିତ । ଏହାଦ୍ୱାରା ନିଜର ସମ୍ମାନ ବୃଦ୍ଧି ସଙ୍ଗେ ସଙ୍ଗେ ଜାତି ଓ ଦେଶର ସମ୍ମାନ ମଧ୍ୟ ବୃଦ୍ଧି ପାଇବ ।

 

ମିହିରକୁମାରଙ୍କ ଏହି କାର୍ଯ୍ୟରୁ ଶିକ୍ଷା ମିଳିଲା ଯେ ଲୋକେ ଗୋଟିଏ କାର୍ଯ୍ୟରେ ଦକ୍ଷତା ଅର୍ଜନ କରିଥିଲେ ମଧ୍ୟ ସାଧନା ବଳରେ ଅନ୍ୟ କାର୍ଯ୍ୟରେ ମଧ୍ୟ ଦକ୍ଷତା ଓ ସୁନାମ ଅର୍ଜନ କରିପାରିବ । ମିହିରକୁମାର ଶ୍ରେଷ୍ଠ ଆଇନଜ୍ଞ ହୋଇ ମଧ୍ୟ ସନ୍ତରଣ କ୍ଷେତ୍ରର ଗୌରବର ଶ୍ରେଷ୍ଠ ଆସନ ଲାଭ କରିପାରିଛନ୍ତି ।

Image

 

ବଂଶ ପରିଚୟ

 

ଯେତେବେଳେ ବଙ୍ଗଳା ଓ ଓଡ଼ିଶା ଏକ ଶାସନାଧୀନରେ ଥିଲା ସେତେବେଳେ ଓଡ଼ିଶାର ରାଜଧାନୀ କଲିକତାରେ ଥିଲା । ଓଡ଼ିଶାରୁ କଲିକତା ଯିବାପାଇଁ କୌଣସି ରାସ୍ତାଘାଟ ନ ଥିଲା । ଚାନ୍ଦବାଲିଠାରୁ କଲିକତାକୁ ଜଳପଥରେ ଯିବାର ଏକମାତ୍ର ପଥ ଥିଲା । ସେଥିପାଇଁ କଲିକତା ଯିବାଆସିବା ପାଇଁ ଅନେକ ଦିନ ଲାଗୁଥିଲା । ଓଡ଼ିଶାର ବହୁ ଜମିଦାରୀ କଲିକତାରେ ସୂର୍ଯ୍ୟାସ୍ତ ନିଲାମ ହୋଇଯାଉଥିଲା । ସେହି ସୁଯୋଗରେ ସେଗୁଡ଼ିକୁ ସେଠାର ବଙ୍ଗାଳୀମାନେ ନିଲାମ ଧରୁଥିଲେ ।

 

ଏହିପରି ନିଲାମରେ ଓଡ଼ିଶାର ଅନେକ ଜମିଦାରୀ ବଙ୍ଗାଳୀମାନଙ୍କ ହାତରେ ପଡ଼ିଲା । ସେହିପରି କେତେକ ଜମିଦାରୀ ଶ୍ରୀ ମିହିରକୁମାର ସେନଗୁପ୍ତ (ମିହିର ସେନ)ଙ୍କ ପୂର୍ବପୁରୁଷଙ୍କୁ ମିଳିଥିଲା । ତାଙ୍କର ବଂଶଧରମାନେ ଛଅ ପୁରୁଷ ଅର୍ଥାତ୍‌ ତିନିଶହ ବର୍ଷ ପୂର୍ବେ କଟକ ଜିଲାର ମାହାଙ୍ଗା ଥାନାସ୍ଥ ରଘୁନାଥ ନଗର ଗ୍ରାମରେ ଆସି ବସତି ସ୍ଥାପନ କଲେ । ସେହି ଗ୍ରାମ ଓ ଅନ୍ୟ କେତେକ ଗ୍ରାମ ତାଙ୍କ ଜମିଦାରୀ ଅନ୍ତର୍ଗତ ଥିଲା ।

 

ମିହିରକୁମାରଙ୍କ ପୂର୍ବ ବଂଶଧର ବଙ୍ଗ ଦେଶର ବର୍ଦ୍ଧମାନ ଜିଲାର ଅଧିବାସୀ ଥିଲେ । ତାଙ୍କ ପରିବାର ଏକ ସମ୍ଭ୍ରାନ୍ତ ଓ ମଧ୍ୟବିତ୍‌ ଗୋଷ୍ଠୀର । ସେମାନେ ରଘୁନାଥ ନଗର ଗ୍ରାମରେ ବିନୋଦ ବିହାରୀ ଦେବଙ୍କୁ ଅଧିଷ୍ଠିତ କରାଇଛନ୍ତି । ସେହି ଦେବତାଙ୍କ ପାଇଁ ମଧ୍ୟ ବହୁ ସମ୍ପତ୍ତି ବାଡ଼ି ଖଞ୍ଜି ଦେଇଛନ୍ତି । ବିନୋଦ ବିହାରୀ ସେ ଅଞ୍ଚଳର ପ୍ରତ୍ୟକ୍ଷ ଦେବତା । ମିହିରକୁମାରଙ୍କ ପରିବାରପରି ବହୁ ବଙ୍ଗାଳୀ ପରିବାର ସେହି ସମୟରୁ ଓଡ଼ିଶାକୁ ଆସି ଓଡ଼ିଶାର ଶିକ୍ଷା ସଂସ୍କୃତି ସଙ୍ଗରେ ନିଜକୁ ମିଶାଇ ଦେଇ ସାରିଛନ୍ତି । ସେମାନଙ୍କର ବଙ୍ଗଳା ସଙ୍ଗରେ ସେପରି ପ୍ରାୟ ସମ୍ପର୍କ ନାହିଁ ।

 

ବଂଶାବଳୀ

 

Image

 

୧୯୨୯ ସାଲ ନଭେମ୍ୱର ମାସ ୧୬ ତାରିଖରେ ମିହିରକୁମାର ବିହାର ପ୍ରଦେଶର ପୁରୁଲିଆ ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବଂଶର ପ୍ରଥା ଅନୁସାରେ ପ୍ରଥମ ଗର୍ଭର ସନ୍ତାନ ମାତୁଳାଳୟରେ ଜନ୍ମଲାଭ କରିଥାନ୍ତି । ମିହିରକୁମାରଙ୍କ ଅଜା ସେତେବେଳେ ପୁରଲିଆରେ ଜଜ୍‌ ଥିଲେ ।

 

ମିହିରକୁମାରଙ୍କ ପିତାଙ୍କ ନାମ ଶ୍ରୀ ରମେଶଚନ୍ଦ୍ର ସେନଗୁପ୍ତ । ମାତାଙ୍କ ନାମ ଶ୍ରୀମତୀ ଲୀଳାବତୀ ଦେବୀ । ମାତାଙ୍କ ପିତା ସ୍ୱର୍ଗୀୟ ନନ୍ଦ କିଶୋର ଚୌଧୁରୀଙ୍କ ଘର ବିହାର ପ୍ରଦେଶର ରାଞ୍ଚି ସହରରେ ସେ ପାଟନାଠାରେ ଆଇନ ବ୍ୟବସାୟ କରୁଥିଲେ । ତତ୍‌ପରେ ସେ କାର୍ଯ୍ୟକୁଶଳତା ଯୋଗୁଁ ଜଜ୍‌ ପଦରୁ ଉନ୍ନିତ ହୋଇଥିଲେ ।

 

ମିହିରକୁମାରଙ୍କ ପିତା ଶ୍ରୀ ରମେଶଚନ୍ଦ୍ର ସେନଗୁପ୍ତ ଜିଲା ବୋର୍ଡ଼ ଡାକ୍ତର ଥିଲେ । ସେ ପଚିଶବର୍ଷକାଳ କଟକ ଜିଲା ବୋର୍ଡ଼ର ଡାକ୍ତରଭାବରେ ସୁନାମ ଅର୍ଜନ କରିଥିଲେ । ତତ୍‌ପରେ ଅବସର ଗ୍ରହଣ କଲେ । ବର୍ତ୍ତମାନ ସେ ସ୍ୱାଧୀନ ଡାକ୍ତରୀ, ବ୍ୟବସାୟ କରୁଛନ୍ତି । ଶ୍ରୀ ରମେଶଚନ୍ଦ୍ର ନିର୍ଭୀକ, ସତ୍ୟନିଷ୍ଠ, ଉଦାର ଓ ଅମାୟିକ ପ୍ରକୃତିର । ଶ୍ରୀମତୀ ଲୀଳାବତୀ ଦେବୀ ମଧୁରଭାଷିଣୀ, ସାହସିକା, ଧର୍ମପରାୟଣା ଓ ଉଦାରମନା ଅଟନ୍ତି ।

 

ମିହିରକୁମାରଙ୍କର କନିଷ୍ଠ ଦୁଇଭାଇଙ୍କ ମଧ୍ୟରୁ ଶିଶିର କୁମାର ଇଲେକଟ୍ରିକାଲ ଇଞ୍ଜିନିୟର । ସେ ସ୍ୱାଧୀନ ବ୍ୟବସାୟ କରନ୍ତି । ଏବଂ କଲ୍ୟାଣ କୁମାର ଆଇ.ଇ.ଏସ୍‌ ପାସ୍‍ କରି ମଧ୍ୟ ବ୍ୟବସାୟ କରନ୍ତି । କନିଷ୍ଠା ଦୁଇଭଗ୍ନୀ ଅଞ୍ଜଳି ଓ ସେଫାଳି ମାଟ୍ରିକ୍ୟୁଲେସନ କ୍ଲାସରେ ଅଧ୍ୟୟନ କରୁଛନ୍ତି ।

 

ଶ୍ରୀ ରମେଶବାବୁ କଟକର ମହିଦାସ ବଜାରରେ ଗୃହ ନିର୍ମାଣ କରି ସେଠାରେ ରହିଲେ-

 

ମିହିରକୁମାର ବାଲ୍ୟକାଳରୁ ବଡ଼ ଜିଦଖୋର ପ୍ରକୃତିର ଥିଲେ । ସେ ଯେକୌଣସି କାର୍ଯ୍ୟ କରିବାକୁ ବସିଲେ ତାକୁ ଶେଷ ନକରି ଛାଡ଼ୁନଥିଲେ । ସେ ଉଦାର ହୃଦୟ ଓ ପରୋପକାରୀ ଏବଂ କଷ୍ଟସହିଷ୍ଣୁ । ସେ ଛାତ୍ରାବସ୍ଥାରେ ବହୁ ଅଭାବଗ୍ରସ୍ତ ସଙ୍ଗୀ ଏବଂ ଛାତ୍ରମାନଙ୍କୁ ଅର୍ଥ ଓ ପୁସ୍ତକ ସାହାଯ୍ୟ କରୁଥିଲେ ।

 

ଅନୁଗୁଳର ରନ୍ତଳେଇଠାରେ ଯେତେବେଳେ ହୁକୁମ ଔଷଧ ବିତରଣ କରାଯାଉଥିଲା, ସେତେବେଳେ ଭୟଙ୍କର ମହାମାରୀ ଆରମ୍ଭ ହୋଇଥିଲା । ଶହ ଶହ ଲୋକ ପୋକ ମାଛିପରି ମୃତ୍ୟୁବରଣ କରୁଥିଲେ । ମିହିରକୁମାର ସେଠାକୁ ଯାଇ ରୋଗୀମାନଙ୍କର ସେବା ଶୁଶ୍ରୂଷା କରିବା ସଙ୍ଗେ ସଙ୍ଗେ ଶବସତ୍କାର କରିବାରେ ଭାଗ ନେଇଥିଲେ ।

 

ମିହିରକୁମାର ଛାତ୍ରାବସ୍ଥାରେ ଥରେ ଦୌତ୍ୟ କାର୍ଯ୍ୟରେ ସାମ୍ୟବାଦୀ ନେତା ଜୟପ୍ରକାଶଙ୍କ ନିକଟକୁ ପାଟନାଠାକୁ ଯାଇଥିଲେ । ଜୟପ୍ରକାଶ ମିହିରକୁମାରଙ୍କ ସଙ୍ଗରେ ଆଳାପ ଆଲୋଚନା କରିଥିଲେ । ଶେଷରେ ଜୟପ୍ରକାଶ କହିଥିଲେ, ‘‘ଦିନେ ମିହିରକୁମାର ଦେଶର ବଡ଼ ମନୁଷ୍ୟ ହେବ ।’’

 

ଆଉ ଥରେ ମିହିରକୁମାର ସେହିପରି ଦୌତ୍ୟ କାର୍ଯ୍ୟରେ କଲିକତାର ସାମ୍ୟବାଦୀ ନେତାଙ୍କ ନିକଟକୁ ଯାଇଥିଲେ । ସେତେବେଳେ ସେଠାରେ ହିନ୍ଦୁ ମୁସଲମାନ ଗଣ୍ଡଗୋଳରେ ରକ୍ତସ୍ରୋତ ବହୁଥିଲା । ଏପରି ଅବସ୍ଥାରେ ଜୀବନକୁ ପାଣିଛଡ଼ାଇ ମହିର କୁମାର ନିରବତାର ପରିଚୟ ଦେଇଥିଲେ ।

 

ଶିକ୍ଷା

 

ମିହିରକୁମାର ବାଲ୍ୟଶିକ୍ଷା ସମାପ୍ତ କରି କଟକ କଲେଜିଏଟ୍‌ ସ୍କୁଲରେ ଅଧ୍ୟୟନ କଲେ-। ୧୯୪୪ ସାଲରେ ସେ ମାଟ୍ରିକ୍ୟୁଲେସନ ୧ମ ଶ୍ରେଣୀରେ ପାସ୍‍ କଲେ । ୧୯୪୬ ସାଲରେ ରେଭେନ୍‍ସା କଲେଜରୁ ଆଇ.ଏସ୍‍.ସି ପାସ୍‍ କଲେ ଏବଂ ୧୯୪୮ ସାଲରେ ସମ୍ମାନର ସହିତ ବି.ଏସ୍‌.ସି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ୧୯୫୧ ସାଲରେ ବି.ଏଲ୍‌. ପ୍ରଥମ ଶ୍ରେଣୀରେ ପାସ୍‍ କରି ସମ୍ମାନିତ ହୋଇଥିଲେ ।

 

ମିହିରକୁମାରଙ୍କର ବାଲ୍ୟକାଳରୁ ଇଛା ଥିଲା ବିଦେଶକୁ ଯାଇ ଅଧ୍ୟୟନ କରିବାକୁ । ବି.ଏଲ. ପାସ୍‍ ପରେ ସେ ଇଛା ମନରେ ପ୍ରବଳ ଭାବରେ ଆଲୋଡ଼ନ ସୃଷ୍ଟି କଲା । ବିଲାତ ଯିବାକୁ ପ୍ରବଳ ବାସନା ଦେଖାଦେଲା । କିନ୍ତୁ ବିଦେଶରେ ଅଧ୍ୟୟନ ନିମନ୍ତେ ଧନ କୁଆଡ଼ୁ ଆସିବ ? ପିତାଙ୍କର ଯାହା ଆୟ ସେଥିରେ ପରିବାର ପରିଚାଳନା ଓ ଅନ୍ୟ ସନ୍ତାନ ସନ୍ତତିଙ୍କର ଅଧ୍ୟୟନ ଖର୍ଚ୍ଚ ଯୋଗାଇ ମିହିରଙ୍କୁ ଅର୍ଥ ସାହଯ୍ୟ କରିବାକୁ ସେ ଅକ୍ଷମ ଥିଲେ ।

 

ପୂର୍ବରୁ କହିଛି ମିହିରକୁମାର ବାଲ୍ୟକାଳରୁ ବଡ଼ ଜିଦଖୋର ଥିଲେ । ତାଙ୍କର ଅଧ୍ୟୟନ କରିବାର ପ୍ରବଳ ଆଗ୍ରହ ଓ ଅସୀମ ସାହସ ପାଇଁ ବିଲାତ ଯିବାକୁ ବଦ୍ଧପରିକର ହେଲେ । ବହୁ ଚେଷ୍ଟା ଫଳରେ ବିଲାତ ଯାତ୍ରା ଖର୍ଚ୍ଚ ସହ ସେଠା ପାଇଁ ଏକ ସପ୍ତାହର ଖର୍ଚ୍ଚ ସଂଗ୍ରହ କରି ୧୯୫୧ ସାଲରେ ବିଲାତ ଯାତ୍ରା କଲେ ।

 

ମିହିରକୁମାର ଲଣ୍ଡନରେ ପହଞ୍ଚି ଲିଙ୍କନସ ଇନରେ ବାରିଷ୍ଟରି ଅଧ୍ୟୟନ ପାଇଁ ଭର୍ତ୍ତି ହେଲେ । ଏହି କଲେଜରେ ସେଠାର ସମ୍ଭ୍ରାନ୍ତ ପରିବାରର ପିଲାମାନେ ଅଧ୍ୟୟନ କରନ୍ତି । ମିହିରକୁମାର କଲେଜରେ ଯୋଗଦେଲେ ସତ କିନ୍ତୁ ସେଠାର ଖର୍ଚ୍ଚ କିପରି ତୁଲାଇବେ ? ସେ ଲଣ୍ଡନ ରେଳଷ୍ଟେସନରେ ଖଣ୍ଡିଏ ଚାକିରି ଯୋଗାଡ଼ କରି ନିଜର ଖର୍ଚ୍ଚ ନିର୍ବାହ କଲେ । ସେ ଚାକିରି ସୁବିଧାଜନକ ନ ହେବାରୁ କିଛିଦିନ ପରେ ତାକୁ ଛାଡ଼ିଦେଲେ । ସେ ଡାକବିଭାଗରେ ପୁଣି ଅନ୍ୟ ଏକ ଚାକିରିରେ ଯୋଗଦେଲେ । ଅଧ୍ୟୟନରେ ବାଧା ପଡ଼ିବାରୁ ସେ ଚାକିରିକୁ ମଧ୍ୟ ତ୍ୟାଗ କରିବାକୁ ବାଧ୍ୟ ହେଲେ । ଆଉ ଗୋଟିଏ ସୁବିଧାଜନକ ଚାକିରି ଖୋଜି ଖୋଜି ଯାଇ ବିଲାତର ଭାରତ ହାଇକମିଶନର ଅଫିସରେ ପହଞ୍ଚିଲେ । ସେତେବେଳେ ଶ୍ରୀ ଭି.କେ. କୃଷ୍ଣମେନନ ହାଇକମିଶନର ଥାନ୍ତି । ମିହିରକୁମାର ତାଙ୍କୁ ସାକ୍ଷାତ କରିବାରୁ ସେ ତାଙ୍କ ଅଫିସରେ ଖଣ୍ଡିଏ ଚାକିରି ବ୍ୟବସ୍ଥା କରିଦେଲେ । ଏବେ ଆଉ ମିହିରକୁମାରଙ୍କର ଅଧ୍ୟୟନରେ ଅର୍ଥ ଅସୁବିଧାର ବାଧା ରହିଲା ନାହିଁ ।

 

୧୯୫୨ ସାଲରେ ମିହିରକୁମାର ଲଣ୍ଡନର ଇଣ୍ଟରନାସନାଲ ୟୁଥ୍ ହାଉସରେ ଯୋଗ ଦେଲେ । କିଛିଦିନ ପରେ ନିଜର କର୍ମଦକ୍ଷତା ଯୋଗୁଁ ସେ ଇଣ୍ଟରନାସନାଲ କ୍ଲବ ପ୍ରତିଷ୍ଠା କରି ତା’ର ଅବୈତନିକ ସମ୍ପାଦକ ପଦ ଲାଭ କଲେ । ଉକ୍ତ କ୍ଲବର ଉଦ୍ଦେଶ୍ୟ ହେଲା ବିଦେଶୀ ଛାତ୍ରମାନଙ୍କ ନିମନ୍ତେ ବକ୍ତୃତା, ତର୍କ ସଭା ଓ ସିନେମା ପ୍ରଦର୍ଶନ କରି ସେମାନଙ୍କର ଜ୍ଞାନ ବିକାଶର ପରିସର ବୃଦ୍ଧି କରିବା ।

 

ଏହି କ୍ଲବରେ ମିହିରକୁମାର ସମ୍ପାଦକ ଥିଲାବେଳେ ଜଣେ ବିଲାତର ମହିଳା ଛାତ୍ରୀ ସେ କ୍ଲବର ସଭ୍ୟା ଥାନ୍ତି । ଉଭୟ ଉଭୟଙ୍କ ଜ୍ଞାନ ବୁଦ୍ଧିର ପରିଚୟ ପାଇ ଜଣେ ଅନ୍ୟ ଜଣକ ପ୍ରତି ଆକୃଷ୍ଟ ହେଲେ । ଏହି ସମ୍ଭ୍ରାନ୍ତ ମହିଳାଙ୍କର ନାମ ମିସ୍‌. ବେଲା ଭାଇନା ଗାର୍ଟନ (ପରେ ଶ୍ରୀମତୀ ବେଲା ସେନ) ।

 

ମିହିରକୁମାର ତିନିବର୍ଷ ଅଧ୍ୟୟନ ପରେ ବାରିଷ୍ଟରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ସେ ପାସ୍‍ ପରେ ଲଣ୍ଡନର ବିଖ୍ୟାତ ବାରିଷ୍ଟର ମିଷ୍ଟର ଡି.ଏନ୍‌. ପ୍ରିଟଙ୍କର ସହକାରୀ ଭାବରେ କାର୍ଯ୍ୟ କଲେ । ମିଷ୍ଟର ପ୍ରିଟ ଜଣେ ବିଶିଷ୍ଟ ପଣ୍ଡିତ, ଅସୀମ ବ୍ୟକ୍ତିତ୍ୱବାନ, ଉଦାର ଓ ନ୍ୟାୟପରାୟଣ ବ୍ୟକ୍ତି । ମିହିରକୁମାରଙ୍କ ଉପରେ ତାଙ୍କର ସମସ୍ତ ସ୍ନେହ, ଶ୍ରଦ୍ଧା ବର୍ଷିତ ହେଲା ।

 

ଦୁଇ

ଇଂଲିଶ ପ୍ରଣାଳୀ ବିଜୟ ସ୍ୱପ୍ନ

 

ସେତେବେଳେ ମିହିରକୁମାର ଲଣ୍ଡନରେ ବାରିଷ୍ଟରି ପରୀକ୍ଷା ନିମନ୍ତେ ଖୁବ୍‍ ବ୍ୟସ୍ତ ଥାନ୍ତି-। ଦିନେ ସମ୍ୱାଦପତ୍ର ପଢ଼ୁ ପଢ଼ୁ ଦେଖିଲେ, ଜଣେ ଆମେରିକାର ସାହସିନୀ ମହିଳା ଗୋଟିଏ ରାତି ପହଁରି ପହଁରି ଇଂଲିଶ ପ୍ରଣାଳୀ ବିଜୟିନୀ ହୋଇଛି । ସେ ସମ୍ୱାଦ ପଢ଼ି ତାଙ୍କ ମନରେ ଭୀଷଣ ଉତ୍ତେଜନା ସୃଷ୍ଟି ହେଲା । ତତ୍‌ପରଦିନ ସେ ଅନୁସନ୍ଧାନ କରି ଜାଣିପାରିଲେ ଯେ, ଆଜି ପର୍ଯ୍ୟନ୍ତ କେହି ଭାରତୀୟ ଇଂଲିଶ ପ୍ରଣାଳୀ ସନ୍ତରଣ କରିବାକୁ ଆଦୌ ଚେଷ୍ଟା କରିନାହାନ୍ତି । ଏହି କଥା ମିହିରକୁମାରଙ୍କ ମନରେ ଭୀଷଣ ଆଘାତ ଦେଲା । ସେ ଭାବିଲେ, ଭାରତରେ ବହୁ ଖ୍ୟାତାନାମା ସନ୍ତରଣକାରୀ ଅଛନ୍ତି; ଏପରି ସନ୍ତରଣକାରୀ ଅଛନ୍ତି ଯିଏ ବହୁଦୂର ସନ୍ତରଣ କରି ଯଥେଷ୍ଟ ସୁନାମ ଅର୍ଜନ କରିପାରିଛନ୍ତି । ସେମାନେ ଇଂଲିଶ ପ୍ରଣାଳୀ ସନ୍ତରଣ ପ୍ରତିଯୋଗିତାରେ କାହିଁକି ଯୋଗଦେବାକୁ ପଶ୍ଚାଦ୍‌ପଦ ? ଏପରି ଦୁଃସାହସିକ ସନ୍ତରଣ ପାଇଁ କ’ଣ ତାଙ୍କର ସାହସ ଅଭାବ-?

 

ମିହିରକୁମାରଙ୍କ ଅନ୍ତରରେ ବାରମ୍ୱାର ପ୍ରତିଧ୍ୱନିତ ହେଲା ସ୍ୱାଧୀନ ଭାରତର ଯୁବକମାନେ କାହିଁକି ଏପରି ଦୁଃସାହସିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ ନାହିଁ ? କାହିଁକି ଭାରତବର୍ଷ ବିଶ୍ୱ ଦରବାରରେ ନିଜର ଆସନକୁ ଗୁରୁତ୍ୱପୂର୍ଣ୍ଣ କରିବ ନାହିଁ ? ଯିଏ ଦୂରତିକ୍ରମ୍ୟ ତାକୁ କାହିଁକି ସେ ଅତିକ୍ରମ କରିପାରିବ ନାହିଁ ? କାହିଁକି ଦୁର୍ଗମକୁ ସୁଗମ କରିବ ନାହିଁ ? କାହିଁକି ଅପରାଜୟକୁ ଜୟ କରି ତା’ର ରହସ୍ୟଭେଦ କରିବାକୁ ଚେଷ୍ଟା କରିବ ନାହିଁ ? ମିହିରକୁମାରଙ୍କ ମନରେ ପ୍ରତିଯୋଗିତାର ବହ୍ନି ଜଳିଉଠିଲା । ସେ ଇଂଲିଶ ପ୍ରଣାଳୀ ବିଜୟ କରିବାକୁ ଇଛା ପ୍ରକାଶ କଲେ ।

 

ପୂର୍ବରୁ କୁହାଯାଇଛି ମିହିରକୁମାର ସନ୍ତରଣ ପଟୁ ନ ଥିଲେ । ବାଲ୍ୟାବସ୍ଥାରେ ସେ ସାମାନ୍ୟ ମାତ୍ର ସନ୍ତରଣ ଜାଣିଥିଲେ । ତାଙ୍କର ଚେହେରା ଓ ସ୍ୱାସ୍ଥ୍ୟ ଯେପରି ସେଥିରେ ସେ ଯେ ଇଂଲିଶ ପ୍ରଣାଳୀପରି ବିପଦସଙ୍କୁଳ ପ୍ରଣାଳୀ ସନ୍ତରଣ କରି ବିଜୟ ହାସଲ କରିପାରିବେ ଏକଥା ବଡ଼ ଅସମ୍ଭବ ଜଣାପଡ଼ୁଥିଲା ।

 

ମିହିରକୁମାର ପିଲାବେଳରୁ ବଡ଼ ଜିଦଖୋର ଥିଲେ । କୌଣସି ଯୁଦ୍ଧରେ ସେ ପରାଜିତ ହୋଇ ପଶ୍ଚାଦ୍‌ପଦ ହେବା ପ୍ରକୃତିର ନ ଥିଲେ । ଅସାଧ୍ୟକୁ ସାଧନ କରିବାର ଦୁରନ୍ତ ଇଚ୍ଛା ତାଙ୍କର ଥିଲା । ସବୁଠାରୁ ବଳି ସେ ଜନ୍ମଭୂମି ଭାରତବର୍ଷକୁ ପୃଥିବୀର ସମସ୍ତ ପ୍ରିୟ ବସ୍ତୁଠାରୁ ଅଧିକ ଭଲପାଉଥିଲେ । ତାଙ୍କର ଇଚ୍ଛା ‘‘ଭାରତର ଯୁବକମାନେ ନିଜର ସାହସିକତାର ପରିଚୟ ଦେଇ ବିଶ୍ୱବାସୀଙ୍କ ନିକଟରେ ଭାରତର ଗୌରବକୁ ଉଚ୍ଚ କରି ତୋଳି ଧରନ୍ତୁ ।’’

 

ଇଂଲିଶ ପ୍ରଣାଳୀ କିପରି

 

ଏହି ରହସ୍ୟପୂର୍ଣ୍ଣ ଇଂଲିଶ ପ୍ରଣାଳୀ ନିକଟରେ ଥରକୁ ଥର ବହୁ ବିଖ୍ୟାତ ସନ୍ତରଣକାରୀ ପରାଜୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ୧୯୫୬ ସାଲର କଥା । ଡେନମାର୍କର ବିଖ୍ୟାତ ମହିଳା ସନ୍ତରଣ କାରିଣୀ ଶ୍ରୀମତୀ ଗ୍ରେଟା ଅଣ୍ଡରସନ ସନ୍ତରଣ ଅଭିଯାନରେ ଯୋଗଦେଇ କେବଳ ମାତ୍ର ଦୁଇଘଣ୍ଟା ସନ୍ତରଣ କଲାପରେ ପାଣିରୁ ଉଠିଆସିବାକୁ ବାଧ୍ୟ ହୋଇଥିଲେ । ସ୍ରୋତର ବାଧା ସହ୍ୟ କରିନପାରି ସେ ଅଚେତ ଅବସ୍ଥାରେ ଲାଇଫ ବୋଟକୁ ଅଣାଯାଇଥିଲେ । ସେହି ପୁଣି ୧୯୫୭ ଓ ୫୮ ସାଲରେ ଇଂଲିଶ ପ୍ରଣାଳୀ ବିଜୟ କରି ସାରା ଜଗତକୁ ସ୍ତମ୍ଭିତ କରିଦେଇଥିଲେ ।

 

ଇଂଲିଶ ପ୍ରଣାଳୀର ଜଳ ବରଫ ତରଳା ଜଳଠାରୁ ଆହୁରି ଅସହନୀୟ । ତାହାର ସ୍ରୋତ ଖୁବ୍‌ ପ୍ରଖର ଓ ତରଙ୍ଗସଙ୍କୁଳ । ଯେକୌଣସି ସନ୍ତରଣକାରୀକୁ ଇପ୍‌ସିତ ଫଳ ଲାଭରୁ ବଞ୍ଚିତ କରିବାର ସମ୍ଭାବନା ସବୁବେଳେ ରହିଥାଏ । ଏହି ପ୍ରଣାଳୀରେ ଦୁଇଟି ସ୍ରୋତ ପ୍ରବାହିତ ହୋଇଥାଏ । ଗୋଟିଏ ସ୍ରୋତ ଉତ୍ତର ଦିଗରୁ ନର୍ଥପୋଲଠାରୁ ଆସେ । ତାକୁ ଲାବ୍ରାଡ଼ର ସ୍ରୋତ କୁହନ୍ତି; ଆଉ ଗୋଟିଏ ସ୍ରୋତ ପ୍ରବାହିତ ହୋଇଥାଏ ଗଲ୍‍ଫ୍‍ ଷ୍ଟ୍ରିମ୍‍ଠାରୁ । ଲାବ୍ରାଡ଼ର ସ୍ରୋତ ହିମ ଶୀତଳ, ଆଉ ଗଲ୍‌ଫ୍‌ ଷ୍ଟ୍ରିମ୍‌ ସ୍ରୋତ ଇଷଦୁଷ୍ଣ ।

 

ଇଂଲିଶ ପ୍ରଣାଳୀ ସନ୍ତରଣକାରୀମାନଙ୍କୁ ପ୍ରାୟ ଚାଳିଶ ମାଇଲ ସନ୍ତରଣ କରିବାକୁ ପଡ଼ିଥାଏ । ଯେକୌଣସି ସମୟରେ ଝଡ଼ ଉଠି ସନ୍ତରଣକାରୀର ଜୀବନକୁ ବିପନ୍ନ କରିଦେବାର ସମ୍ଭାବନା ଥାଏ । ଏ ବିପଦ ବ୍ୟତିତ ସାମୁଦ୍ରିକ ଜନ୍ତୁମାନଙ୍କର ଉତ୍ପାତ ମଧ୍ୟ ରହିଛି । ସନ୍ତରଣକାରୀଙ୍କ ଦେହରେ ବୋଳାଯାଇଥିବା ଗ୍ରୀଜ୍‌କୁ ଖାଇବା ନିମନ୍ତେ ଅସଂଖ୍ୟ ଜେଲି ମାଛ ଦଂଶନ କରିଥାନ୍ତି ।

 

ଇଂଲିଶ ପ୍ରଣାଳୀ ସନ୍ତରଣ କରିବାକୁ ହେଲେ ବହୁ ବିପଦର ସମ୍ମୁଖୀନ ହେବାର ଆଶଙ୍କା ପ୍ରତି ମୁହୂର୍ତ୍ତରେ ରହିଥାଏ ।

 

ବିଜୟ ଅଭିଯାନ ପ୍ରସ୍ତୁତି

 

ଶେଷରେ ମିହିରକୁମାର ଠିକ୍‌ କରିନେଲେ ଯେ ସେ ନିଶ୍ଚେ ଇଂଲିଶ ପ୍ରଣାଳୀ ବିଜୟ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ । ସେଥିପାଇଁ ସେ ଫ୍ରିଷ୍ଟାଇଲ ଶିକ୍ଷା ଆରମ୍ଭ କରିଦେଲେ ୧୯୫୫ ସାଲ ପ୍ରାରମ୍ଭରେ । ସେତେବେଳେ ସେ ଶ୍ରୀ ପ୍ରିଟଙ୍କର ଚେମ୍ୱରରେ ସହକାରୀ ଭାବରେ କାର୍ଯ୍ୟ କରୁଥାନ୍ତି । ଭୟଙ୍କର ଶୀତକାଳ, ବରଫ ପଡ଼ି ଚତୁର୍ଦ୍ଦିଗ ହିମଶୀତଳ, ମିହିରକୁମାର ନିଜର କାର୍ଯ୍ୟ ଶେଷ କରି ପ୍ରତିଦିନ ସନ୍ଧ୍ୟା ସମୟରେ ସନ୍ତରଣ ଅଭ୍ୟାସ ପାଇଁ ବାହାରନ୍ତି । ସେ ଲଣ୍ଡନର ୱାଇ.ଏମ୍‌.ସି.ଏ. ପୁଲରେ ଏକଘଣ୍ଟା କରି ସନ୍ତରଣ କରି ଫେରିଆସନ୍ତି । କିଛି ଦିନ ପରେ ସେ ଇନଫ୍ଳୁଏଞ୍ଜା ରୋଗରେ ଆକ୍ରାନ୍ତ ହେଲେ ।

 

ଦିନେ ମିହିରକୁମାର ଶ୍ରୀ ପ୍ରିଟଙ୍କର ସହକାରୀ ପ୍ଲାଟସ୍‌ ମିଲଙ୍କୁ କଥା ପ୍ରସଙ୍ଗରେ ଅତି ଥଣ୍ଡା ପାଣିରେ ସନ୍ତରଣ କରୁଥିବା କଥା କହିଲେ । ଏ କଥା ଶୁଣି ଶ୍ରୀ ମିଲ ଭାରି ଆନନ୍ଦିତ ହେଲେ ଏବଂ ଖୁବ୍‌ ଆଗ୍ରହରେ ତାଙ୍କୁ ନିଜ ମଟରରେ ନେଇ ‘ସଫେଣ୍ଟାଇନ୍‌’ ପୁଷ୍କରିଣୀରେ ପହଞ୍ଚାଇଦେଲେ-। ସେ ପୁଷ୍କରିଣୀର ପାଣି ଏତେ ଥଣ୍ଡା ଯେ ମିହିରକୁମାର ସେଥିରେ ସନ୍ତରଣ କରି ଜେଲି ମାଛପରି ଥରିବାକୁ ଲାଗିଲେ । ମିହିରକୁମାର ସେ ପୁଷ୍କରିଣୀରେ ଆଉ ସନ୍ତରଣ ନ କରି ‘ହାମ୍ପଷ୍ଟେଡ୍‌’ ପୁଲରେ ସନ୍ତରଣ ଅଭ୍ୟାସ କଲେ । ମିହିରକୁମାର ସେତେବେଳକୁ ଶ୍ରୀମତୀ ବେଲା ଭାଇନା ଗାର୍ଟନ (ଶ୍ରୀମତୀ ବେଲା)ଙ୍କୁ ବିବାହ କରିଥାନ୍ତି । ମିହିରକୁମାର ଘଣ୍ଟା ଘଣ୍ଟା ଧରି ପହଁରି ଚାଲିଥାନ୍ତି, ତେଣୁ ଶ୍ରୀମତୀ ବେଲା ସେନ ଘଣ୍ଟା ଧରି ତାଙ୍କର ହସ୍ତ ଚାଳନା ଗଣୁ ଥାନ୍ତି ଓ ସମୟର ହିସାବ ରଖୁଥାନ୍ତି ।

 

ଦେଖୁ ଦେଖୁ ଦିନ ପରେ ଦିନ ମାସ ପରେ ମାସ ଗଡ଼ି ଚାଲିଲା । ଅଗଷ୍ଟ ମାସ ଆସି ପହଞ୍ଚିଲା । ମିହିରକୁମାର ଇଂଲିଶ ପ୍ରଣାଳୀ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ବର୍ଟଲିନ୍‌ ରେସ ନିକଟରେ ଆବେଦନ କଲେ । ଶେଷରେ ତାଙ୍କୁ ସନ୍ତରଣ ପ୍ରତିଯୋଗିତାରେ ଯୋଗଦାନ କରିବା ନିମନ୍ତେ ଅନୁମତି ମିଳିଲା ।

 

ସେତେବେଳକୁ ମିହିରକୁମାରଙ୍କ ନିକଟରେ ଆଦୌ ପଚାଶଟି ଟଙ୍କା ମାତ୍ର ଥାଏ । ସେତିକି ମାତ୍ର ଟଙ୍କାରେ କ’ଣ ହେବ ? ସେ ଭାରତର ପ୍ରଧାନମନ୍ତ୍ରୀକୁ ଅର୍ଥ ସାହାଯ୍ୟ ପାଇଁ ଜଣାଇଲେ । ଶ୍ରୀ ନେହରୁ ସାତଦିନ ମଧ୍ୟରେ ଲଣ୍ଡନର ହାଇକମିଶନରଙ୍କୁ ଅର୍ଥ ସାହାଯ୍ୟ କରିବାକୁ ଆଦେଶ ଦେଲେ । ଏହି ପ୍ରତିଶ୍ରୁତି ପାଇ ମିହିରକୁମାର ମିଶରୀୟ ସନ୍ତରଣକାରୀଙ୍କ ଅଧୀନରେ ନିୟମିତ ଭାବରେ ଫୋକଷ୍ଟୋନ ସହରରେ ସନ୍ତରଣ ଅଭ୍ୟାସ କରିବାକୁ ଲାଗିଲେ । ଅନେକ ଦିନ ଯାଏ ସାରାରାତି ସନ୍ତରଣ କରି ନିଜକୁ ଇଂଲିଶ ପ୍ରଣାଳୀ ସନ୍ତରଣ ଉପଯୋଗୀ କରିବାକୁ ଆପ୍ରାଣ ଚେଷ୍ଟା କଲେ । ସେତେବେଳେ ତାଙ୍କର ଶରୀରର ଓଜନ ୧୫୯ ପାଉଣ୍ଡ ଥିଲା ।

 

ପ୍ରଥମ ବାର ସନ୍ତରଣ

 

୧୯୫୫ ଅଗଷ୍ଟ ମାସ ୧୫ ତାରିଖ । ସେହି ଦିନ ମିହିରକୁମାର ବିଭିନ୍ନ ଦେଶର ପନ୍ଦର ଜଣ ପ୍ରତିଯୋଗୀମାନଙ୍କ ସଙ୍ଗରେ ବାର୍ଟଲିନ୍‌ ରେସ୍‌ର ଇଂଲିଶ ପ୍ରଣାଳୀ ପ୍ରତିଯୋଗୀତାରେ ଅବତୀର୍ଣ୍ଣ ହେଲେ । ଏହା ଖୁବ୍‌ ଉଲ୍ଲେଖଯୋଗ୍ୟ ବିଷୟ ଯେ, ମିହିରକୁମାର ହିଁ ସର୍ବପ୍ରଥମେ ଅସୀମ ସାହସର ସହିତ ବହୁ ପ୍ରତିକୂଳ ଅବସ୍ଥା ମଧ୍ୟରେ ଭୀଷଣ ଇଂଲିଶ ପ୍ରଣାଳୀ ସନ୍ତରଣ ପାଇଁ ସାହସ କଲେ । ସନ୍ତରଣ ଆରମ୍ଭରୁ ସମସ୍ତ ସନ୍ତରଣକାରୀ ତୀବ୍ର ବେଗରେ ଇଂଲଣ୍ଡ ଆଡ଼କୁ ଅଗ୍ରସର ହେଲେ । ପରେ ପରେ ଦେଖାଦେଲା ପ୍ରକୃତିର ତାଣ୍ଡବ ଲୀଳା, ପ୍ରତିଯୋଗୀମାନଙ୍କ ମଧ୍ୟରେ ବିପର୍ଯ୍ୟୟ ଆରମ୍ଭ ହୋଇଗଲା । କିନ୍ତୁ ମିହିରକୁମାର ଖୁବ୍‌ ସାହସର ସହିତ ଇଂଲଣ୍ଡ ଆଡ଼କୁ ଅଗ୍ରସର ହେଉଥିଲେ, ହଠାତ୍‌ ତାଙ୍କ ଚକ୍ଷୁ ଆବରଣୀ ଅର୍ଥାତ୍‌ ଚଷମା ବାଟଦେଇ ପାଣି ପଶିଗଲା । ଏଥିରେ ସେ ବିଚଳିତ ନ ହୋଇ ଦ୍ରୁତବେଗରେ ନିଜର ଲକ୍ଷ୍ୟସ୍ଥାନ ଅଭିମୁଖରେ ଆଗେଇ ଚାଲିଥାନ୍ତି । କିନ୍ତୁ ପୁଣି ପ୍ରକୃତିର ଅବସ୍ଥା ଏପରି ଭୟଙ୍କର ହୋଇଉଠିଲା ଯେ, ଯେକୌଣସି ମୁହୂର୍ତ୍ତରେ ଜୀବନ ଚାଲିଯିବାର ଆଶଙ୍କା ଉପୁଜିଲା । ସାଢ଼େ ଏଗାର ଘଣ୍ଟା ସନ୍ତରଣ କରି ସଙ୍ଗରେ ଥିବା କୋଚ (ପାଇଲଟ୍‌) ଓ ବନ୍ଧୁବାନ୍ଧବମାନଙ୍କ ଅନୁରୋଧରେ ମିହିରକୁମାର ଲାଇଫବୋଟକୁ ଉଠି ଆସିବାକୁ ବାଧ୍ୟ ହେଲେ । ସେତେବେଳକୁ ସେ ଅଠର ମାଇଲ ପଥ ସନ୍ତରଣ କରିପାରିଥିଲେ । ଏତେ ବାଟ ସନ୍ତରଣ ପରେ ମଧ୍ୟ ମିହିରକୁମାରଙ୍କ ଅବସ୍ଥା ଖୁବ୍‌ ଭଲ ଥିଲା । ସାମୁଦ୍ରିକ ପୀଡ଼ାରେ ତାଙ୍କର ହସ୍ତ ପଦ ଆଦୌ ଶିଥିଳ ହୋଇନଥିଲା । ଇଂଲିଶ ପ୍ରଣାଳୀ ବିଶାରଦମାନେ କହିଥିଲେ, ଯଦି ମିହିରକୁମାରଙ୍କୁ ଜଳରୁ ଅବତରଣ କରିବାକୁ ଅନୁରୋଧ କରାନଯାଇଥାନ୍ତା, ସେ ନିଶ୍ଚୟ ସହଜରେ ଇଂଲିଶ ପ୍ରଣାଳୀ ଜୟ କରିପାରିଥାନ୍ତେ । ସେଦିନ ସନ୍ତରଣରେ ତିନିଜଣ ସନ୍ତରଣକାରୀ ସାଫଲ୍ୟ ଅର୍ଜନ କରିଥିଲେ । କିନ୍ତୁ ମିହିରକୁମାର ଶେଷ ଆଠଜଣ ସନ୍ତରଣକାରୀଙ୍କ ମଧ୍ୟରେ ସ୍ଥାନ ଲାଭ କରିଥିଲେ ।

 

ବିଲାତର ଖବରକାଗଜମାନଙ୍କରେ ଭାରତୀୟ ସନ୍ତରଣକାରୀ ମିହିର ସେନଙ୍କର ଉଚ୍ଛ୍ୱସିତ ପ୍ରଶଂସା କରାଯାଇଥିଲା । ଚାନେଲ ସୁଇମିଂ ଆସୋସିଏସନ ପକ୍ଷରୁ ମିହିରକୁମାରଙ୍କୁ ଅପୂର୍ବ ସାହସିକ କାମପାଇଁ ଅଭିନନ୍ଦିତ କରାହୋଇଥିଲା । ଇଂଲଣ୍ଡର ବିଭିନ୍ନ ଅନୁଷ୍ଠାନମାନଙ୍କ ନିକଟରୁ ମଧ୍ୟ ମିହିର ସମ୍ବର୍ଦ୍ଧିତ ହୋଇଥିଲେ । ଭାରତର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ବିଫଳତା ମିହିରଙ୍କର ପରାଜୟ ନୁହେଁ, ଜୟ ଲାଭର ପ୍ରଥମ ପଦକ୍ଷେପ ।

 

ଦ୍ୱିତୀୟବାର ସନ୍ତରଣ

 

ସେହିବର୍ଷ ମିହିରସେନ ଏକାକୀ ଇଂଲିଶ ପ୍ରଣାଳୀ ବିଜୟ ପାଇଁ ଚେଷ୍ଟା କଲେ । କିନ୍ତୁ ବିଧି ବିଡ଼ମ୍ୱନା ଯୋଗୁଁ ସେ ବିଜୟର ବରମାଲ୍ୟ ପ୍ରାପ୍ତିରୁ ବଞ୍ଚିତ ହେଲେ । ସେ ସାତଘଣ୍ଟା ସନ୍ତରଣ କରି ପ୍ରକୃତିର ବିପର୍ଯ୍ୟୟ ଯୋଗୁଁ ବାଧ୍ୟ ହୋଇ ଜଳରୁ ଉଠି ଆସିଲେ ।

 

ମିହିରକୁମାର ଇଂଲଣ୍ଡରୁ ଫେରି କଲିକତାରେ ଅବସ୍ଥାନ କରୁଥାନ୍ତି । ଏହା ୧୯୫୬ ସାଲର କଥା । ସେ ପୁଣି ଏବର୍ଷ ଇଂଲିଶ ପ୍ରଣାଳୀ ସନ୍ତରଣ ପାଇଁ ବାଲିଗଞ୍ଜ ଲେକରେ ସନ୍ତରଣ ଅଭ୍ୟାସ କରୁଥାନ୍ତି । ସେଠାରୁ ନିଜ ବସାକୁ ଯିବା ଆସିବା କରିବାକୁ ସେ ସମୟରେ ବସ୍‌ ମିଳିବା କଷ୍ଟକର । ଟ୍ୟାକ୍‌ସି ଭଡ଼ା ମଧ୍ୟ ଯଥେଷ୍ଟ । ମଝିରେ ମଝିରେ ବନ୍ଧୁବାନ୍ଧବମାନେ ନିଜ ଗାଡ଼ିରେ ନିୟମିତ ନେବା ଆଣିବାକୁ ପ୍ରତିଶ୍ରୁତି ଦେଇ ତା’ ରକ୍ଷା କରୁନଥିଲେ । ସେ ବାରିଷ୍ଟରି ପ୍ରଥମ କରି ଆରମ୍ଭ କରିଥିବାରୁ ଯାହା ଆୟ କରନ୍ତି ତା’ ସେପରି ଯଥେଷ୍ଟ ନଥିଲା । ତାଙ୍କୁ ବାଧ୍ୟ ହୋଇ ଅନେକ ସମୟରେ ପଦବ୍ରଜରେ ଯିବାଆସିବା କରିବାକୁ ପଡ଼ୁଥିଲା । ସେ ପ୍ରତିଦିନ ଭୋର ସମୟରେ ଉଠି ନିଜ ସନ୍ତରଣ ଜିନିଷଗୁଡ଼ିକ ସୁଟକେଶରେ ଭର୍ତ୍ତିକରି କାଖରେ ଜାକି ବାହାରୁଥିଲେ ଏବଂ ସନ୍ତରଣ ଅଭ୍ୟାସ ପରେ ଆଠଟାରେ ଫେରିଆସି ନିତ୍ୟକର୍ମ ଶେଷରେ ହାଇକୋର୍ଟକୁ ଯାଉଥିଲେ ।

 

ତୃତୀୟବାର ସନ୍ତରଣ

 

୧୯୫୬ ସାଲରେ ଏଥର ଅପରାଜେୟ ମନୋବଳର ଅଧିକାରୀ ମିହିରକୁମାର ବହୁଚେଷ୍ଟାରେ ଅର୍ଥ ସଂଗ୍ରହ କରି ଇଂଲିଶ ପ୍ରଣାଳୀ ଜୟ କରିବାକୁ ଲଣ୍ଡନ ଯାତ୍ରା କଲେ । ଏହି ସମୟରେ ସୁଏଜ କେନାଲ ଘେନି ଇଂଲଣ୍ଡ ଓ ଫରାସୀ ସରକାରର ଆକ୍ରମଣ ଚାଲିଥିଲା ମିଶର ଦେଶ ଉପରେ । ସାହେବମାନଙ୍କ ପରିଚାଳିତ ଚାନେଲ ସୁଇମିଂ ଆସୋସିଏସନ କୌଣସି ମିଶରୀୟ ସନ୍ତରଣକାରୀଙ୍କୁ ଏହି ପ୍ରତିଯୋଗୀତାରେ ଭାଗ ନେବାର ସୁବିଧା ଦେବାକୁ ରାଜି ହେଲା ନାହିଁ । କ୍ରୀଡ଼ା କ୍ଷେତ୍ରରେ ରାଜନୀତିର ଖେଳ ଆରମ୍ଭ ହେଲା ।

 

ମିହିର ଏଥିରେ ବ୍ୟଥିତ ହୋଇ କହିଲେ, ‘‘ଯେଉଁଠି କ୍ରୀଡ଼ା କ୍ଷେତ୍ରରେ ରାଜନୀତିର ଚାଲ ଚାଲେ ସେ ପ୍ରତିଯୋଗୀତାରେ ମିହିର ସେନ ଯୋଗ ଦେବ ନାହିଁ ।’’ ଏହି କଥାରୁ ମିହିର ସେନଙ୍କର ଦେଶପ୍ରେମ ସ୍ପଷ୍ଟ ଭାବରେ ଜଣାଯାଏ । ସେ ଦେଶର ସମ୍ମାନ ରକ୍ଷା ନିମନ୍ତେ ନିଜର ସ୍ୱାର୍ଥକୁ ଅବଲୀଳା କ୍ରମେ ବିସର୍ଜନ ଦେବା କଥା ଏଥିରୁ ପ୍ରମାଣିତ ହୋଇଗଲା । ପରେ ଏହି ବିଷୟର ସନ୍ତୋଷଜନକ ମିମାଂସା ହୋଇଯାଇଥିଲା । ୧୯୫୬ ସାଲ ବାର୍ଟଲିନ ରେସରେ କେହି ସନ୍ତରଣକାରୀ ଭୀଷଣ ଆବହାୱା ଯୋଗୁଁ ସାଫଲ୍ୟ ଅର୍ଜନ କରିପାରିନଥିଲେ । ଏ ବର୍ଷ ବାର୍ଟଲିନ ରେସକୁ ବନ୍ଦ କରି ଦେବାର ସିଦ୍ଧାନ୍ତ କରାହୋଇଥିଲା ।

 

ମିହିର କିନ୍ତୁ ଏହିବର୍ଷ ଏକାକୀ ଇଂଲିଶ ପ୍ରଣାଳୀ ସନ୍ତରଣ କରି ବିଜୟଲାଭ ପାଇଁ ଚେଷ୍ଟା କଲେ । ସେ ଅଗଷ୍ଟ ୩୦ ତାରିଖରେ ସାତଘଣ୍ଟା ସନ୍ତରଣ କରି ସାମୁଦ୍ରିକ ପୀଡ଼ା ଓ ପ୍ରବଳ ଝଡ଼ଯୋଗୁଁ ଜ୍ଞାନଶୂନ୍ୟ ଅବସ୍ଥାରେ ଜଳରୁ ବିଦାୟ ନେବାକୁ ବାଧ୍ୟ ହୋଇଥିଲେ ।

 

ଚତୁର୍ଥବାର ସନ୍ତରଣ

 

୧୯୫୭ ସାଲଟି ମିହିରକୁମାରଙ୍କ ଜୀବନର ଏକ ବିଷାଦପୂର୍ଣ୍ଣ ବର୍ଷ । ସେ ଇଂଲଣ୍ଡ ଯିବାପାଇଁ ପ୍ରୟୋଜନୀୟ ଅର୍ଥ ସଂଗ୍ରହ ଠିକ୍‌ ସମୟରେ କରିପାରିଲେ ନାହିଁ । ସେଥିପାଇଁ ଜୁଲାଇ ମାସ ପୂର୍ବରୁ ଇଂଲଣ୍ଡରେ ପହଞ୍ଚି ପାରିଲେ ନାହିଁ । ଇଂଲିଶ ପ୍ରଣାଳୀ ସନ୍ତରଣକାରୀମାନେ ମଇମାସ ପ୍ରଥମ ସପ୍ତାହରୁ ପ୍ରଣାଳୀ ଜଳରେ ସନ୍ତରଣ ଅଭ୍ୟାସ କରୁଥାନ୍ତି, ଦୁର୍ଭାଗ୍ୟକୁ ମିହିରକୁମାର ଜୁଲାଇ ମାସରେ ପହଞ୍ଚି ଦେଖିଲେ ସମସ୍ତ ଅଭିଜ୍ଞ ପାଇଲଟ ଅନ୍ୟାନ୍ୟ ସନ୍ତରଣକାରୀଙ୍କ ସଙ୍ଗରେ ଚୁକ୍ତିବଦ୍ଧ ହୋଇସାରିଛନ୍ତି । ମିହିରକୁମାର ନିରୁପାୟ ହୋଇ ଜଣେ ଅଦକ୍ଷ ଓ ଅନଭିଜ୍ଞ ପାଇଲଟକୁ ନିଜପାଇଁ ନେବାକୁ ବାଧ୍ୟହେଲେ । ଅଗଷ୍ଟ ୨୬ରେ ସନ୍ତରଣ ଆରମ୍ଭ ହେଲା । ଏ ସନ୍ତରଣରେ ମିହିରକୁମାର ସାଢ଼େ ଚୌଦ ଘଣ୍ଟାରୁ ଅଧିକ ସମୟ ସନ୍ତରଣ କରି ଏହି ପାଇଲଟର ଜିଦ୍‍ ଯୋଗୁଁ ଲାଇଫ୍‌ ବୋଟକୁ ଉଠିଆସିଲେ । ଏହି ପାଇଲଟ ବଡ଼ ପ୍ରତାରକ, ସେ ମିହିରଙ୍କୁ ଭୁଲ ପଥରେ ନେଉଥିଲା ଓ ଜଳରୁ ଉଠି ନ ଆସିଲେ ପ୍ରାଣହାନି ହେବାର ଭୟ ଦେଖାଇଲା । ଏହି ବର୍ଷ ଗ୍ରେଟା ଏଣ୍ଡାରସନ ୧୩ଘଣ୍ଟା ୫ମିନିଟ ସନ୍ତରଣ କରି ପ୍ରଥମ ହୋଇ ବିଜୟିନୀ ହେଲେ, ଅଥଚ ମିହିର ସାଢ଼େ ଚୌଦ ଘଣ୍ଟାରୁ ଊର୍ଦ୍ଧ୍ୱ ସନ୍ତରଣ କରି ପାଇଲଟର ପ୍ରତାରଣା ଦୋଷରୁ ବିଜୟ ଗୌରବରୁ ବଞ୍ଚିତ ହେଲେ । ଏହା ତାଙ୍କର ଭାଗ୍ୟର ପରିହାସ ଛଡ଼ା କ’ଣ କୁହାଯିବ ?

 

ମିହିରକୁମାର ବ୍ୟର୍ଥ ମନୋରଥ ହୋଇ ମନଦୁଃଖରେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ । ଅର୍ଥାଭାବହିଁ ଏଥର ମିହିରକୁମାରଙ୍କ ବିଜୟରେ ପ୍ରତିବନ୍ଧକ ହୋଇ ଠିଆହେଲା । ସେ ଯଦି ଠିକ୍‌ ସମୟରେ ଇଂଲଣ୍ଡରେ ପହଞ୍ଚି ପାରିଥାନ୍ତେ ତେବେ ଏ ପରାଜୟ ହୋଇନଥାନ୍ତା ।

 

ଏହି ପରାଜୟ ଦୁଃଖରେ ମିହିରକୁମାର ଭାଙ୍ଗିପଡ଼ିନଥିଲେ । ବରଂ ତାଙ୍କର ମାନସିକ ଶକ୍ତି ଏହାଦ୍ୱାରା ବୃଦ୍ଧି ପାଇଥିଲା ଓ ଜିଦ୍‍ ମଧ୍ୟ ଯଥେଷ୍ଟ ବଢ଼ିଯାଇଥିଲା ।

 

ମିହିରକୁମାରଙ୍କର ଏହି ପରାଜୟରେ ନିଜର ଦୁଃଖ ଯା’ ହୋଇଥିଲା ତା’ ଅପେକ୍ଷା ଆମ ଦେଶବାସୀଲୋକେ ତାଙ୍କର ଏହି କଟା କ୍ଷତରେ ଲୁଣ ଛିଟା ଦେବାର ଦେଖାଗଲା । ଆମେ ଯୋଗ୍ୟ ବ୍ୟକ୍ତିକୁ ଆଦର କରି ଜାଣୁନା । ଭାରତର ସନ୍ତରଣ ସଂସ୍ଥାଗୁଡ଼ିକ ମିହିରଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଉପଲବ୍‌ଧି କରିପାରିଲେ ନାହିଁ । ଘୋର ଲଜ୍ଜା ଓ ପରିତାପର କଥା ଯେ ଭାରତର ସମସ୍ତ ସନ୍ତରଣ ଅନୁଷ୍ଠାନ ତାଙ୍କୁ ସାହଯ୍ୟ କରିବାକୁ ଅସ୍ୱୀକାର କଲେ । କୌଣସି ଅନୁଷ୍ଠାନର କର୍ମକର୍ତ୍ତା ତାଙ୍କୁ ଟିକେ ମାତ୍ର ଉତ୍ସାହବାଣୀ ମଧ୍ୟ ଶୁଣାଇଲେ ନାହିଁ । କଲିକତା ଲେକ୍‌ର ସୁଇମିଂ କ୍ଲବ ମିହିରଙ୍କୁ ସଭ୍ୟ ପଦରୁ ବହିଷ୍କୃତ କରିଦେବା ସଙ୍ଗେ ସଙ୍ଗେ ସଭ୍ୟ ଚାନ୍ଦା ମଧ୍ୟ ଫେରାଇ ଦେଲେ । ଅବଶ୍ୟ ମିହିରକୁମାରଙ୍କୁ ସନ୍ତରଣ ଅଭ୍ୟାସ କରିବାକୁ କିଛି ଅସୁବିଧା ହୋଇନଥିଲା । ସେ ଏକ ମୁକ୍ତ ପୁଷ୍କରିଣୀରେ ସନ୍ତରଣ ଅଭ୍ୟାସ କରୁଥିଲେ ।

 

ପଞ୍ଚମ ବାର ସନ୍ତରଣ

 

ଆସନ୍ତା ସନ୍ତରଣ ପ୍ରତିଯୋଗୀତା ପାଇଁ ମିହିରକୁମାର ନାନା ଉପାୟରେ ଅର୍ଥ ସଂଗ୍ରହ କରିବାକୁ ଚେଷ୍ଟା କଲେ । ଏଥର ସେ ସ୍ଥିର କଲେ ଯେ ଯଦି ଇଂଲିଶ ପ୍ରଣାଳୀ ଜୟ କରିବାକୁ ହେବ, ତେବେ ଖୁବ୍‌ ବିପଦସଙ୍କୁଳ ପଥ ଦେଇ ସେ ସନ୍ତରଣ କରିବେ । ଇଂଲଣ୍ଡରୁ ଫ୍ରାନସ୍‌ ପଥକୁ ସେ ଏଥର ବାଛିନେଲେ ।

 

ଇଂଲିଶ ପ୍ରଣାଳୀ ବିଜୟ ପାଇଁ ମିହିରକୁମାର ଏଥର ସସ୍ତ୍ରୀକ ଲଣ୍ଡନ ଯାତ୍ରା କଲେ । ଆସି ପହଞ୍ଚିଲା ୧୯୫୮ ସାଲ ସେପ୍ଟେମ୍ୱର ୧୦ ତାରିଖ । ଏ ଦିନଟି କ’ଣ ମିହିରକୁମାରଙ୍କ ଜୀବନରେ ନୂତନ ଅଧ୍ୟାୟର ସୃଷ୍ଟି କରିବ ? ନା ପୂର୍ବପରି ଅକୃତକାର୍ଯ୍ୟତାର ପୁନରାବୃତ୍ତି ? କେଉଁଟି ହେବ ?

 

ସେପ୍ଟେମ୍ୱର ୧୦ ତାରିଖରେ ବାର୍ଟଲିନରେସ୍‌ ଆରମ୍ଭ ହେଲା । ମିହିରକୁମାର ଇଂଲଣ୍ଡଠାରୁ ଫ୍ରାନ୍‌ସ ଉପକୂଳ ଉଦ୍ଦେଶ୍ୟରେ ସନ୍ତରଣ ଆରମ୍ଭ କଲେ । ସେ ଅଠର ଘଣ୍ଟା ସନ୍ତରଣ କରି ଫ୍ରାନ୍‌ସ ଉପକୂଳଠାରୁ ମାତ୍ର ୮୮୦ ଗଜ ଦୂରରୁ ଜଳ ମଧ୍ୟରୁ ଉଠିଆସିଲେ । ଏଥର ମଧ୍ୟ ଭାଗ୍ୟଦେବୀ ମିହିରକୁମାରଙ୍କ ଉପରେ ରୁଷ୍ଟ ହେଲେ । ମିହିରକୁମାରଙ୍କର ଏହି ମର୍ମାନ୍ତିକ ଓ ହୃଦୟବିଦାରକ ବ୍ୟର୍ଥତା ଦେଖି ଅନେକ ବିଦେଶୀମାନଙ୍କ ଚକ୍ଷୁରୁ ଲୁହ ଗଡ଼ିପଡ଼ିଥିଲା । ଚେନାଲ ବିଶାରଦ କହିଲେ, ‘‘ଆଉ ୬ ଘଣ୍ଟା ମିହିରକୁମାରଙ୍କର ସନ୍ତରଣ କରିପାରିବାର ଶକ୍ତି ଥିଲା । ତାଙ୍କପରି ସନ୍ତରଣକାରୀ ପୃଥିବୀରେ ବିରଳ ।’’

 

ଏହି ପରାଜୟରେ ମିହିରକୁମାରଙ୍କ ହୃଦୟ ଭାଙ୍ଗିପଡ଼ିଲା । ସେତେବେଳକୁ ତାଙ୍କର ନିଜର ତହବିଲ ପ୍ରାୟ ଶୂନ୍ୟ । ତେଣେ ଡୋଭରର କଣ୍ଟିନେଣ୍ଟାଲ ହୋଟେଲରେ ତାଙ୍କର ଋଣ ବଢ଼ି ବଢ଼ି ଚାଲିଥାଏ । ଜୀବନର ଏହି ଅନ୍ଧକାରାଚ୍ଛନ୍ନ ଦିନରେ ନିଜ ଦେଶବାସୀଙ୍କ ନିକଟରୁ କୌଣସି ପ୍ରକାର ଆଶାର ବାଣୀ ବା ସାନ୍ତ୍ୱନା ସେ ପାଇନଥିଲେ । ମିହିରକୁମାରଙ୍କ ପକ୍ଷରେ ଏ ଦୁର୍ବଳତା ଅଳ୍ପ ସମୟ ପାଇଁ, ସେ ବୀର ଦର୍ପରେ ଘୋଷଣା କଲେ, ‘‘ସେ ପନ୍ଦର ଦିନ ମଧ୍ୟରେ ପୁଣି ଇଂଲିଶ ପ୍ରଣାଳୀ ସନ୍ତରଣ ଅଭିଯାନ ଆରମ୍ଭ କରିବେ ।’’ ଏଥର ସେ ନିଶ୍ଚେ ସାଫଲ୍ୟ ଅର୍ଜନ କରିବେ । କେତେ ମାନସିକ ଦୃଢ଼ତା ଥିଲେ ଯାଇଁ ଏପରି ଦମ୍ଭର କଥା କୁହାଯାଇପାରେ, ଏ କଥା ଲକ୍ଷ୍ୟ କରିବାର ଓ ଅନୁଧ୍ୟାନ କରିବାର କଥା ।

 

ସେପ୍ଟେମ୍ୱର ୨୭ ତାରିଖ ମିହିରକୁମାରଙ୍କ ପକ୍ଷରେ ଶୁଭ ଦିନ । ସେ ଏପରି ଅର୍ଥଶୂନ୍ୟ ଅବସ୍ଥାରେ ପଡ଼ିଥିଲେ ଯେ ନିଜ ପାଇଲଟକୁ ତା’ର ପାରିଶ୍ରମିକ ଦେବାକୁ ତାଙ୍କର ଶକ୍ତି ନ ଥିଲା । ଧାର ସୂତ୍ରରେ ପାଇଲଟ୍‌ ତାଙ୍କୁ ସାହଯ୍ୟ କରିବାକୁ ରାଜି ହେଲା । ଏହା ତାଙ୍କ ପକ୍ଷରେ ଖୁବ୍‌ ଶୁଭ ସୂଚନା କୁହାଯିବ ।

 

ଇଂଲିଶ ପ୍ରଣାଳୀ ବିଜୟ

 

ସଙ୍କେତର ବନ୍ଧୁକ ଗର୍ଜ୍ଜି ଉଠିଲା । ମିହିରକୁମାର ଅନ୍ୟ ପ୍ରତିଯୋଗୀମାନଙ୍କ ସଙ୍ଗରେ ପିଅର ବିଚରୁ ଫ୍ରାନ୍‌ସ ଉପକୂଳକୁ ଅଗ୍ରସର ହେଲେ । ଚୌଦଘଣ୍ଟା ପଇଁଚାଳିଶ ମିନିଟରେ ଜଳ ତରଙ୍ଗ ସଙ୍ଗରେ ସଂଗ୍ରାମ କରି ମିହିରକୁମାର ଫ୍ରାନ୍‌ସ ଉପକୂଳରେ ପହଞ୍ଚିଲେ । ଶେଷ ବେଳକୁ ପ୍ରକୃତି ଦେବୀ ମିହିରକୁମାରଙ୍କ ଉପରେ ରୁଷ୍ଟହୋଇଥିଲେ କିନ୍ତୁ ଅପରାଜେୟ ମନୋବଳର ଅଧିକାରୀ ମିହିରକୁମାରଙ୍କ ନିକଟରେ ସେ ପରାଜିତ ହେଲେ । ଶେଷ ଆଡ଼କୁ ମିହିରକୁମାରଙ୍କର ପାଇଲଟ ବୋଟ ପାହାଡ଼ ଦେହରେ ଧକ୍‌କା ଖାଇ ଧ୍ୱଂସ ହୋଇଗଲା । ଥର ଥର କରି ପାଞ୍ଚଥର ପରାଜୟ ପରେ ୬ଷ୍ଠ ଥର ମିହିରକୁମାର ବିଜୟ ଗୌରବର ଅଧିକାରୀ ହେଲେ । ଭାଗ୍ୟ ଦେବୀ ମିହିରକୁମାରଙ୍କ ମସ୍ତକରେ ବିଜୟ କୁସୁମ ବର୍ଷଣ କଲେ । ସେପର୍ଯ୍ୟନ୍ତ ଯେତେ ଜଣ ସନ୍ତରଣ ବିଜେତା ସମୟରେକର୍ଡ଼ ରକ୍ଷା କରିଥିଲେ, ସେହି ତେରଜଣଙ୍କ ମଧ୍ୟରେ ମିହିରକୁମାର ୪ର୍ଥ ସ୍ଥାନ ଅଧିକାର କଲେ । ବାର୍ଟଲିନ୍‌ ରେସର ସଭାପତି ମାର୍ଶାଲ ଫ୍ରିବର୍ଗ ଭି.ସି. ନିଜେ ପ୍ରଶଂସା ପତ୍ର ମିହିରଙ୍କୁ ଅର୍ପଣ କରିଥିଲେ । ଭାରତ ସରକାର ମିହିରକୁମାରଙ୍କୁ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କଲେ । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନେହରୁ ଓ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଶ୍ରୀ ବିଧାନ ଚନ୍ଦ୍ର ରାୟ ଏବଂ ବହୁ ବିଶିଷ୍ଟ ଭାରତୀୟ ମିହିରକୁମାରଙ୍କୁ ଭୂୟସୀ ପ୍ରଶଂସା କରି ଅଭିନନ୍ଦନ ବାର୍ତ୍ତାମାନ ପଠାଇଥିଲେ ।

 

ମିହିରକୁମାର ଭାରତୀୟ ଯୁବକମାନଙ୍କୁ ଲକ୍ଷ୍ୟ କରି କହିଥିଲେ, ପଦବୀର ମୋହ ତ୍ୟାଗ କରି ଯୁବକ ଯୁବତୀମାନେ ଅନାଗତ ଭବିଷ୍ୟତ ଦିଗକୁ ଆଗେଇ ଚାଲନ୍ତୁ, ମହତ୍‌ ଉଦ୍ଦେଶ୍ୟ ଅଜଣା ପରିବେଶ ଓ ଅନାବିଷ୍କୃତ ରହସ୍ୟର ଉତ୍ସ ସନ୍ଧାନରେ । ଭାରତର ଯୁବକ ଯୁବତୀମାନେ ପୁଣି ସାରା ବିଶ୍ୱରେ ନେତୃତ୍ୱ ଗ୍ରହଣ କରନ୍ତୁ ।’’

 

ମିହିରକୁମାରଙ୍କ ଅପରାଜେୟ ମନୋବଳ, ଧୈର୍ଯ୍ୟ ଶକ୍ତି ଓ ନିର୍ଭୀକତା ତାଙ୍କୁ ଏ ବିଜୟ ମୁକୁଟର ଅଧିକାରୀ କରିୟପାରିଲା । ସେ କେବଳ ଉତ୍କଳରେ ନୁହନ୍ତି, ସମଗ୍ର ଭାରତ ତଥା ଏସିଆ ମହାଦେଶରେ ଚିରସ୍ମରଣୀୟ ହୋଇ ରହିବେ । ତାଙ୍କର ଏହି ବିଜୟ ଅଭିଯାନ କାହାଣୀ ଆମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

 

ତିନି

ପାକ୍‌ ପ୍ରଣାଳୀ ବିଜୟ

 

ଇଂଲିଶ ପ୍ରଣାଳୀ ବିଜୟ ପରେ ମିହିରକୁମାରଙ୍କର ସ୍ୱପ୍ନ ହେଲା, ଭାରତ ଓ ସିଂହଳ ମଧ୍ୟରେ ଥିବା ପାକ୍‌ ପ୍ରଣାଳୀ ନିଶ୍ଚେ ଦିନେ ‘ଚ୍ୟାଲେଞ୍ଜ’ ଦେଇ ଠିଆ ହେବ ସନ୍ତରଣକାରୀଙ୍କ ମଧ୍ୟରେ । ପାକ୍‌ ପ୍ରଣାଳୀ ମଧ୍ୟ ଇଂଲିଶ ପ୍ରଣାଳୀ ସଙ୍ଗରେ ଖ୍ୟାତିର ସମକକ୍ଷ ନିମନ୍ତେ ଦଣ୍ଡାୟମାନ ହେବ ।

 

ମିହିରକୁମାରଙ୍କର ବିଶେଷ କୌତୂହଳ ଓ ଚିନ୍ତାର କାରଣ ହେଲା ପୃଥିବୀର ପ୍ରାୟ ସମସ୍ତ ଦେଶର ସନ୍ତରଣକାରୀମାନେ ଇଂଲିଶ ପ୍ରଣାଳୀ ସନ୍ତରଣପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି-। ଅବଶ୍ୟ ଇଂଲିଶ ପ୍ରଣାଳୀ ସନ୍ତରଣ କରିବା ଗୌରବର କଥା, ସନ୍ଦେହ ନାହିଁ । କିନ୍ତୁ ସେ ହିନ୍ଦୁ–ପାକ୍‌ ପ୍ରଣାଳୀ ବିଷୟରେ ଅନେକ କଥା ହିନ୍ଦୁ ମହାକାବ୍ୟମାନଙ୍କରେ ଉଲ୍ଲେଖ ରହିଛି । ସେଇଥିପାଇଁ ତାଙ୍କର ପାକ୍‌ ପ୍ରଣାଳୀ ସନ୍ତରଣ ନିମନ୍ତେ ବିଶେଷ ଆଗ୍ରହ ଦେଖାଦେଲା । ଏହି ଉଦ୍ଦେଶ୍ୟର ସାର୍ଥକତା ପାଇଁ ସେ ନିଜେ ଅଗ୍ରସର ହେଲେ ପାକ୍‌ ପ୍ରଣାଳୀ ସନ୍ତରଣ ପାଇଁ । ଏ ପ୍ରକାର ଉଦ୍ୟମ ମିହିରକୁମାରଙ୍କର ସର୍ବ ପ୍ରଥମ ବୋଲି କୁହାଯିବ । ମିହିରକୁମାର ନିଜେ କହିଛନ୍ତି, ‘‘ମୁଁ ଯଦି ପାକ୍‌ ପ୍ରଣାଳୀ ବିଜୟ କରେ, ତେବେ ଭାରତ ସରକାରଙ୍କ ସହାୟତାରେ ଏଠାରେ ପ୍ରତିବର୍ଷ ଏହି ପ୍ରଣାଳୀ ଅତିକ୍ରମ ପାଇଁ ଗୋଟିଏ ଅନୁଷ୍ଠାନ ଗଠନ କରିବାକୁ ହେବ । ଦେଶର ନବ ଯୁବକମାନଙ୍କ ମଧ୍ୟରେ ଜାଗ୍ରତ କରିବାକୁ ହେବ ଦୁଃସାହସିକ ଅଭିଯାନ ମନୋଭାବ ଏବଂ କୌଣସି ଅଜଣା ସମ୍ମୁଖରେ ମୁହାଁ ମୁହିଁ, ଦଣ୍ଡାୟମାନ ହେବାର ଦୁର୍ଜ୍ଜୟ ସାହସ ।

 

ମିହିରକୁମାର ପାକ୍‌ ପ୍ରଣାଳୀକୁ ଅତିକ୍ରମ କରିବା ନିମନ୍ତେ ବାଛିବାର ଉଦ୍ଦେଶ୍ୟ ହେଲା ପ୍ରଥମତଃ ଧନୁଷ୍କୋଟି ଓ ସିଂହଳର ତଲାଇମାନ୍ନାର ମଧ୍ୟରେ ଏହା ପୂର୍ବରୁ ଆଉ କେହି ଏହି ପ୍ରଣାଳୀ ପାରି ହୋଇଥିବାର ପ୍ରମାଣ ନାହିଁ । ଦ୍ୱିତୀୟତଃ ଦୁଇଟି ରାଷ୍ଟ୍ର ମଧ୍ୟରେ ଏ ସନ୍ତରଣ ଆନ୍ତର୍ଜାତିକ ବୋଲି ଗଣ୍ୟହେବ । ତୃତୀୟତଃ ଏହି ପ୍ରଣାଳୀ ଆମ ଘର ନିକଟରେ ଓ ଇଂଲିଶ ପ୍ରଣାଳୀପରିଅସ୍ପଷ୍ଟ କୁହେଳିକାଚ୍ଛନ୍ନ ନୁହେଁ । ଚତୁର୍ଥତଃ ହାଙ୍ଗର ଓ ବିଷଧର ସର୍ପପୂର୍ଣ୍ଣ ଏହି ସମୁଦ୍ରକୁ ପାରିହେବା ନିମନ୍ତେ ଚେଷ୍ଟା କରିବାରେ ଉତ୍ତେଜନା ଅଛି, ବିପଦର ଆଶଙ୍କା ଅଛି । ପଞ୍ଚମତଃ ଭାରତର ସମୁଦ୍ର ସୀମାରେ ପାର-ଉତାର ହେବାର ଆଉ ଉପଯୁକ୍ତ ସ୍ଥାନ ନାହିଁ ।

 

ଏହି ରୋମାଞ୍ଚକର ବିପଦର ସମ୍ମୁଖୀନ ହେବାର ନିଶା ମିହିରଙ୍କୁ ଆକର୍ଷଣ କରିଥିଲା । ଧନୁଷ୍କୋଟି ନିକଟରେ ଏହି ପ୍ରଣାଳୀକୁ ଆଦୌ ସେପର୍ଯ୍ୟନ୍ତ ସେ ଦେଖିନଥିଲେ । ଅଜଣାକୁ ଜାଣିବାର ଭୟ ମିଶ୍ରିତ ଆନନ୍ଦ ମଧ୍ୟ ତାଙ୍କ ମନରେ ରହିଥିଲା ।

 

ମିହିରକୁମାର କହିଛନ୍ତି ‘‘ମୁଁ ଜଣେ ବାରିଷ୍ଟର, ହାଇକୋର୍ଟର ପ୍ରାକ୍‌ଟିସ ଓ ଅନ୍ୟାନ୍ୟ କାର୍ଯ୍ୟ ମଝିରେ ମଝିରେ ଗତ କେତେବର୍ଷ ଧରି ଦୁର୍ଜ୍ଜୟ ସାଗର ସନ୍ତରଣର ସ୍ୱପ୍ନ ଦେଖି ଆସିଛି । ସେଥିପାଇଁ ମୁଁ ପ୍ରତିଦିନ ପ୍ରାତଃକାଳରୁ ଏକମାଇଲ କରି ସନ୍ତରଣ କରିବାକୁ କର୍ତ୍ତବ୍ୟ ମଧ୍ୟରେ ସ୍ଥାନ ଦେଇ ଆସିଛି ।’’

 

ଗତ କେତେବର୍ଷ ଧରି ସେ ବିଭିନ୍ନ ପ୍ରଣାଳୀର ନାନା ତଥ୍ୟ ସଂଗ୍ରହ କରିଛନ୍ତି । ମିହିରସେନଙ୍କ ପୂର୍ବରୁ ଦୁଇଜଣ ସିଂହଳବାସୀଙ୍କ ମଧ୍ୟରୁ ୧୯୫୮ ସାଲରେ ଶ୍ରୀ ନବରତ୍ନ ସ୍ୱାମୀ ଏବଂ ୧୯୬୩ ସାଲରେ ଶ୍ରୀ ଆନନ୍ଦନ ପାକ୍‌ ପ୍ରଣାଳୀ ସନ୍ତରଣ କରିଥିଲେ ।

 

ପାକ୍‌ ପ୍ରଣାଳୀ ସନ୍ତରଣର ସୁବିଧା ପାଇଁ ମିହିରକୁମାର ଭାରତ ସରକାରଙ୍କ ବୈଦେଶିକ ଦପ୍ତରଠାରୁ ପୂର୍ଣ୍ଣ ସହଯୋଗ ପାଇବାର ପ୍ରତିଶ୍ରୁତି ବୈଦେଶିକ ମନ୍ତ୍ରୀ ସ୍ୱରଣ ସିଂହଙ୍କଠାରୁ ପାଇଥିଲେ । ନୌବାହିନୀର ମୁଖ୍ୟ ଆଡ଼ମିରାଲ ଏ.କେ. ଚାଟର୍ଜୀ ଓ ସହକାରୀ କମାଣ୍ଡର ନାସେରକରଙ୍କଠାରୁ ନୌବାହିନୀର ସମସ୍ତ ସୁବିଧା ପାଇବାର ଅଙ୍ଗୀକାର ପାଇଥିଲେ ।

 

ସିଂହଳ ସରକାର ନୌବାହିନୀ ସହ ସୈନ୍ୟ ଓ ଅନ୍ୟାନ୍ୟ ଲୋକ ତାଙ୍କ ଉପକୂଳରେ ପ୍ରବେଶ କରିବାକୁ ଅନୁମତି ଦେବାରେ ଅସମ୍ମତ ଥିଲେ, କିନ୍ତୁ ବୈଦେଶିକ ମନ୍ତ୍ରୀ ଶ୍ରୀ ସ୍ୱରଣ ସିଂହ ଓ ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ ସେ ଅସୁବିଧା ଦୂର ହୋଇଯାଇଥିଲା ।

 

ମିହିରକୁମାର ସିଂହଳ ଉପକୂଳର ତଲାଇମାନ୍ନାର ଲାଇଟ ହାଉସ୍‌ଠାରୁ ସନ୍ତରଣ ଆରମ୍ଭ କରିବେ ଏବଂ ଭାରତର ଧନୁଷ୍କୋଟିଠାରେ ଆସି ଅବତରଣ କରିବାର ସବୁ ତଥ୍ୟ ସଂଗ୍ରହ ପରେ ଠିକ୍‌ ହେଲା । ଏହି ବାଇଶ ମାଇଲ ବିପଦସଙ୍କୁଳ ପ୍ରଣାଳୀକୁ ସନ୍ତରଣ କରିବାକୁ ଅନ୍ତତଃ ପନ୍ଦର ଘଣ୍ଟା ଲାଗିବ ବୋଲି ମିହିରକୁମାର ଆଶା କରିଥିଲେ ।

 

ମିହିରକୁମାରଙ୍କର ବିଶ୍ୱାସ ଭାରତର କ୍ରୀଡ଼ା ଜଗତ ଇତିହାସରେ ୨୭ ତାରିଖ ସେପ୍ଟେମ୍ବର ସଙ୍ଗରେ ଆଉ ଗୋଟିଏ ଦିନ ସ୍ମରଣୀୟ ହୋଇ ରହିବ । କାରଣ ସେ ୧୯୫୮ ସାଲ ୨୭ ସେପ୍ଟେମ୍ବରରେ ଇଂଲିଶ ପ୍ରଣାଳୀ ସନ୍ତରଣ କରି ବିଜୟ ଗୌରବରେ ଭୂଷିତ ହୋଇଥିଲେ ।

 

୧୯୬୬ ସାଲ ଅପ୍ରେଲ ୪ ତାରିଖ । ମିହିରକୁମାର ମାନ୍ଦ୍ରାଜଠାରୁ ଭାରତ ସରକାରଙ୍କ ନୌବାହିନୀ ଜାହାଜ ‘ସୁକନ୍ୟା’ରେ ସିଂହଳ ଯାତ୍ରା କରି ସେ ଦଳବଳ ସହ ସିଂହଳର ତଲାଇମାନ୍ନାରଠାରେ ପହଞ୍ଚିଲେ ।

 

ଏହି ବାଇଶ ମାଇଲ ବ୍ୟାପି ବିପଦସଙ୍କୁଳ ପାକ୍‌ ପ୍ରଣାଳୀ ସନ୍ତରଣ ପାଇଁ ଭାରତ ସରକାରଙ୍କ ମେରିନ ବାଇଓଲଜିକାଲ ବିଭାଗ ଓ ନୌ-ବିଭାଗ ସମସ୍ତ ଆବଶ୍ୟକୀୟ ତଥ୍ୟ ଯୋଗାଇ ଦେଇଥିଲେ । ଅପ୍ରେଲ ୩ତାରିଖ ହେଉଛି ଏହି ପ୍ରଣାଳୀ ସନ୍ତରଣର ଉପଯୁକ୍ତ ସମୟ ବୋଲି ମିହିରଙ୍କୁ ସେମାନେ ଜଣାଇଥିଲେ । ମାନ୍ଦ୍ରାଜ ସରକାରଙ୍କ ମତ୍ସ୍ୟ ବିଭାଗ ମଧ୍ୟ ସାମୁଦ୍ରିକ ତଥ୍ୟ ଯୋଗାଇ ଦେଇଥିଲେ ।

 

ମିହିରକୁମାର ସେନ ପାକ୍‌ ପ୍ରଣାଳୀ ସନ୍ତରଣ ପାଇଁ ଅପ୍ରେଲ ୫ ତାରିଖ ପ୍ରତ୍ୟୁଷରୁ ପ୍ରସ୍ତୁତ ହେଲେ । ସେ କହିଲେ, ଆଜି ଜଳବାୟୁର ଅବସ୍ଥା ଖୁବ୍‌ ଭଲ ଅଛି । ଜଳର ଉତ୍ତାପ ୯୦ ଡିଗ୍ରୀ ଏବଂ ସ୍ରୋତର ବେଗ ମଧ୍ୟ ଧୀର ରହିଥିଲା । ଏହିପରି ଭଲ ପାଗ ରହିଲେ ସେ ବାରଘଣ୍ଟା ମଧ୍ୟରେ ଏହି ବିପଦପୂର୍ଣ୍ଣ ପ୍ରଣାଳୀ ପାର ହୋଇ ରାମେଶ୍ୱରମ ନିକଟସ୍ଥ ଧନୁଷ୍କୋଟିଠାରେ ପହଞ୍ଚି ପାରିବେ ।

 

ଠିକ୍‌ ୫ ଘଣ୍ଟା ୪୦ ମିନିଟରେ ସିଂହଳର ତଲାଇମାନ୍ନାର ଉପକୂଳରେ ନୌବାହିନୀ ଜାହାଜରୁ ବନ୍ଧୁକ ସଙ୍କେତ ଗର୍ଜି ଉଠିଲା । ଏହି ସମୟରେ ମିହିରକୁମାର ପାକ୍‌ ପ୍ରଣାଳୀରେ ଅବତରଣ କଲେ । ପୂର୍ବରୁ ଭାରତ ସରକାରଙ୍କର ମଟର ଲଞ୍ଚ ପାକ୍‌ ପ୍ରଣାଳୀର ପ୍ରତି ତିନିମାଇଲ ଅନ୍ତରରେ ନଙ୍ଗର କରି ପତାକା ଉଡ଼ାଇ ସନ୍ତରଣ ପଥ ନିର୍ଦ୍ଦେଶ କରୁଥିଲେ ।

 

ମିହିରକୁମାରଙ୍କ ବାମ ଓ ଡାହାଣ ପାର୍ଶ୍ୱଦେଇ ୧୦୦ ଫୁଟ ପର୍ଯ୍ୟନ୍ତ କେଡ଼େ କେଡ଼େ ଭାରତ ସରକାରଙ୍କର ସୁକନ୍ୟା, ଶାରଦା ଓ କୋନକାନ ନୌ ଜାହାଜ ସହ ୬ ଗୋଟି ମୋଟର ବୋଟ ଦୁଇଟି ଟଣା ବୋଟ ମଧ୍ୟ ଚାଲିଥାଏ । ଉକ୍ତ ଜାହାଜରେ ଶହେଜଣ ପର୍ଯ୍ୟନ୍ତ ସମର ବିଭାଗ କର୍ମଚାରୀ ଚାଲିଥାନ୍ତି । ଲେଫଟନାଣ୍ଟ ଆଇ.କେ. ଶର୍ମା ଭାରତୀୟ ନୌ-ବିଭାଗ ପକ୍ଷରୁ ଏ ସବୁକୁ ପରିଚାଳନା କରୁଥିଲେ । ସନ୍ତରଣ ବେଳେ ରାତି ହୋଇଗଲେ ଆଲୋକର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । କେତେଜଣ ଦକ୍ଷ ନୋଳିଆ ପହଁରାଳି ମଧ୍ୟ ପହଁରି କହଁରି ସେନଙ୍କ ସଙ୍ଗରେ ଯାଉଥିଲେ । ହାଙ୍ଗର ଓ ସର୍ପସଙ୍କୁଳ ପାକ୍‌ ପ୍ରଣାଳୀରେ ଯଦି ମିହିରଙ୍କୁ ଉକ୍ତ ହିଂସ୍ରଜନ୍ତୁ ଆକ୍ରମଣ କରନ୍ତି ତାଙ୍କ କବଳରୁ ରକ୍ଷା କରିବା ପାଇଁ ଦକ୍ଷ ସୈନିକମାନେ ଗୁଳିଭରା ରିଭଲଭର ଧରି ସଙ୍ଗେ ସଙ୍ଗେ ଯାତ୍ରା କରୁଥାନ୍ତି ।

 

ଭାରତୀୟ ବିମାନ ବାହିନୀର ବିଖ୍ୟାତ ଡ୍ରାଇଭର ଦକ୍ଷ ସନ୍ତରଣକାରୀ ଲେଫଟେନାଣ୍ଟ ଜର୍ଜ ମାର୍ଟିସ ମିହିରକୁମାରଙ୍କ ସଙ୍ଗେ ସଙ୍ଗେ ରହି ଉତ୍ସାହ ଦେଇ ଚାଲିଥାନ୍ତି ।

 

ମିହିରକୁମାରଙ୍କର ମନୋବଳ ପାଇଁ ନୌବାହିନୀ ଜାହାଜରୁ ବେତାରରେ ଲଘୁ ସଙ୍ଗୀତ ପ୍ରଚାର କରାଯାଉଥାଏ ।

 

ମିହିରକୁମାରଙ୍କ ସ୍ତ୍ରୀ ଶ୍ରୀମତୀ ବେଲାସେନ ସ୍ୱାମୀଙ୍କ ବିଜୟ କାମନା କରି ସିଂହଳ ଯାତ୍ରା ପୂର୍ବରୁ ରାମେଶ୍ୱରମ ମନ୍ଦିରରେ ପୂଜା ଅର୍ଚ୍ଚନା କରିଆସିଥିଲେ ।

 

ଏହି ଅଭିଯାନରେ ଶ୍ରୀ ମିହିରଙ୍କର ସ୍ତ୍ରୀ ଶ୍ରୀମତୀ ବେଲାସେନ, କନିଷ୍ଠ ଭ୍ରାତା କଲ୍ୟାଣ ଏବଂ ଦୁଇ କନ୍ୟା ଗୋଟିଏ ଲଞ୍ଚରେ ମିହିରଙ୍କ ସଙ୍ଗେ ସଙ୍ଗେ ରହିଥିଲେ । ସମୟ ଅନୁସାରେ ମଝିରେ ମଝିରେ କଫି ଓ ଗ୍ଲୁକୋଜ ପାଣି ପିଇବାକୁ ଦେଉଥିଲେ ।

 

ଗୋଟିଏ ମଟର ଲଞ୍ଚରେ ଜରୋରୀ ଆବଶ୍ୟକ ପାଇଁ ଡାକ୍ତରମାନେ ଓ ଡାକ୍ତରୀ ଔଷଧପତ୍ର ମଧ୍ୟ ସଙ୍ଗରେ ଚାଲିଥାଏ ।

 

ରାମନାଥପୁରମ୍‌ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ମୋହନ ଦାସ ଓ ସମ୍ବାଦପତ୍ରର କ୍ରୀଡ଼ା ସାମ୍ବାଦିକମାନେ ମଧ୍ୟ ସଙ୍ଗରେ ରହିଥିଲେ ।

 

ମିହିରକୁମାର ସନ୍ତରଣକାରି ଚାଲିଥିବାବେଳେ ଦିନ ଗୋଟାଏ ସମୟରେ ଏକ ବିଷଧର ସର୍ପଦ୍ୱାରା ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଲେଫଟନାଣ୍ଟ ଜର୍ଜ ମାର୍ଟିସ ଗୁଳିକରି ଉକ୍ତ ସର୍ପଟିକୁ ମାରିଦେଇଥିଲେ ।

 

ରାତି ୮ଟାଠାରୁ ସମୁଦ୍ର ଭୟଙ୍କର ରୂପ ଧାରଣ କଲା ଏବଂ ଉତ୍ତାଳ ତରଙ୍ଗ ମଧ୍ୟରେ ସନ୍ତରଣ କରି ଯାତ୍ରା କରିବା କଷ୍ଟକର ହୋଇପଡ଼ିଲା । ତଥାପି ମିହିରକୁମାରଙ୍କର ଅଦ୍ଭୁତ ମନୋବଳ ଯୋଗୁଁ ସେ ଆଗେଇ ଚାଲିଥାନ୍ତି ।

 

ପ୍ରଥମେ ପ୍ରଥମେ ମିହିରକୁମାର ଭଲଭାବରେ ସନ୍ତରଣ କରି ଚାଲିଲେ । ସେତେବେଳେ ସେ ଘଣ୍ଟାକରେ ଏକ ମାଇଲରୁ ଊର୍ଦ୍ଧ୍ୱ ସନ୍ତରଣ କରୁଥାନ୍ତି । ଏହିପରି ଭାବରେ ବାର ମାଇଲ ପଥ ଅତିକ୍ରମ କରିବା ପରେ ଆରମ୍ଭ ହେଲା ପ୍ରକୃତି ସଙ୍ଗରେ ସଂଗ୍ରାମ । ପ୍ରବଳ ପବନ, ଭୀଷଣ ସ୍ରୋତ, ଉତ୍ତାଳ ତରଙ୍ଗର ସେ ସମ୍ମୁଖୀନ ହେଲେ; କିନ୍ତୁ ମିହିରକୁମାର ପ୍ରତିକୂଳ ପରିବେଶ ସଙ୍ଗରେ ସଂଗ୍ରାମ କରି କରି ଆଗେଇ ଚାଲିଲେ । ଗତି ତାଙ୍କର ମନ୍ଥର ହେଲେ ମଧ୍ୟ ସେ ଅବିଚଳିତ ଭାବରେ ଅଗ୍ରସର ହେଉଥାନ୍ତି । ଭ୍ରାତା କଲ୍ୟାଣ କେତେଜଣ ଡାକ୍ତର ଓ ନୌ ଅଫିସରମାନେ କାଳେ କିଛି ବିପଦ ଘଟିବ ସେ ପାଇଁ ସବୁବେଳେ ତତ୍ପର ରହିଥାନ୍ତି ।

 

ହିଂସ୍ର ହାଙ୍ଗର ଓ ବିଷଧର ସର୍ପ ପାକ୍‌ ପ୍ରଣାଳୀ ଅଭିଯାନରେ ସବୁଠାରୁ ବଡ଼ ବାଧା ବୋଲି ମନେକରାଯାଉଥିଲା । କିନ୍ତୁ ଏ କ୍ଷେତ୍ରରେ ଦେଖାଗଲା ଏହା ଅପେକ୍ଷା ସବୁଠାରୁ ବଡ ବାଧା ହେଲା ପ୍ରବଳ ସ୍ରୋତ ଓ ଝଡ଼ବତାସ । ତା’ପରେ ପୂର୍ବଦିନ ପୂର୍ଣ୍ଣିମା ଥିବାରୁ ସମୁଦ୍ର ପ୍ରବଳ ଭାବରେ ଫୁଲିଉଠିଥିଲା ।

 

ମିହିରକୁମାର ସନ୍ତରଣ ବେଳକୁ ସମ୍ପୂର୍ଣ୍ଣ ସୁସ୍ଥ ନ ଥିଲେ ଦୁଇଦିନ ପୂର୍ବରୁ ତଣ୍ଟି ବ୍ୟଥାରେ କଷ୍ଟ ପାଉଥିଲେ । ସନ୍ତରଣ ବେଳେ ଦେହ ଟିକେ ଖରାପ ଜଣାଯାଉଥିଲେ ମଧ୍ୟ ମନ ଦୃଢ଼ ଥିଲା ଓ ସେ ପ୍ରତିଜ୍ଞାରେ ଅଟଳ ରହିଥିଲେ । ତଥାପି ତାଙ୍କର ୩ ତାରିଖରେ ସନ୍ତରଣ କରିବାର ସ୍ଥିର ହୋଇଥିଲା । କିନ୍ତୁ ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ଉକ୍ତ ଦିନକୁ ଘୁଞ୍ଚାଇ ଦେଇ ୫ ତାରିଖକୁ ସ୍ଥିର କରାଯାଇଥିଲା ।

 

ମଙ୍ଗଳବାର ସୂର୍ଯ୍ୟ ଅସ୍ତ ସମୟ । ସେତେବେଳକୁ ଭାରତର ମାଟି ମିହିରକୁମାରଙ୍କ ନିକଟରୁ ଆହୁରି ଛ’ମାଇଲ ଦୂର । ସେ ଛ’ମାଇଲକୁ ଅତିକ୍ରମ କରିବାକୁ ମିହିରକୁମାରଙ୍କୁ ଅନ୍ତତଃ ମଧ୍ୟ ରାତ୍ରି ଯାଏ ଲାଗିଯିବ ।

 

ରାତି ୩ଟା ୧୫ ମିନିଟ ବେଳକୁ ଆଉ ଅଢ଼ାଇ ମାଇଲ ପଥ ରହିଲା । ବୁଧବାର ପ୍ରାତଃ କାଳ ୭ଟା ୨୪ ମିନିଟରେ ମିହିରକୁମାର ଭାରତର ସମୁଦ୍ର ତୀର ସ୍ପର୍ଶ କଲେ । ସେ ଧନୁଷ୍କୋଟିଠାରେ ପବିତ୍ର ଭାରତ ଭୂମି ସ୍ପର୍ଶକରି ତାକୁ ଚମ୍ବନ କଲେ । ବାଇଶ ମାଇଲ ସମୁଦ୍ରକୁ ଅତିକ୍ରମ କରିବାକୁ ମିହିରକୁମାରଙ୍କୁ ୨୫ ଘଣ୍ଟା ୪୪ ମିନିଟ ଲାଗିଲା ।

 

ମିହିରକୁମାର ଧନୁଷ୍କୋଟି ସମୁଦ୍ର କୂଳ ସ୍ପର୍ଶ କଲାବେଳେ ତାଙ୍କ ହାତର ଆଙ୍ଗୁଳି ଶେତା ଓ ଆଖି ଲାଲ ଲାଲ ହୋଇଯାଇଥିଲା । ମିହିରକୁମାର ପ୍ରଥମେ ଆସି କହିଲେ, ‘‘ମୁଁ ଜୟୀ, ମୋର ମନବଳହିଁ ଜୟର ପାଥେୟ ।’’

 

ଶ୍ରୀମତୀ ବେଲାସେନ ଧୀରେ ଧୀରେ ସ୍ୱାମୀଙ୍କ ନିକଟକୁ ଯାଇ ଆନନ୍ଦରେ ସ୍ୱାମୀଙ୍କୁ ଧରିପକାଇ କାନ୍ଦିଉଠିଥିଲେ ।

 

ସଙ୍ଗେ ସଙ୍ଗେ ଚାରିଆଡ଼ୁ ରାଶି ରାଶି ଫୁଲର ମାଳାରେ ମିହିରକୁମାର ପୋତି ହୋଇପଡ଼ିଲେ ।

 

ମିହିରକୁମାର ମଙ୍ଗଳବାର ରାତ୍ରି ମଧ୍ୟ ବେଳକୁ ଧନୁଷ୍କୋଟିରେ ପହଞ୍ଚିବାର ଆଶା କରାଯାଉଥିଲା । କିନ୍ତୁ ଇଣ୍ଟର କରେଣ୍ଟ ଯୋଗୁଁ ତାଙ୍କୁ କଠିନ ସଂଗ୍ରାମ କରି ଆଗେଇବାକୁ ପଡ଼ିଲା । ସେତେବେଳକୁ ତାଙ୍କର ମନୋବଳ ଭାଙ୍ଗିପଡ଼ିଲା । କିନ୍ତୁ ବିମାନ ବାହିନୀ ଅଫିସର ଜର୍ଜ ମାର୍ଟିସ ଶ୍ରୀ ମିହିରଙ୍କୁ ଉତ୍ସାହ ଦେଇ ଅନୁପ୍ରାଣିତ କରି କରି ଚାଲିଥାନ୍ତି ।

 

ମିହିରକୁମାର କହିଲେ ତାଙ୍କର କନ୍ୟା ଚନ୍ଦ୍ରାର ଉତ୍ସାହ ମଧ୍ୟ କମ୍‌ ନୁହେଁ । ଚନ୍ଦ୍ରା କହିଥିଲା, ‘‘ବାପା, ତୁମେ ଯଦି ପହଁରିବା ବନ୍ଦ କରିଦିଅ, ତେବେ ସ୍କୁଲର ବନ୍ଧୁମାନଙ୍କ ନିକଟରେ ମୁଁ ମୁହଁ ଦେଖାଇବି କିପରି ?’’

 

ଶ୍ରୀ ସେନଙ୍କର ଏହି ସାଫଲ୍ୟ ସନ୍ତରଣ ଅଭିଯାନ ନୌବାହିନୀର ଲେଫଟନାଣ୍ଟ ଇନ୍ଦ୍ରଜିତ ଶର୍ମାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ତାଙ୍କର କୃତିତ୍ୱ ଖୁବ୍‍ ଅଧିକ ।

 

ଅଭିନନ୍ଦନ

 

ପାକ୍‌ ପ୍ରଣାଳୀ ସନ୍ତରଣରେ ବିଜୟ ଲାଭ କରିବା ପରେ ମିହିରକୁମାରଙ୍କୁ ଅଭିନନ୍ଦନ ଜଣାଇ ଭାରତର ବିଶିଷ୍ଟ ବ୍ୟକ୍ତିମାନେ ଯେଉଁ ଅଭିନନ୍ଦନ ବାର୍ତ୍ତାମାନ ପଠାଇଥିଲେ ତାହା ଏଠାରେ ଉଲ୍ଲେଖ କରାଯାଉଛି ।

 

ଭାରତର ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ–‘‘ମୁଁ ତୁମର ପାକ୍‌ ପ୍ରଣାଳୀ ସନ୍ତରଣ କ୍ଷେତ୍ରରେ ଅଭୂତପୂର୍ବ ଦକ୍ଷତା, ଉତ୍ସାହ ଓ କୃତୀ ଦେଖି ମୋ ଅନ୍ତରର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ ଜଣାଉଛି ।’’

 

ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତା ଇନ୍ଦିରା ଗାନ୍ଧୀ–‘‘ମୁଁ ମିହିର ସେନଙ୍କର ବିଚକ୍ଷଣ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି । ତାଙ୍କର କୃତିତ୍ୱପୂର୍ଣ୍ଣ ପାକ୍‌ ପ୍ରଣାଳୀ ସନ୍ତରଣ ଅନ୍ୟ ଦିଗରେ ଭାରତୀୟ ଯୁବ ସମାଜକୁ ରୋମାଞ୍ଚକର ଜୀବନ ପାଇଁ ଉତ୍ସାହ ଯୋଗାଇଛି ।’’

 

ଭାରତ ନୌବାହିନୀର ଭାଇସ୍‌ ଆଡ଼ମିରାଲ ଶ୍ରୀଯୁକ୍ତ ଏ.କେ. ଚାଟର୍ଜୀ–‘‘ତୁମର ପ୍ରବଳ ବିପଦସଙ୍କୁଳ ପଥର ଏହି ଗୌରବପୂର୍ଣ୍ଣ ବିଜୟ ନିର୍ବିଚାରରେ ନିଶ୍ଚୟ ପ୍ରତ୍ୟେକ ସନ୍ତରଣପ୍ରେମୀଙ୍କୁ ଅପୂର୍ବ ପ୍ରେରଣା ଦେବ । ତୁମର ରୋମାଞ୍ଚକର ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏ ଜାତିର ଯୁବ ପ୍ରାଣପାଇଁ ଏକ ମହାନ ଆଦର୍ଶ ରୂପେ ଚିର ଜାଗ୍ରତ ହୋଇ ରହିବ ।’’

 

ଭାରତ ସରକାରଙ୍କ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଏମ୍‌.ସି. ଚଗଲା–‘‘ତୁମର ବୀରତ୍ୱପୂର୍ଣ୍ଣ ପାକ୍‌ ପ୍ରଣାଳୀ ବିଜୟ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ନିଶ୍ଚିତ ଭାବରେ କହିବି ଯେ ତୁମର ଏ ଅପୂର୍ବ ସାହସିକ କାର୍ଯ୍ୟ ସାରା ଭାରତବାସୀଙ୍କ ପାଇଁ ଗର୍ବର ବିଷୟ ଏବଂ ତାହା ଭାରତକୁ ଆନ୍ତର୍ଦ୍ଦେଶୀୟ ସନ୍ତରଣ କ୍ଷେତ୍ରରେ ସର୍ବାଗ୍ରେ ସ୍ଥାନ ଦେବ ।’’

 

ପଶ୍ଚିମବଙ୍ଗ ଗଭର୍ଣ୍ଣର ଶ୍ରୀଯୁକ୍ତା ପଦ୍ମଜା ନାଇଡ଼ୁ–‘‘ଆମେ ସମସ୍ତେ ତୁମର ଧୈର୍ଯ୍ୟ ଓ ସାହସ ପାଇଁ ଗର୍ବିତ । ସେଥିପାଇଁ ମୁଁ ତୁମକୁ ଆନ୍ତରିକ କୃତଜ୍ଞତା ଜଣାଉଛି ।’’

 

ଭାରତର ଏୟାର ମାର୍ଶାଲ ଓ ଭାରତ ସୁଇମିଂ ଫେଡ଼ରେସନର ସଭାପତି ଶ୍ରୀଯୁକ୍ତ ଅର୍ଜ୍ଜୁନ ସିଂ–‘‘ମୁଁ ତୁମର ପାକ୍‌ ପ୍ରଣାଳୀ ସନ୍ତରଣର କୃତୀ ପଦକ୍ଷେପ ଏହି ଶୁଭ ପ୍ରଭାତରେ ଶୁଣି ଆନନ୍ଦରେ ଉଦ୍ବେଳିତ ହୋଇ ଉଠୁଛି ।

 

ବାସ୍ତବିକ ଏହା ଏକ ଚିତ୍ତାକର୍ଷକ ଉଦାହରଣ ହୋଇ ଆମ ଯୁବ ସମାଜ ପାଇଁ ରହିବ । ତୁମେ ବୀରଭଳି ବିପଦକୁ ଭୟ ନ କରି ହାଙ୍ଗର, ବିଷଧର ସର୍ପସଙ୍କୁଳ ବିରାଟ ସମୁଦ୍ରକୁ ସନ୍ତରଣ କରି ନିଜର ସୁସ୍ଥ, ସବଳତାର ଦକ୍ଷତା ଦର୍ଶାଇଛି ।

 

ତୁମେ ନିଶ୍ଚିତ ଭାବରେ ଆନ୍ତର୍ଦେଶୀୟ ଦୀର୍ଘ ଦୂରତ୍ୱ ସନ୍ତରଣକାରୀଙ୍କ ନିକଟରେ ଗର୍ବର ସହିତ ଏକ ସମ୍ମାନାଷ୍ପଦ ଆସନ ଗ୍ରହଣ କରିବ । ସନ୍ତରଣ ସଂଘ ତୁମର ଏହି ଅଦ୍ଭୁତ ବିଜୟ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।’’

 

ଏତଦ୍‌ବ୍ୟତୀତ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପି.ସି. ସେନ, କଲିକତା କର୍ପୋରେସନର ମେୟର ଡକ୍ଟର ପି.କେ. ରାୟଚୌଧୁରୀ, ଅମୃତ ବଜାର ପତ୍ରିକାର ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସରକାର, ମାନ୍ଦ୍ରାଜର ଗଭର୍ଣ୍ଣର ଓ ମାନ୍ଦ୍ରାଜର ମୁଖ୍ୟମନ୍ତ୍ରୀ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନବାର୍ତ୍ତା ପଠାଇଥିଲେ ।

 

ପାକ୍‌ ପ୍ରଣାଳୀ ସନ୍ତରଣ ଅଭିଜ୍ଞତା

 

ସଦା ବିପଦସଙ୍କୁଳ ଓ ଭୟାବହ ହେଉଛି ଭାରତ ସିଂହଳ ମଧ୍ୟସ୍ଥ ପାକ୍‌ ପ୍ରଣାଳୀ । ମିହିରକୁମାର ଏହି ପ୍ରଣାଳୀ ସନ୍ତରଣକରି ବିଜୟ ଲାଭ କଲେ । ସେ ଏହି ପ୍ରଣାଳୀ ଜୟକରି ସନ୍ତରଣ କ୍ଷେତ୍ରରେ ନୂତନ ପରମ୍ପରା ସୃଷ୍ଟିକଲେ । ତାଙ୍କର ଏହି ବିଜୟରେ ସମଗ୍ର ଭାରତବାସୀ ଗର୍ବିତ ।

 

ପାକ୍‌ ପ୍ରଣାଳୀ ସନ୍ତରଣରେ ମିହିରକୁମାର ଯେଉଁ ଅଭିଜ୍ଞତା ଅର୍ଜନ କଲେ, ସେ ସମ୍ପର୍କରେ ସେ କହିଛନ୍ତି, ‘‘ଇଂଲିଶ ପ୍ରଣାଳୀ ଓ ପାକ୍‌ ପ୍ରଣାଳୀ-ସନ୍ତରଣ ଅଭିଯାନ ମଧ୍ୟରେ ଇଂଲିଶ ପ୍ରଣାଳୀ ସନ୍ତରଣ ଅବଶ୍ୟ କଷ୍ଟଦାୟକ ସତ୍ୟ କିନ୍ତୁ ପାକ୍‌ ପ୍ରଣାଳୀରେ ଅଜଣା ବିପଦ ଖୁବ୍ ଅଧିକ । ଏହି ପ୍ରଣାଳୀରେ ବିଷଧର ସର୍ପ, ହାଙ୍ଗର ଓ ଝଡ଼ ଝଞ୍ଜାର ଆଶଙ୍କା ସବୁବେଳେ ରହିଛି । ଏହା ବ୍ୟତୀତ ଲୁକ୍‌କାୟିତ ପ୍ରସ୍ତର ପାଣି ମଧ୍ୟରେ ଅନେକ ରହିଛି । ସବୁ ଅପେକ୍ଷା ବଡ଼ କଥା ହେଉଛି ଇଂଲିଶ ପ୍ରଣାଳୀର ଚରିତ୍ର ପୂର୍ବରୁ ଜଣା ଯାଇଥାଏ ଏବଂ କେତେବେଳେ ସେ ରୂଦ୍ରମୂର୍ତ୍ତି ଧରିବ ତା’ର ଆଭାସ ମଧ୍ୟ ବହୁ ଆଗରୁ ମିଳିଥାଏ । କିନ୍ତୁ ପାକ୍‌ ପ୍ରଣାଳୀ ଚରିତ୍ର ପୂର୍ବରୁ ଜାଣିବା ବଡ଼ କଷ୍ଟକର କଥା । ପାକ୍‌ ପ୍ରଣାଳୀ ସମ୍ବନ୍ଧରେ ଏ ପର୍ଯ୍ୟନ୍ତ ବିଶେଷ ଗବେଷଣା କରାଯାଇନାହିଁ । ମିହିରକୁମାର ଏହି ପ୍ରଣାଳୀରେ ଥିବା ସର୍ପମାନଙ୍କ କଥା କହିବାକୁ ଯାଇ କହିଛନ୍ତି, ଭାରତ ସରକାରଙ୍କ ବାଇଓଲଜିକାଲ ଆସୋସିଏସନଙ୍କ ରିପୋର୍ଟରୁ ଜଣାଯାଇଛି ଯେ ପାକ୍‌ ପ୍ରଣାଳୀ ମଧ୍ୟରେ ଥିବା ସର୍ପମାନଙ୍କର ବିଷ ଆମ ଦେଶର ଗୋଖର ସର୍ପ ବିଷଠାରୁ ତୀବ୍ର । ଉକ୍ତ ସର୍ପ ଦଂଶନ କରିବାର ଦୁଇମିନିଟ୍‌ ମଧ୍ୟରେ ଯେକୌଣସି ପ୍ରାଣୀର ମୃତ୍ୟୁ ଅବଶ୍ୟମ୍ଭାବୀ । ଏହି ସର୍ପମାନେ ସେପରି ଭାବରେ ଦଂଶନ କରନ୍ତି ନାହିଁ । କିନ୍ତୁ ସନ୍ତରଣକାରୀର ବିପଦ ହେଉଛି ଏହି ଯେ ସନ୍ତରଣବେଳେ ଏମାନଙ୍କ ଦେହରେ ସନ୍ତରଣକାରୀଙ୍କ ହାତ ବା ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବାଜିଗଲେ ସେ ଦଂଶନ କରିଥାନ୍ତି । ଏହି ଜାତୀୟ ସର୍ପମାନଙ୍କର ସଂଖ୍ୟା ଏ ପ୍ରଣାଳୀରେ ଖୁବ୍‌ ଅଧିକ । ସେ କହିଛନ୍ତି, ମୁଁ ପାକ୍‌ ପ୍ରଣାଳୀ ସନ୍ତରଣ କରୁଥିବା ସମୟରେ ଗୋଟିଏ ବିଷଧର ସର୍ପ ମୋ ନିକଟରୁ ୩।୪ ଫୁଟ ଦୂରରେ ସନ୍ତରଣ କରି ଆସୁଥିଲା । ସେ ଆସିବା ବିଷୟରେ ମୋର ଆଦୌ ଧାରଣା ନ ଥିଲା । ଲେଫଟନାଣ୍ଟ ଜର୍ଜ ମାର୍ଟିସ୍‌ ହଠାତ୍‌ ଦେଖିଲାକ୍ଷଣି ତାକୁ ଗୁଳିକରି ମାରି ଦେଇଥିଲେ । ପାକ୍‌ ପ୍ରଣାଳୀରେ ହାଙ୍ଗରମାନେ ବସାବାନ୍ଧି ରହିଛନ୍ତି । ମୋ ନିକଟରେ ହାଙ୍ଗର ପ୍ରତିଷେଧକ ଔଷଧ ଥିବାରୁ ସେମାନଙ୍କ ଆକ୍ରମଣରୁ ମୁଁ ରକ୍ଷା ପାଇଥିଲି ।

 

ମୁଁ ପାକ୍‌ପ୍ରଣାଳୀକୁ ୧୪।୧୫ ଘଣ୍ଟା ମଧ୍ୟରେ ସନ୍ତରଣ କରିଯିବାକୁ ଭାବିଥିଲି, କିନ୍ତୁ ମୋର ସନ୍ତରଣ ଗତି ପଥର ଟିକିଏ ଭୁଲ ହେଲା, ତା’ଛଡ଼ା ପୂର୍ଣ୍ଣମୀ ରାତି ଯୋଗୁଁ ଉତ୍ତାଳତରଙ୍ଗ ଆରମ୍ଭ ହୋଇଗଲା । ୧୦।୧୨ ଫୁଟର ଉଚ୍ଚ ତରଙ୍ଗର ପ୍ରତିକୂଳ ସ୍ରୋତକୁ କାଟି କାଟି ଯିବାକୁ ପଡ଼ିଥିଲା ଏବଂ ପଛକୁ ହଟି ଆସି ୨୨ ମାଇଲ ସ୍ଥାନରେ ୪୦ ମାଇଲ ପଥ ଅତିକ୍ରମ କରିବାକୁ ପଡ଼ିଲା ।’’

 

ମୁଁ ରାତିରେ ସନ୍ତରଣ କରୁଥିବା ବେଳେ ମୋ ଆଖିରେ ନିଦ ଆଦୌ ନଥିଲା, ମୁଁ ଖାଇବା ପିଇବା କଥା ସଂପୂର୍ଣ୍ଣ ଭୁଲିଯାଇଥିଲି । କେବଳ ଏକମାତ୍ରା ଚିନ୍ତା ଓ ଉତ୍କଣ୍ଠା ଥିଲା କେତେବେଳେ ଯାଇଁ ମୁଁ ମୋ’ ଜନ୍ମଭୂଇଁର ଧନୁଷ୍କୋଟିଠାରେ ପହଞ୍ଚିବି । ସେହି ଚିନ୍ତାରେ ମୁଁ ସବୁକଥା ଭୁଲି ଯାଇଥିଲି ।’’ ମିହିରକୁମାର କହିଲେ, ମୋ’ ପରେ ଯଦି କେହି ପାକ୍‌ ପ୍ରଣାଳୀ ସନ୍ତରଣ କରିବାକୁ ଇଚ୍ଛା କରନ୍ତି ସେମାନଙ୍କୁ ମୋର ଉପଦେଶ ଯେ ସେମାନେ ପ୍ରଣାଳୀର ସମସ୍ତ ଅବସ୍ଥା ଭଲଭାବରେ ନ ଜାଣି ଓ ଭଲଭାବରେ ପ୍ରସ୍ତୁତ ନ ହୋଇ ଏହି ଅଭିଯାନରେ ଅବତୀର୍ଣ୍ଣ ହେବା ଉଚିତ ନୁହେଁ । ତାହାର କାରଣ ହେଉଛି ଧନୁଷ୍କୋଟି ଏକ ସଂରକ୍ଷିତ ଅଞ୍ଚଳ, ମଣ୍ଡପମ୍‌ଠାରୁ ନିକଟବର୍ତ୍ତୀ ସହର ପ୍ରାୟ ୫୦ ମାଇଲ ଦୂର । ସେଠାରେ ନୌକାର ସୁବିଧା ଆଦୌ ନାହିଁ । ଏହାଛଡ଼ା ଆହୁରି ଅନେକ ଅସୁବିଧା ମଧ୍ୟ ରହିଛି । ମୁଁ ଯଦି ଭାରତ ସରକାରଙ୍କର ସମସ୍ତ ସହାୟତା ନପାଇଥାନ୍ତି ତେବେ ଏହି ଅଭିଯାନର ସଫଳତା ଲାଭ କରିବାରେ ଖୁବ୍‌ ସନ୍ଦେହ ଥିଲା ।

 

ମୋର ଏହି ବିଜୟରେ ଭାରତ ସରକାରଙ୍କ ନୌବାହିନୀ ଅଫିସର, ସୈନିକ, ଏବଂ ଅନ୍ୟ ସହଯାତ୍ରୀମାନଙ୍କର ଭୂମିକା କାହାରି କମ୍‌ ନୁହେଁ । ସମସ୍ତଙ୍କଠାରୁ ମୋର ସ୍ତ୍ରୀ ବେଲାଙ୍କର ପ୍ରେରଣା ମଧ୍ୟ କିଛି କମ୍‌ ନ ଥିଲା ।’’

 

ଚାରି

ସପ୍ତସିନ୍ଧୁର ଆହ୍ୱାନ

 

ମିହିରକୁମାର ନିମ୍ନ ପ୍ରବନ୍ଧଟି ଲେଖିଛନ୍ତି । ତାହା ବଡ଼ କୌତୂହଳପ୍ରଦ ଓ ଚିନ୍ତାପୂର୍ଣ୍ଣ । ସେଥିପାଇଁ ତାହା ଉଲ୍ଲେଖ କରିବାର ଆବଶ୍ୟକ ବୋଲି ଅବତାରଣା କରାଗଲା ।

 

‘‘ମୁଁ ଭାରତ ମହାସାଗର ସମେତ ଏକମାସ ମଧ୍ୟରେ ତିନିଟି ଆନ୍ତର୍ଜ୍ଜାତିକ ସନ୍ତରଣରେ ଅବତୀର୍ଣ୍ଣ ହେବାର ଯେଉଁ ସିଦ୍ଧାନ୍ତ ନେଇଛି ତାହା ମୋଟେ ଆକସ୍ମିକ ନୁହେଁ । ଭୟଙ୍କର ଇଂଲିଶ ପ୍ରଣାଳୀ ସଙ୍ଗରେ ସଂଗ୍ରାମ ସମୟଠାରୁ ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ସନ୍ତରଣ ସୂଚୀ ଅନୁସରଣ କରି ଚାଲିଛି । ଭାରତ ମହାସାଗରର ଭୟାବହତା ଏବଂ ଏହା ସଙ୍ଗରେ ମୋର ହୃଦୟର ନିବିଡ଼ ସମ୍ପର୍କ ମୋତେ ଏହି ସମୁଦ୍ର ଅତିକ୍ରମ କରିବାକୁ ଯଥେଷ୍ଟ ଉତ୍ସାହ ଓ ପ୍ରେରଣା ଦେଇଛି । ସେହି ମନୋବଳ ନେଇ ମୁଁ ପାକ୍‌ପ୍ରଣାଳୀ ଜୟ କରିବାକୁ ସକ୍ଷମ ହେଲି । ଆନ୍ତର୍ଜାତିକ ସନ୍ତରଣ କ୍ଷେତ୍ରରେ ମନୁଷ୍ୟ ପକ୍ଷରେ ସନ୍ତରଣ କରି ପାର ହେବାପରି ଜଳାଶୟ ପୃଥିବୀରେ ଖୁବ୍‌ କମ୍‌ ଅଛି । ସେଥିପାଇଁ ଇଂଲିଶ ପ୍ରଣାଳୀ ଏବଂ ପାକ୍‌ ପ୍ରଣାଳୀକୁ ଛାଡ଼ିଦେଲେ ଜିବ୍ରାଲଟର, ବସ୍‌ଫରସ୍‌ ଏବଂ ଦାର୍ଦ୍ଦନେଲିସ୍‌ ପ୍ରଣାଳୀ ସନ୍ତରଣ କରିବାର ସିଦ୍ଧାନ୍ତ କରିଛି ।

 

୧୪ ମାଇଲ ପ୍ରଶସ୍ତ ଜିବ୍ରାଲଟର ପ୍ରଣାଳୀ ଏକ ଦିଗରେ ଯେପରି ଆଟଲାଣ୍ଟିକ ମହାସାଗରକୁ ଭୂମଧ୍ୟସାଗର ସଙ୍ଗରେ ସଂପୃକ୍ତ କରିଛି, ସେହିପରି ଅନ୍ୟ ଦିଗରେ ସ୍ପେନକୁ ମରକ୍‌କୋଠାରୁ ବିଛିନ୍ନ କରିଛି ।

 

ଦୀର୍ଘ ୨୦ମାଇଲ ଲମ୍ବ ବସଫରସ୍‌ ପ୍ରଣାଳୀ ଇଉରୋପ ଏବଂ ଏସିଆର ସୀମାକୁ ନିର୍ଦ୍ଦିଷ୍ଟ କରିବା ଛଡ଼ା ରୁଷିଆକୁ ତୁର୍କିଠାରୁ ବିଚ୍ଛିନ୍ନ କରି ରଖିଛି । କୃଷ୍ଣସାଗର ସଙ୍ଗରେ ମର୍ମରାର ସଂଯୋଗ ମଧ୍ୟ ସମ୍ଭବ କରିପାରିଛି ବସ୍‌ଫରସ୍‌ ପ୍ରଣାଳୀ ।

 

୪୦ ମାଇଲ ଦୀର୍ଘ ବସ୍‌ଫରସ (ବା ହେଲେସ ପଣ୍ଟ) ଇଉରୋପ ଏବଂ ଏସିଆ ମଧ୍ୟରେ ଐତିହାସିକ ଏବଂ ପ୍ରାକୃତିକ ସୀମା ସୃଷ୍ଟି କରି ଦୁଇ ମହାଦେଶକୁ ବିଭକ୍ତ କରିଛି । ମର୍ମରାସାଗର ସଙ୍ଗରେ ଏଜେନା ସାଗର ସଂଯୋଗକାରୀ ପ୍ରଣାଳୀ ମାତ୍ର ।

 

ଜିବ୍ରାଲଟର, ବସ୍‌ଫରସ, ଏବଂ ଦାର୍ଦ୍ଦଲେନିସ ସାଗରରେ ସନ୍ତରଣ କରିବାକୁ ଦୀର୍ଘ ସାତବର୍ଷ ଧରି ବ୍ୟାକୁଳ ପ୍ରତ୍ୟାଶା ଘେନି ମୁଁ ସମୟ ବିତାଇଛି ।

 

ମୁଁ ଯଦି ଏଥର ତିନିଟି ପ୍ରଣାଳୀ ସନ୍ତରଣ କରିପାରେ, ତେବେ ସପ୍ତସିନ୍ଧୁ ସନ୍ତରଣ କରିବାର ଆନନ୍ଦରେ ମୁଁ ପରିତୃପ୍ତ ହେବି ।

 

କାରଣ ଜିବ୍ରାଲଟର ଓ ବସ୍‌ଫରସ ଏହି ଦୁଇଟି ପ୍ରଣାଳୀରେ ଚାରୋଟି ସାଗରର ଜଳ ପ୍ରବାହିତ । ଯେପରି ଆଟଲାଣ୍ଟିକ ସାଗର, ଭୂମଧ୍ୟସାଗର, କୃଷ୍ଣସାଗର ଏବଂ ମର୍ମରାସାଗର । ପୁଣି ଦାର୍ଦ୍ଦନେଲିସ ପ୍ରଣାଳୀରେ ମଧ୍ୟ ଏଜେନା ସାଗର ଓ ମର୍ମରାସାଗରର ଜଳ ଯୁକ୍ତ ହୋଇଛି । ସୁତରାଂ ଏହି ପାଞ୍ଚୋଟି ସାଗର ସଙ୍ଗରେ ଇଂଲିଶ ପ୍ରଣାଳୀ (ନର୍ଥ ସି) ଓ ଭାରତ ମହାସାଗର (ପାକ ପ୍ରଣାଳୀ)କୁ ଯୁକ୍ତ କଲେ ମୋଟ ସାଗରର ସଂଖ୍ୟା ହେଉଛି ସାତ । ଇଂଲିଶ ପ୍ରଣାଳୀ ଏବଂ ପାକ୍‌ ପ୍ରଣାଳୀ ପୂର୍ବରୁ ପାରିହୋଇ ସାରିଛି, ବର୍ତ୍ତମାନ ଜିବ୍ରାଲଟର, ବସ୍‌ଫରସ ଏବଂ ଦାର୍ଦ୍ଦନେଲିସ୍‌ ପ୍ରଣାଳୀ ପାରି ହୋଇ ପାରିଲେ ମୋର ସପ୍ତସାଗର ସନ୍ତରଣ ସ୍ୱପ୍ନ ସାର୍ଥକ ହେବ ।

 

ଜିବ୍ରାଲଟର

 

ପ୍ରଚ୍ୟଠାରୁ ଭ୍ରମଣ ଆରମ୍ଭ କରି ମନୋରମ ଭୂମଧ୍ୟସାଗରୀୟ ଅଞ୍ଚଳ ପାରହେବା ପରେ ପଥିକ ପାଇଁ ଅପେକ୍ଷା କରିଥାଏ ବାସ୍ତବତାର ଅବିସ୍ମରଣୀୟ ପ୍ରତୀକ ଜିବ୍ରଲାଟର । ଜିବ୍ରାଲଟରକୁ ପସନ୍ଦ ନ କଲେ ମଧ୍ୟ ତାକୁ କେହି ଅବହେଳା କରିପାରିବ ନାହିଁ । ପନ୍ଦର ବର୍ଷ ପୂର୍ବେ ଇଉରୋପର ଏହି ଉପକୂଳଭୂମି ପ୍ରଥମ ଦର୍ଶନର ସୁଖ ସ୍ମୃତି ମୋ ହୃଦୟରେ ଆଜି ମଧ୍ୟ ଭାସ୍ୱର । ହଠାତ୍‌ ଭୟଙ୍କର ବିକ୍ଷୁବ୍‌ଧ ଏହାର ତରଙ୍ଗାଘାତ ଯେପରି ଶକ୍ତି ନିକଟରେ ପ୍ରକୃତିର ଏକ ନାଟକୀୟ ବିକ୍ଷୋଭ ।

 

୭୧୧ ସାଲର କଥା । ମୁର ଅଭିଯାନର ଆରବୀୟ ନେତା ତାରିଖ-ବେନ-ଜାରକା ପ୍ରଚଣ୍ଡ ବେଗରେ ଉତ୍ତର ଆଫ୍ରିକାର ଦେଶ ପରେ ଦେଶ ଜୟ କରି ଇଉରୋପ ଉପକୂଳ ସମ୍ମୁଖରେ ଆସି ଥମକି ଦଣ୍ଡାୟମାନ ହେଲେ । ବିସ୍ମୟର ସହିତ ଚାହିଁ ରହିଲେ ଇଉରୋପର ଏହି ମୁଖବ୍ୟାଦନ କରିଥିବା ଜିବ୍ରାଲଟରକୁ । ତାଙ୍କର ଅଦମ୍ୟ ଇଚ୍ଛା ଶକ୍ତି ମାଇଲ ମାଇଲ ଦୀର୍ଘ ଚୂନ-ପଥରର ବାଧା ଆଉ ଗ୍ରାନାଇଟର ଚାଲେଞ୍ଜ ନିକଟରେ ହାର ମାନିନାହିଁ । ସେତେବେଳ ପର୍ଯ୍ୟନ୍ତ ସ୍ପେନର ଏହି ଉପକୂଳରେ ଲୋକାଳୟ ନଥିଲା କହିଲେ ଚଳେ । ସେଥିଯୋଗୁଁ ଆରବମାନେ ସ୍ପେନର ଅଧିକ ଅଂଶ ଭୂଭାଗ ଉପରେ ନିଜର ଆଧିପାତ୍ୟ ବଜାୟ ରଖିପାରିଲେ । ଆରବମାନେ ଆଫ୍ରିକା; ବାଇଜନଟାଇନ୍‌, ହେଲେନିକ ଏବଂ ପରବର୍ତ୍ତୀ ରୋମାନ ସମ୍ରାଟମାନଙ୍କର ରାଜତ୍ୱ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୭୫୧ ବର୍ଷ ପର୍ଯ୍ୟନ୍ତ ଏ ଅଞ୍ଚଳରେ ଏକଚାଟିଆ ବାଣିଜ୍ୟ କରିଯାଇଛନ୍ତି । ତା’ପରେ ୧୯୬୨ ସାଲରେ ଯେତେବେଳେ ସ୍ପେନବାସୀମାନେ ଆରବମାନଙ୍କୁ ପରାଜିତ କଲେ, ସେତେବେଳେ ସେମାନେ ଏହି ପ୍ରଣାଳୀକୁ ଅତିକ୍ରମ କରି ଆଫ୍ରିକାକୁ ଚାଲିଯାଇଥିଲେ ।

 

ସ୍ପେନବାସୀମାନେ ତାଙ୍କ ଦେଶରୁ ଆରବମାନଙ୍କୁ ତଡ଼ି ଦେଇଥିଲେ, ତଥାପି ତାରିଖ ସମ୍ପର୍କରେ ଆରବବାସୀଙ୍କର ଉଚ୍ଚାରିତ ଶବ୍ଦ ‘ଜେବଲ ତାରିଖ’ ଅର୍ଥାତ୍ ପାହାଡ଼ ତାରିଖ କଥାଟିରୁ ‘ଜିବ୍ରାଲଟର’ ଶବ୍ଦଟିର ଉତ୍ପତ୍ତି । ସ୍ପେନବାସୀଙ୍କ ଚାରଦା ଉଚ୍ଚାରଣରେ ‘ଜେବଲ ତାରିଖ’ ଜିବ୍ରାଲଟର ହୋଇଯାଇଛି । ଅଷ୍ଟାଦଶ ଶତାବ୍ଦୀରେ ଏହି ପ୍ରଣାଳୀ ଅଧିକାର ଫଳରେ ହିଁ ବ୍ରିଟିଶ ଇଉରୋପ, ଆଫ୍ରିକା ଓ ଏସିଆର ପ୍ରଭୁତ୍ଵ କରିବା ପାଇଁ ପାଦତଳେ ପାଇଛି ଶକ୍ତ ମାଟିର ଅଧିକାର ।

 

ଜିବ୍ରାଲଟରର ଦକ୍ଷିଣ ଦିଗରୁ ଅର୍ଥାତ୍ ଇଉରୋପ ସୀମାଠାରୁ ଆଫ୍ରିକାର ନିକଟବର୍ତ୍ତୀ ଉପକୂଳର ଦୂରତ୍ୱ ୧୨ଠାରୁ ୧୪ ମାଇଲ ହେବ । ଏହି ବିପଦସଙ୍କୁଳ ପ୍ରଣାଳୀରେ ମନୁଷ୍ୟ ଅଭିଯାନର ଇତିହାସ ଖୁବ୍‌ ସଂକ୍ଷିପ୍ତ । ମୁଁ ଯେତେଦୂର ଜାଣିଛି, ଏପର୍ଯ୍ୟନ୍ତ ମାତ୍ର ଦୁଇଜଣ ଆମେରିକାର ସନ୍ତରଣକାରୀ ଜିବ୍ରାଲଟର ପ୍ରଣାଳୀ ସନ୍ତରଣ କରିଛନ୍ତି । ତେବେ ମୋର ଏ ସମ୍ବାଦ ସତ୍ୟ ନ ହୋଇପାରେ ।

 

ଜିବ୍ରାଲଟରରେ ସନ୍ତରଣ କରିବାର ସବୁ ଅପେକ୍ଷା ଭଲ ସମୟ ହେଉଛି ଜୁନ୍‍ଠାରୁ ସେପ୍ଟେମ୍ବର । ଶରତ୍ କାଳରେ ବର୍ଷା ଆରମ୍ଭ ହୁଏ ଏବଂ ପ୍ରଣାଳୀ ସେ ସମୟରେ ଭୟଙ୍କର ରୁଦ୍ର ମୂର୍ତ୍ତି ଧାରଣ କରେ ।

 

ଜିବ୍ରାଲଟର ପ୍ରଣାଳୀରେ ସନ୍ତରଣ କରିବାର ବିପଦ ହେଉଛି ତିନିଟି, ସଦାସର୍ବଦା ବାଣିଜ୍ୟ ଜାହାଜ ଓ ଯୁଦ୍ଧ ଜାହାଜ ଗତାଗତ, ଘନ କୁହୁଡ଼ି ଏବଂ ହାଙ୍ଗରମାନଙ୍କର ଅତ୍ୟାଚାର । ଏହି ସବୁ ବିପଦ ଯୋଗୁଁ କେହି ସନ୍ତରଣକାରୀ ଏ ପ୍ରଣାଳୀକୁ ଜୟ କରିବାକୁ ବୋଧହୁଏ ଆଗଭର ହୋଇନାହାନ୍ତି ।

 

ଭାରତୀୟ ନୌବାହିନୀର କମାଣ୍ଡର ନାଗରକର ମୋତେ ଯେଉଁସବୁ ତଥ୍ୟ ଯୋଗାଇ ଦେଇଛନ୍ତି, ସେଥିରେ କୁହାଯାଇଛି, ଜିବ୍ରାଲଟରରେ ମୋତେ ପ୍ରବଳ ସ୍ରୋତ ମଧ୍ୟରେ ସନ୍ତରଣ କରି ଯିବାକୁ ପଡ଼ିବ । ଏହି ସ୍ରୋତ କେବଳ ବନ୍ଦର ଉପରିଭାଗରେ ନୁହେଁ । ଜଳ ତଳେ ମଧ୍ୟ ଚାଲୁଛି, ଯାହାକୁ କୁହାଯାଏ ଅଣ୍ଡର କରେଣ୍ଟ ।

 

ମୋତେ ଜିବ୍ରାଲଟରରେ ତିନିପ୍ରକାର ଜଳଧାରା ସଙ୍ଗରେ ସଂଗ୍ରାମ କରିବାକୁ ପଡ଼ିବ । ଏହି ତିନିଟି ଧାରା ମଧ୍ୟରୁ ସବୁ ଅପେକ୍ଷା ବିପଦ ଜନକ ଓ ବେଗବାନ ଧାରା ମଧ୍ୟପ୍ରଣାଳୀଦେଇ ପ୍ରବାହିତ । ଏହି ସ୍ରୋତର ବେଗ ଦେଖି ମନେହେଉଛି ଭୂମଧ୍ୟସାଗରର ସମସ୍ତ ଜଳ ବିପୁଳ ବେଗରେ ଆଟଲାଣ୍ଟିକ ମହାସାଗର ଆଡ଼କୁ ଧାଇଁ ଚାଲିଛି । ଯେହେତୁ ଜଳଧାରାର ସମ୍ପର୍କ ପ୍ରକୃତି ସଙ୍ଗରେ ରହିଛି, ସେହି ହେତୁରୁ ସନ୍ତରଣ ଆରମ୍ଭ ସମୟ ସମ୍ପର୍କରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ସେଥିପାଇଁ ଏହି ପ୍ରଣାଳୀ ବିଶେଷଜ୍ଞମାନଙ୍କ ପରାମର୍ଶ ନେବାକୁ ପଡ଼ୁଛି ।

 

ପ୍ରତି ମୁହୂର୍ତ୍ତରେ ବାଣିଜ୍ୟ ପୋତ ଓ ଯୁଦ୍ଧ ଜାହାଜ ଗମନାଗମନ ନିମନ୍ତେ ଜିବ୍ରାଲଟରରେ ସନ୍ତରଣ କରିବାକୁ ଯେଉଁ ଅସୁବିଧା ହେବ, ବନ୍ଦର କର୍ତ୍ତୃପକ୍ଷ ତା’ର କିଛି ବ୍ୟବସ୍ଥା କରିବାର ଆଶ୍ୱାସନା ଦେଇଛନ୍ତି । ସନ୍ତରଣ ଦିନ ରେଡ଼ିଓରୁ ସଙ୍କେତ ଜଣାଇ ଜାହାଜଗୁଡ଼ିକୁ ସତର୍କ କରିଦେବାକୁ ହେବ, ଯେପରି ତାହାଦ୍ୱାରା ମୋର ଅସୁବିଧା ସୃଷ୍ଟି ହେବ ନାହିଁ ।

 

‘‘ଇଣ୍ଡିଆନ ଆସୋସିଏସନ ଅଫ୍ ଜିବ୍ରାଲଟର’’ ଯେଉଁଥିରେ ସିନ୍ଧି ସମ୍ପ୍ରଦାୟମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ସେମାନେ ମୋତେ ଅନୁରୋଧ କରିଛନ୍ତି ଯେ ଗୋଟିଏ ବଡ଼ ଆକାରର ଲୁହାର ପଞ୍ଜୁରୀ ମଧ୍ୟରେ ରହି ସନ୍ତରଣ କରିବାକୁ । ଜିବ୍ରାଲଟରରେ ହାଙ୍ଗରମାନଙ୍କ ଆକ୍ରମଣରୁ ଅବ୍ୟାହତି ପାଇବା ନିମନ୍ତେ ହିଁ ସେମାନେ ଏହି ପ୍ରସ୍ତାବ ଦେଇଛନ୍ତି । କିନ୍ତୁ ଏ ପ୍ରସ୍ତାବକୁ ମୁଁ ଆଦୌ ପସନ୍ଦ କରେନାହିଁ ।

 

ହାଙ୍ଗରମାନଙ୍କ ସଙ୍ଗରେ ମୋର ଭଲ ପରିଚୟ ଅଛି । ଏବଂ ମୋର ଧାରଣା ଯେ, ଅନ୍ୟ କୌଣସି ସମୁଦ୍ରର ହାଙ୍ଗର ଭାରତ ମହାସାଗରର ହାଙ୍ଗରମାନଙ୍କଠାରୁ ବିପଜ୍ଜନକ ନୁହଁନ୍ତି । ଯାହା ହେଉ ଜିବ୍ରାଲଟରରେ ପହଞ୍ଚି ଅବସ୍ଥା ଅନୁସାରେ ବ୍ୟବସ୍ଥା କରିବାକୁ ମୁଁ ଭଲ ମନେକରୁଛି ।

 

ତେବେ ମୋର ସାଫଲ୍ୟ ସମ୍ବନ୍ଧରେ ମୁଁ ଆସ୍ଥାବାନ । ବିଶେଷ କରି ମୋର ଦେଶବାସୀ ଏବଂ ମଙ୍ଗଳାକାଂକ୍ଷୀମାନଙ୍କ ନିକଟରୁ ମୁଁ ଯେଉଁ ଉତ୍ସାହ ପାଇଛି, ସେଥିରେ ମୋର ମନର ବଳ ବହୁଗୁଣ ବଢ଼ି ଯାଇଛି ।

 

ଦାର୍ଦ୍ଦନେଲିସ

 

କେତେ ସାମ୍ରାଜ୍ୟର ଉତ୍ଥାନ ଓ ପତନ, କେତେ ସୁନ୍ଦର ନଗରୀର ଜନ୍ମମୃତ୍ୟୁ ଯୁଦ୍ଧ ବିଗ୍ରହ, ପ୍ରେମ ସ୍ନେହର ଆମର କାହାଣୀର ହଜାର ହଜାର ଇତିହାସ ଜଡ଼ିତ ଅଛି ଏହି ଦାର୍ଦ୍ଦନେଲିସ ତଟ ଭୂମିରେ । ଆଜି ମଧ୍ୟ ପୌରାଣିକ ଘଟଣାପରି ଜନସ୍ମୃତିରେ କେତେ କଥା ପ୍ରଚଳିତ, ଧ୍ୱଂସାବଶେଷର କିଛି ଅବଶିଷ୍ଟ ରହିଛି । ଆଉ ଚିର ପ୍ରବାହମାନ ଦାର୍ଦ୍ଦନେଲିସର କେତେ ଗଳ୍ପ ବର୍ତ୍ତମାନ ମଧ୍ୟ ଲୋକ ମୁଖରେ ଭାସି ଚାଲିଛି ।

 

କବି ଟେନିସନଙ୍କ କଥା ମନେପଡ଼ିଲା । ତାଙ୍କ ଭାଷାରେ କହିବାକୁ ଗଲେ, ‘କେତେ ମନୁଷ୍ୟ ଆସିବେ, କେତେ ମନୁଷ୍ୟ ଯିବେ କିନ୍ତୁ ଦାର୍ଦ୍ଦନେଲିସ ବହି ଚାଲିବ ଚିରକାଳ ଯାଏ ।’ ପ୍ରାଚୀନ ଯୁଗରେ ଦାର୍ଦ୍ଦନେଲିସର ନାମ ଥିଲା ‘‘ହେଲେସ ପଣ୍ଟ ।’’

 

ହେଲେସପଣ୍ଟକୁ କେନ୍ଦ୍ର କରି ଅନେକ ରୂପକଥା ରହିଛି । ଏହା ସଙ୍ଗରେ ଜଡ଼ିତ ଅଛି ହେଲିର ଗଳ୍ପ । ପୌରାଣିକ କାହାଣୀରୁ ଜଣାଯାଏ ଯେ, ଆଥାମସଙ୍କର ଦୁଇଟି ସୁନ୍ଦର ଶିଶୁ ଥିଲେ-। ଆଥାମସଙ୍କ ସ୍ତ୍ରୀ ହେଉଛନ୍ତି ଗ୍ରୀକ୍‍ର ମେଘ-ଦେବତା ନେପେଲି । ତାହାଙ୍କର ସୁନ୍ଦର ପୁତ୍ର ହେଉଛି ପେରିକସାସ ଓ କନ୍ୟା ହେଲି । ସୁନ୍ଦରୀ ଇନୋର ରୂପରେ ମୁଗ୍ଧ ହେଲେ ଆଥାମସ । ଇନୋ ଦୁଷ୍ଟପ୍ରକୃତିର । ଇନୋ ନେପେଲିଙ୍କର ଦୁଇ ସନ୍ତାନଙ୍କର ବଦନାମ ଦେବାକୁ ଲାଗିଲା । ଦୁର୍ଭିକ୍ଷ ନିରୋଧ କରିବାକୁ ହେଲେ ସେଥି ପାଇଁ ନେପେଲିର ଦୁଇ ସନ୍ତାନଙ୍କ ବିସର୍ଜନ ଦେବାକୁ ଠିକ୍ କଲା-। ନୀଳ ଦରିଆରେ ଏହି ଦୁଇ ଶିଶୁଙ୍କୁ ବିସର୍ଜନ ଦେବାପାଇଁ ଅଣା ହେଲା । ଠିକ୍ ସେହି ମୁହୂର୍ତ୍ତରେ ମେଘ ରୂପରେ ମେଘଦେବୀ ନେପେଲି ଆବିର୍ଭୂତ ହେଲେ । ସୁନା ଲୋମରେ ଭରା ମେଘ ଆସି ଠିଆ ହେଲା ଶିଶୁମାନଙ୍କ ସମ୍ମୁଖରେ । ମେଘ ଦେବୀଙ୍କ ଆଦେଶରେ ତାଙ୍କର ସନ୍ତାନ ପେରିକ୍‍ସସ ଓ ହେଲି ମେଘ ପିଠି ଉପରେ ଯାଇଁ ବସିଲେ । ତରଙ୍ଗସଙ୍କୁଳ ସାଗର ବକ୍ଷରେ ଶିଶୁ ଦୁଇଟିକୁ ନେଇ ମେଘ ଅନ୍ତର୍ଦ୍ଧାନ ହୋଇଗଲା । କିନ୍ତୁ ହେଲି ମେଘର ବେକକୁ ଠିକ୍ ଭାବରେ ଧରିପାରିଲା ନାହିଁ, ବୁଡ଼ି ଗଲା । ସେହି ଦିନଠାରୁ ସାଗରର ନାମ ହେଲା ‘ଦି’ ସି ଅଫ୍ ହେଲି’ ବା ହେଲେସପଣ୍ଟ-। ଖ୍ରୀଷ୍ଟ ଜନ୍ମ ହେବାର ତିନିଶହ ବର୍ଷ ପୂର୍ବେ ଆପୋଲୋନିଅସ ମୁହଁରୁ ଏକଥା ଶୁଣାଯାଇଥିଲା ଏବଂ କବି ହୋମର ମଧ୍ୟ ଏ କଥା ଉଲ୍ଲେଖ କରିଛନ୍ତି ।

 

ହେଲେସପଣ୍ଟ ଘେନି ଆଉ ପୌରାଣିକ କାହାଣୀ ମଧ୍ୟ ରହିଛି । ଗ୍ରୀକ୍‍ର ଭଲପାଇବାର ଦେବୀ ହିରୋ ଓ ଏବିଡ଼ସର ସୁନ୍ଦର ତରୁଣ ଲିଣ୍ଡରର ପ୍ରେମର ସମାଧି ଏହି ହେଲି ସାଗର ବକ୍ଷରେ ହୋଇଥିଲା । ହେଲି ସାଗରର ଏକ କୂଳରେ ବାସ କରିଥାନ୍ତି ହିରୋ । ସମୁଦ୍ର କୂଳରେ ଲିଣ୍ଡରର ପ୍ରଥମ ଭେଟରେ ହିରୋ ପ୍ରେମରେ ପଡ଼ିଲା । ହିରୋ ମଧ୍ୟ ଅନ୍ତରର ସହିତ ଲିଣ୍ଡରକୁ ଭଲ ପାଇଲା-। ଲିଣ୍ଡର ପହଁରି ପହଁରି ସମୁଦ୍ର ପାରି ହୋଇ ମଧ୍ୟରାତ୍ରକୁ ହିରୋ ନିକଟକୁ ଆସେ ପ୍ରେମ ନିବେଦନ କରିବାକୁ । ହିରୋ ନିଜ ପ୍ରାସାଦ ମଧ୍ୟରେ ଆଲୋକ ଜାଳିରଖେ ଲିଣ୍ଡରର ଆସିବା ପଥର ନିଶାଣ ପାଇଁ । ଦିନେ ଭୟଙ୍କର ଝଡ଼ ବୃଷ୍ଟିରେ ଆଲୋକ ଲିଭିଗଲା । ଲିଣ୍ଡର ସାଗର ବକ୍ଷରେ ପହଁରି ପହଁରି ନିଶାଣ ଖୋଜି ପାଇଲା ନାହିଁ । ଉତ୍ତାଳ ତରଙ୍ଗସଙ୍କୁଳ ସାଗର ଗ୍ରାସ କଲା ଲିଣ୍ଡରକୁ । ପର ଦିନ ସକାଳେ ପ୍ରେମିକା ହିରୋ ଦେଖିଲା ତାହାର ପ୍ରେମିକର ଦେହ ସାଗର କୂଳ ଜଳରେ ଭାସୁଛି । ହିରୋ ମଧ୍ୟ ସାଗର ଜଳରେ ନିଜକୁ ଝାସ ଦେଲା । ରାକ୍ଷସୀ ହେଲି ପୁଣି ଗ୍ରାସ କଲା ହିରୋକୁ-। ହିରୋ ଓ ଲିଣ୍ଡରର ଅମର ପ୍ରେମର ସମାଧି ହେଲା ଏହି ହେଲିର ସାଗର ଜଳ ।

 

ହିରୋ ଓ ଲିଣ୍ଡରଙ୍କ ପ୍ରେମର କାହାଣୀ ପ୍ରଥମେ ଭଜଲ ଓ ପରେ କ୍ରିଷ୍ଟଫରମର୍ଲେଙ୍କା ନିକଟରୁ ଜଣାଯାଇଛି । ଊନବିଂଶ ଶତାବ୍ଦୀରେ ଇଂରେଜ କବି ଲର୍ଡ ବାଇରନ୍ ହିରୋ ଓ ଲିଣ୍ଡରଙ୍କୁ ଘେନି ‘‘ଦି’ ବ୍ରାଇଡ୍ ଅଫ୍ ଏବିଡ଼ସ’’ କବିତା ଲେଖିଛନ୍ତି ।

 

ହେଲେସପଣ୍ଟର ପୌରାଣିକ ନାମ ପରିବର୍ତ୍ତନ ହୋଇ ହେଲା ଦାର୍ଦ୍ଦନେଲିସ । ଦାରଦାନାସ ସହରରୁ ଦାର୍ଦ୍ଦନେଲିସ ନାମକରଣ ହେଲା । ଦାର୍ଦ୍ଦନେଲିସ ସହର ବର୍ତ୍ତମାନ ନାହିଁ । ଖ୍ରୀଷ୍ଟପୂର୍ବ ୮୫ ଶତାବ୍ଦୀରେ ମିଥରାଡ଼େଟସ ଷଷ୍ଠ ଓ ସୁଲା ଏହି ସହରର ସନ୍ଧିପତ୍ରରେ ସ୍ୱାକ୍ଷର କରିଥିଲେ ।

 

ଅଢ଼େଇ ହଜାର ବର୍ଷ ପୂର୍ବେ ଏହି ହେଲେସପଣ୍ଟ ଉପରେ ପାର୍ଦ୍ଦଆନମାନେ ଆକ୍ରମଣ ଚଳାଇଥିଲେ । ଜାରକମାସ ପ୍ରଥମ (ପାରସ୍ୟ ସମ୍ରାଟ ଡେରିଭସଯିଏ ଖ୍ରୀଷ୍ଟପୂର୍ବ ୫୦୦ ଶତାବ୍ଦୀରେ ପଶ୍ଚିମ ଭାରତ ଅଭିଯାନ କରିଥିଲେ ତାଙ୍କ ପୁତ୍ର ଜରକମାସ ପ୍ରଥମ) ଅସଂଖ୍ୟ ସୈନ୍ୟ ସାମନ୍ତ ନେଇ ଇଉରୋପଆଡ଼ୁ ନୌକାରେ ସେତୁ ନିର୍ମାଣକରି ହେଲେସପଣ୍ଟ ବାଟଦେଇ ଗ୍ରୀସକୁ ଆସନ୍ତି । ଏହାସଙ୍ଗରେ ଆହୁରି ବହୁ ଇତିହାସ ଜଡ଼ିତ ଅଛି । ଏହି ଦାର୍ଦ୍ଦନେଲିସ ଜଳଭାଗରେ ୨୭ବର୍ଷଧରି ବିଶେଷ ପ୍ରାଚୀନ ଦୁଇଜଣ ବିଖ୍ୟାତ ଆଡ଼ମିରାଲ ଯୁଦ୍ଧକରିଥିଲେ । ସ୍ପାର୍ଟାର ଲାଇସେଣ୍ଡର ଓ ଏଥେନ୍ସ୍‍ର ଏଲିସିବିୟାଡ଼େସଙ୍କ ଯୁଦ୍ଧ ପେଲପୋନେସିଆନର ସ୍ମରଣୀୟ ଯୁଦ୍ଧ ନାମରେ ପ୍ରସିଦ୍ଧ । ଖ୍ରୀଷ୍ଟପୂର୍ବ ୪୦୫ ସେପ୍ଟେମ୍ବର ମାସରେ ସୁଦକ୍ଷ ଲାଇସେଣ୍ଡର ଏଥେନିୟାନ ସୈନ୍ୟମାନଙ୍କୁ ହରେଇ ଦାର୍ଦ୍ଦନେଲିସରେ ପ୍ରବେଶ କରିଥିଲେ । ସେହିଦିନଠାରୁ ଏଥେନ୍ସ ଆଉ ତା’ର ହୃତଗୌରବ ଉଦ୍ଧାରକରି ପାରିନାହିଁ ।

 

ପ୍ରଥମ ବିଶ୍ୱଯୁଦ୍ଧରେ ତୁରସ୍କ ଜର୍ମାନ ସମ୍ରାଟ କାଇଜରଙ୍କ ସଙ୍ଗରେ ଯୋଗଦେଲା, ବ୍ରିଟିଶ, ଫ୍ରାନସ୍‍ ଓ ଜାରରୁଷିଆ ବିପକ୍ଷରେ ଯୁଦ୍ଧ କରିବାକୁ । ଏହା ଫଳରେ ରୁଷିଆ ନିଜ ଦେଶରେ କ୍ୟାନକ୍ୟାସିଆନ ଫ୍ରଣ୍ଟର ଚାପ କମାଇବାପାଇଁ ବ୍ରିଟିଶ ଓ ଫ୍ରାନସ୍‍କୁ ଆବେଦନକଲା । ବ୍ରିଟିଶର ଯୁବକମନ୍ତ୍ରୀ ଚର୍ଚ୍ଚିଲ ଦାର୍ଦ୍ଦନେଲିସ ଅଭିଯାନ ଚଳାଇବା ପାଇଁ ଚାପ ଦେଲେ । ଜଳ ଓ ସ୍ଥଳ ଉଭୟ ଦିଗରେ ଏ ଅଭିଯାନ ଚଳାଇବାକୁ ହେବବୋଲି ଠିକ୍ ହେଲା । ଚର୍ଚ୍ଚିଲଙ୍କର ଏହି ସିଦ୍ଧାନ୍ତ ଠିକ୍ କି ଭୁଲ ହୋଇଥିଲା, ସେଥିପାଇଁ ବର୍ତ୍ତମାନ ମଧ୍ୟ ମତ ଦ୍ୱୈଧ ରହିଛି । ଯାହାହେଉ ଦାର୍ଦ୍ଦନେଲିସ ଅତିକ୍ରମକରି ପେନିସୁଲା ଅବ୍ ଗ୍ୟାଲିପଲି ଅଧିକାର କରିବାପାଇଁ ୧୯୧୫ ସାଲରେ ବ୍ରିଟିଶ, ଫ୍ରାନ୍‍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ବ୍ରିଟିଶଭାରତ ସୈନ୍ୟମାନେ ୧୨ ମାସ ଧରି ଅଭିଯାନଚଳାଇ ଦାର୍ଦ୍ଦନେଲିସ କୂଳରେ ପରାଜିତହେଲେ । ଚର୍ଚ୍ଚିଲ କାବିନେଟରୁ ଇସ୍ତଫା ଦେଲେ । କିନ୍ତୁ ଏହି ଯୁଦ୍ଧରେ ଜଣେମାତ୍ର ଅଶ୍ୱାରୋହୀ ତୁରସ୍କମଧ୍ୟକୁ ବିପ୍ଳବ ଡାକିଆଣିଲେ ଏବଂ ଏକନାୟକତ୍ୱର ପତନଘଟାଇ ନୂତନଯୁଗର ସୂଚନାଦେଲେ, ସେହି ସୈନିକଙ୍କ ନାମ କାମାଲ ଆତାର୍ତୁକ । ତୁରସ୍କର ନବଜାଗରଣର ଜନ୍ମଦାତା ।

 

ବସ୍‌ଫରସ

 

ବସ୍‍ଫରସ–ସୁନ୍ଦର, ଅଶାନ୍ତ, ରହସ୍ୟମୟୀ, ଚିରଯୌବନା ବସ୍‍ଫରସ । ମୋର ତୃତୀୟ ଅଥଚ ଶେଷ ସପ୍ତସିନ୍ଧୁ ଅଭିଯାନର ପ୍ରଣାଳୀ । ତାକୁ ପୃଥିବୀର କୌଣସିବ୍ୟକ୍ତି ଏପର୍ଯ୍ୟନ୍ତ ଅନୁଧ୍ୟାନକରି ତା’ର କୌଣସି ବିଷୟ ବୁଝିବାକୁ ସକ୍ଷମ ହୋଇନାହାନ୍ତି । କିମ୍ବା ତାହାର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ କେହି ସଂଗ୍ରହ କରିପାରିନାହାନ୍ତି । ଦିନ ମାସ ବର୍ଷ କରି ହଜାର ହଜାରବର୍ଷ ଅତୀତ ହୋଇଯାଇଛି । ତାହାର ରହସ୍ୟାବୃତ୍ତ ଚିରସୌନ୍ଦର୍ଯ୍ୟମୟୀ କୂଳେ କୂଳେ କେତେ ସ୍ମୃତି, କେତେ ପ୍ରାସାଦ ଧ୍ୱଂସ ସ୍ତୂପରେ ପରିଣତହୋଇଛି ଏବଂ ଅନ୍ୟ କେତେ ସୌଧ ମଧ୍ୟ ତାହାର ନୀଳଜଳରେ ବୁଡ଼ିଯାଇଛି । ସଭ୍ୟତା ଆଗମନ ପରେ ମଧ୍ୟ ଅନେକ ସାମ୍ରାଜ୍ୟର ଉତ୍ଥାନ ଓ ପତନ ହୋଇଛି । ସବୁଘଟଣା ଏହି ଚିରଯୌବନା ରହସ୍ୟମୟୀ ବସ୍‌ଫରସ ଦେଖି ଆସିଛି, ସେ ଆଜିମଧ୍ୟ ସେହିପରି ଘନକୃଷ୍ଣ ଢେଉ ପରେ ଢେଉ ତୋଳି ନୀରବରେ ବହିଚାଲିଛି ଦୂର ଦୂର ବହୁଦୂରକୁ ସେହି ଅତୀତ ଓ ବର୍ତ୍ତମାନର ସ୍ମୃତିଘେନି ।

 

କିନ୍ତୁ ଇଉକ ସାଇନର (କୃଷ୍ଣସାଗରର ପ୍ରାଚୀନ ନାମ) ଚିରନ୍ତନ କନ୍ୟା ବସ୍‍ଫରସ ଓ ପ୍ରପନଟିସ (ମର୍ମରାର ହେଲ୍ଲଲେନିକ ନାମ) ପ୍ରାଚ୍ୟ ଓ ପାଶ୍ଚାତ୍ୟର ଆକର୍ଷଣ ସୁନ୍ଦରୀ କନ୍ୟାର ସୁନେଲି ଓଢ଼ଣାଉଠାଇ ପୂର୍ବ ଓ ପଶ୍ଚିମକୁ ଲୋଭଦେଖାଇ ଟାଣି ଆଣିଛି ।

 

ବସ୍‌ଫରସର ଘନକୃଷ୍ଣ କାଚ କେନ୍ଦୁପରି ଜଳ ପର୍ବତର ସାନୁଦେଶରୁ ଅଙ୍କାବଙ୍କାହୋଇ ବହିଚାଲିଛି । କିନ୍ତୁ ଗୋଟିଏ ବାଙ୍କରେ ଶୟତାନ ଅଛି । ସେହି ବାଙ୍କର ନାମ ‘ଆକେନଦିଶି’ (ତୁର୍କୀର ଶୟତାନ ସ୍ରୋତ) । ଏହି ଆକେନଦିଶି ବହୁ ଲୋକଙ୍କୁ ତା’ର କୋଳମଧ୍ୟକୁ ଟାଣିନେଇଯାଇଛି ଅବଲୀଳାକ୍ରମେ ।

 

ବସ୍‌ଫରସର ରୂପରେ ମୁଗ୍ଧ ହୋଇ ଊନବିଂଶ ଶତାବ୍ଦୀରେ ଜଣେ ଇଂରେଜ ପର୍ଯ୍ୟଟକ ଲେଖିଛନ୍ତି, ‘‘ବସ୍‍ଫରସକୁ ଦେଖିଲେ ମନ ଓ ପ୍ରାଣ ଚାହିଁବ ଏହି ମନୋମୁଗ୍ଧକର ରୂପର ଅନୁସନ୍ଧାନ କରିବାକୁ ଏବଂ ଚକ୍ଷୁରେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆଉ ଗଭୀରରୁ ଗଭୀରତର ସୌନ୍ଦର୍ଯ୍ୟର ସନ୍ଧାନ କରିବାକୁ । କାରଣ ଏହାର ସୌନ୍ଦର୍ଯ୍ୟର ଅନ୍ତନାହିଁ । ଏହାର ଇତିହାସର ମଧ୍ୟ ଶେଷନାହିଁ । ଉତ୍ସାହର ଅଭାବ ହେଲେ ଏହା ସମ୍ବନ୍ଧରେ କିଛି ଲେଖିବା ଅସମ୍ଭବ-। ଡାହାଣ ଦିଗକୁ ଚାହିଁଲେ ଦେଖାଯିବ, ବସ୍‍ଫରସ ତୀରରେ ଉଚ୍ଚ ପର୍ବତ ଶିଖରରେ ସୁନ୍ଦର ସହର, କେତେ ମିନାର, କେତେ ସ୍ମୃତିସୌଧ । ଦୂରରତୀର ଏସିଆ ମାଇନର । ଅପର ଏକଦିଗରେ ଦୂର ବହୁଦୂର ଚକ୍ରବାଳକୁ ଚାହିଁଲେ ଦେଖାଯିବ, ଐତିହାସିକ ମାଉଣ୍ଟ ଅଲିମପାସର ଛାୟା । ମର୍ମରାସାଗରର କୋଳ ଶାନ୍ତ ସୁନ୍ଦର । ଯେପରି ରୌଦ୍ରକରୋଜ୍ଜ୍ୱଳ ଗୋଟିଏ ଲେକ୍ । କିନ୍ତୁ ବସ୍‌ଫରସ ପ୍ରଣାଳୀର ଚତୁର୍ଦ୍ଦିଗରେ ପାହାଡ଼ର ଦୁର୍ଗ, ମନୋରମ ଉପତ୍ୟକା, ଉପସାଗର ଓ ସବୁଜ ବୃକ୍ଷରାଜି ।

 

ଏହି ନମନୀୟ, କମନୀୟ ସୌନ୍ଦର୍ଯ୍ୟର ଲୀଳାତୀର୍ଥ ବସ୍‌ଫରସ ତୀରରେ ଏସିଆ-ଇଉରୋପର ସଂଯୋଗସ୍ଥଳରେ ଊନବିଂଶ ଶତାବ୍ଦୀର ଇଂରେଜ କବି ଲର୍ଡ଼ ବାଇରନ ବହୁଦିନ ଅତିବାହିତ କରିଛନ୍ତି । ସେ ବସ୍‌ଫରସ ସମ୍ବନ୍ଧରେ ତାଙ୍କ କବିତାରେ କହିଛନ୍ତି, ‘‘ଇଉରୋପ ଓ ଏସିଆ ମଧ୍ୟରେ ‘ଜଏଣ୍ଟଗ୍ରେଭ’ଠାରୁ ବସ୍‍ଫରସର ଅଶାନ୍ତ ଓ ଶାନ୍ତ ରୂପ ଏକ ଅଭୂତପୂର୍ବ ଦୃଶ୍ୟ ।’’

 

ବସ୍‌ଫରସ ବିଗତ ଯୁଗରେ ଯା’ ଥିଲା, ବର୍ତ୍ତମାନ ମଧ୍ୟ ତାହାହିଁ ଅଛି । ତା’ର ଚିରଯୌବନର କୌଣସି ପରିବର୍ତ୍ତନ ହୋଇନି । ମର୍ମରାସାଗର ଆଡ଼କୁ ଯିବାବେଳେ ଆଖିରେପଡ଼ିବ ବିଶ୍ୱର ଅତୁଳନୀୟ ଦୁର୍ଗ ପ୍ରାସାଦ, ସହର, ମସଜିଦ୍, ଚର୍ଚ୍ଚ ଓ ସମାଧିସ୍ଥଳ । ଦେଖାଯିବ ବାଇଜେନଟାଇନ, ହେଲ୍ଲେନିକ, ରୋମାନ, ଏଥେନିୟନ୍, ସ୍ପାଟାନ୍, ପାର୍ଶିୟାନ ସବୁଧରଣ ପ୍ରାଚୀନସହର ଓ ପ୍ରାଚୀନ ସହରର ପ୍ରାଚୀର !

 

କୃଷ୍ଣସାଗର ନିକଟରୁ ଯେଉଁଠି ବସ୍‍ଫରସର ସୂଚନା, ତା’ରି ଦୁଇଧାରରେ ଦଣ୍ଡାୟମାନ ହୋଇରହିଛି ପନ୍ଦରଶତ ଶତାବ୍ଦୀରଦୁର୍ଗ, ଏସିଆତଟରେ ୟାନାଡାଲି ହିସାରି (କ୍ୟସେଲ ଅବ୍ ଏସିଆ) ଓ ଇଉରୋପ ତୀରରେ ବୌମେଲି ହିସାରି (କ୍ୟାସେଲ ଅବ୍ ଇଉରୋପ) । ଆଉ ଦେଖାଯିବ ସୁଲତାନଙ୍କର ଗ୍ରୀଷ୍ମକାଳୀନ ମାର୍ବଲ ପ୍ରାସାଦ (ବେଗଲିଆରବେ), ବେସିକତାସ୍ । ଇତିହାସ ପ୍ରସିଦ୍ଧ ସମାଧିର ମଧ୍ୟ ଅଭାବନାହିଁ । ଅତୁଳନୀୟ ସୋଲେଇମାନ ସମାଧି, ସାଇପ୍ରସର ସ୍କଟାରିର ସମାଧି (ଦି’ ପ୍ଲେସ୍ ଓ ଆଉସେଣ୍ଡ ଟମ୍ ବସ) ଏସବୁ ବହନକରୁଛି ଶୋକ, ଦୁଃଖ, ପ୍ରୀତି ଭଲପାଇବାର ସ୍ମୃତି । ପୁଣି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପବିତ୍ରସ୍ଥାନ ହେଗିଆସୋଫିଆ ଚର୍ଚ୍ଚ ମଧ୍ୟ ଏଠାରେ ରହିଛି । ସମ୍ରାଟ୍ ଜାସଟିନିଆ ଏହି ଚର୍ଚ୍ଚକୁ ପୁନର୍ବାର ନିର୍ମାଣ କରିଥିଲେ । ଏହାର ନୂତନ ନାମ ଦେଇଥିଲେ ‘‘ସେଣ୍ଟ ସୋଫିଆ ।’’ ସେଣ୍ଟ ସୋଫିଆହିଁ ଇଉରୋପର ସବୁଠାରୁ ବଡ଼ ଚର୍ଚ୍ଚ ଥିଲା । କିନ୍ତୁ ପନ୍ଦରଶହ ଶତାବ୍ଦୀରେ କନଷ୍ଟାଣ୍ଟିନେପଲ ପତନପରେ ତୁର୍କମାନେ ଏହି ଚର୍ଚ୍ଚକୁ ମସଜିଦରେ ପରିଣତ କଲେ ।

 

କେତୋଟି ସ୍ତମ୍ଭ ଓ କେତୋଟି ପ୍ରାସାଦ ବର୍ତ୍ତମାନସୁଦ୍ଧା ଏ ଦେଶର ଲୋକଙ୍କ ନିକଟରେ ପବିତ୍ର । ଏସିଆ କୂଳରେ ଗୁଜକାଉଲି କିମ୍ବା ମେଡ଼ନ୍‍ଟାୱାର ଗୋଟିଏ ଛୋଟ ସୁନ୍ଦର ଦୁର୍ଗ । ଏହି ଦୁର୍ଗ ପଛରେ ଏକ ପୌରାଣିକ କାହାଣୀ ରହିଛି । ଜଣେ ନାମ-ଅଜଣା ସୁଲତାନଙ୍କର ଏକ ସୁନ୍ଦରୀ କନ୍ୟାଥିଲା । ଜଣେ ଜ୍ୟୋତିଷ ଗଣନାକରି କହିଲା, କନ୍ୟାର ୧୮ ତମ ଜନ୍ମ ଦିନରେ ତାକୁ ସର୍ପ ଦଂଶନ କରିବ । କନ୍ୟା ଯୌବନରେ ପଦାର୍ପଣ କରିବା ସଙ୍ଗେ ସଙ୍ଗେ କନ୍ୟାକୁ ସୁଲତାନ ବସ୍‍ଫରସରେ ଏକ ଦୃଢ଼ ପଥର ପାଚେରୀଘେରା କ୍ଷୁଦ୍ର ଦୁର୍ଗମଧ୍ୟରେ ରଖିଦେଲେ । ବସ୍‍ଫରସର ସେହି ଦୁର୍ଗର ନାମ ଗୁଜକାଉଲି । କିନ୍ତୁ ଭାଗ୍ୟସଙ୍ଗରେ କିଏ ସଂଗ୍ରାମ କରିବ ? ୧୮ ତମ ଜନ୍ମଦିନରେ ସୁନ୍ଦରୀ କନ୍ୟାକୁ ସୁବର୍ଣ୍ଣ ଖଚିତ ଶଯ୍ୟାଉପରେ ମୃତଅବସ୍ଥାରେ ଦେଖିବାକୁ ମିଳିଲା । ସର୍ପଟି ସେତେବେଳେ ମୃତ କନ୍ୟାର ଛାତିଉପରେ ଶୋଇରହିଥିଲା । ଏହିପରି ଆଉ ଅନେକ କାହାଣୀ ସେ ଦେଶରେ ପ୍ରଚଳିତଅଛି ।

 

ପୁଣି ମୃତବ୍ୟକ୍ତିଙ୍କ ଆତ୍ମାଘେନି ଅନେକ ଗଳ୍ପ ପ୍ରଚଳିତ ଅଛି । ବସ୍‌ଫରସରେ ଏହି ଗଳ୍ପସବୁ ଯୁଗଯୁଗ ଧରି ପ୍ରଚଳିତ ହୋଇଆସୁଅଛି । ସେଥିମଧ୍ୟରୁ ଗୋଟିଏ ଗଳ୍ପ ହେଉଛି, ‘‘ଦଳେ ପକ୍ଷୀ ଏଠାରେ ଭ୍ରମଣକାରୀମାନଙ୍କୁ ବିବ୍ରତକରିଥାନ୍ତି । ସେ କୁଆଡ଼େ ସେହି ମୃତ ବ୍ୟକ୍ତିମାନଙ୍କର ଆତ୍ମା ।’’ ଏହି ପକ୍ଷୀଦଳ କୃଷ୍ଣସାଗରରୁ ଉଡ଼ିଆସି, ପୁଣି ସେଠାକୁ ଫେରିଯାନ୍ତି । ପୁଣି ମର୍ମରାସାଗର ଆଡ଼କୁ ଉଡ଼ିଯାନ୍ତି । ସୂର୍ଯ୍ୟ ଉଦୟଠାରୁ ସୂର୍ଯ୍ୟାସ୍ତପର୍ଯ୍ୟନ୍ତ ପ୍ରତିଦିନ ସେମାନଙ୍କର ଅବିରାମଭାବରେ ଯିବାଆସିବା ଚାଲିଥାଏ ।

 

ପାଞ୍ଚ

Unknown

ଜିବ୍ରାଲଟର ବିଜୟ

 

ଭାରତ ମହାସାଗରରେ ଅବସ୍ଥିତ ବିପଦସଙ୍କୁଳ ପାକ୍-ପ୍ରଣାଳୀ ମିହିରକୁମାର ବିଜୟ କଲେ । ତତ୍ପରେ ସପ୍ତସିନ୍ଧୁ ବିଜୟ କରିବାପାଇଁ ସେ ପରିକଳ୍ପନା କଲେ । ପୂର୍ବରୁ ମିହିରକୁମାରଙ୍କର ପ୍ରବନ୍ଧ ଉପସ୍ଥାପିତ କରାଯାଇଛି । ସେଥିରେ ସେ ଜିବ୍ରାଲଟର, ଦାର୍ଦ୍ଦନେଲିସ ଓ ବସ୍‌ଫରସର ବହୁଅଭିଜ୍ଞତା ଏବଂ ଐତିହାସିକ ବିଷୟର ଅବତାରଣା କରିଛନ୍ତି ।

 

ମିହିରକୁମାର ସପ୍ତସିନ୍ଧୁ ବିଜୟରେ ଜିବ୍ରାଲଟରକୁ ପ୍ରଥମସ୍ଥାନ ଦେଇଛନ୍ତି । ସେହିଠାରୁ ସନ୍ତରଣ ଆରମ୍ଭକରି ବସ୍‌ଫରସରେ ସନ୍ତରଣ ଶେଷ କରିବେ ବୋଲି ମନସ୍ଥ କରିଥିଲେ ।

 

ମିହିରକୁମାର ୧୯୬୬ ସାଲ ଅଗଷ୍ଟ ୧୮ ତାରିଖରେ ବୋମ୍ବାଇରୁ ବେରୁଟ ଦେଇ ତୁରସ୍କର ରାଜଧାନୀ ଆଙ୍କାରାରେ ପହଞ୍ଚିଲେ । ସେ ବେରୁଟ, ଆଙ୍କାରା ଓ ଇସ୍ତାନବୁଲରେ ପହଞ୍ଚି ଥିଲେ । ଦାର୍ଦ୍ଦନେଲିସ ଓ ବସ୍‍ଫରସ ସନ୍ତରଣ ପ୍ରସ୍ତୁତି ନିମନ୍ତେ ଅନେକଙ୍କ ସଙ୍ଗରେ କଥାବାର୍ତ୍ତା କରିଥିଲେ ।

 

ସେଠାରୁ ଲଣ୍ଡନଗଲେ ଓ ଲଣ୍ଡନରୁଯାଇ ଜିବ୍ରାଲଟର ବିମାନଘାଟିରେ ଅଗଷ୍ଟ ୨୦ ତାରିଖରେ ପହଞ୍ଚିଲେ । ସେ ଏହି ଚାରିଦିନ ଯାଏ କେବଳ ଜିବ୍ରାଲଟରେ କିପରି ସନ୍ତରଣକରିବେ ସେହି କଥା ମନେ ମନେ ପରିକଳ୍ପନା କରି ଚାଲିଥାଆନ୍ତି । ଜିବ୍ରାଲଟର ଆସିବା ବାଟରେ କେତେକ ଭାରତୀୟ ଓ ଜିବ୍ରାଲଟରବାସୀଙ୍କ ସଙ୍ଗରେ କଥାବାର୍ତ୍ତାକଲେ । ସେହି ବିମାନ ଘାଟିରେ ସେ ଗୋଟିଏ ମୃତ ହାଙ୍ଗର କାନ୍ଥରେ ଝୁଲାହୋଇଥିବାର ଦେଖିବାକୁପାଇଲେ । ମିହିରକୁମାର ଜିବ୍ରାଲଟର ଭାରତୀୟ ବ୍ୟବସାୟୀ ସମିତିର ସମ୍ପାଦକ ଶ୍ରୀ କିଷନ ଖୁବ୍ ଚାନ୍ଦଙ୍କୁ ଭେଟିଲେ । ଅବଶ୍ୟ ଉକ୍ତ ସମିତିଟି କ୍ଷୁଦ୍ର ହେଲେ ମଧ୍ୟ ଖୁବ୍ ଚାନ୍ଦଙ୍କର ପ୍ରତିପତ୍ତି କମ୍ ନ ଥିଲା । ଆଉ ବହୁ ଭାରତୀୟଙ୍କ ସଙ୍ଗରେ ମଧ୍ୟ ତାଙ୍କର ଦେଖାସାକ୍ଷାତ୍ ହେଲା । ସେଠାର ପୁଲିସସର୍ଜେଣ୍ଟ ହୋରେସ ଜ୍ୟାମିଟ ମିହିରକୁମାରଙ୍କୁ ଜଣାଇଲେ ଯେ ତୁମକୁ ପଞ୍ଜୁରୀ ମଧ୍ୟରେ ଆଫ୍ରିକାରୁ ଜିବ୍ରାଲଟର ଯାଏ ସନ୍ତରଣକରିବାକୁ ପଡ଼ିବ । ମିହିରକୁମାର ସନ୍ତରଣପଥ କଥା ମାନିନେଲେ ସତ କିନ୍ତୁ ପଞ୍ଜୁରୀ ମଧ୍ୟରେ ସନ୍ତରଣ କରିବା କଥାକୁ ମାନିପାରିଲେନାହିଁ । ସେ ଲୁହାପଞ୍ଜୁରୀ ମଧ୍ୟରେ ରହି ସନ୍ତରଣ କରିବା କଥା ଆଦୌ ପସନ୍ଦ କରନ୍ତିନାହିଁ । ଏ କଥା ସର୍ଜେଣ୍ଟ ହୋରେସ ମଧ୍ୟ ଜାଣନ୍ତି । ସର୍ଜେଣ୍ଟ ହୋରେସ ମୃତ ହାଙ୍ଗରକୁ ଦେଖାଇ କହିଲେ ଏଇଟି ଜାଣିଛନ୍ତି ବିମାନଘାଟିର ଖୁବ୍ ନିକଟରୁ ଧରାପଡ଼ିଛି । ଏହି ମୁହୂର୍ତ୍ତରୁ ଜିବ୍ରାଲଟର ସଂଗ୍ରାମ ଆରମ୍ଭ ହୋଇଗଲା ବୋଲି ମନେକରିବାକୁ ହେବ ।

 

ତା’ପରଦିନ କିଷନ ଖୁବ୍‍ ଚାନ୍ଦଙ୍କ ସଙ୍ଗରେ ମିହିରକୁମାର ଦେଖାକଲେ । ବାଟରେ ସର୍ଜେଣ୍ଟ ହୋରେସଙ୍କ ନିକଟରେ ସେ ଅଟକିଗଲେ । ହୋରେସ ହେଉଛନ୍ତି ଜିବ୍ରାଲଟର ଲାଇଫସେଭିଂ ସୋସାଇଟିର ସଭାପତି । ମିହିରକୁମାର ଭାବିଲେ ତାଙ୍କଠାରୁ ବିଖ୍ୟାତ ପାଇଲଟ୍‍ଙ୍କର ସମ୍ବାଦ ମିଳିପାରିବ ଏବଂ ରୟେଲ ନାଭି ନିକଟରୁ ଜିବ୍ରାଲଟର ବିଶେଷ କଥା ଜଣାପଡ଼ିବ ।

 

କିନ୍ତୁ ହୋରେସ ମିହିରଙ୍କୁ ନିରାଶକଲେ । ସେ ଦେଖିଲେ ହୋରେସ ରୟେଲ ନାଭିଉପରେ ବିଶେଷ ଗୁରୁତ୍ୱ ଦେଉନାହାନ୍ତି । ହୋରେସ ମିହିରକୁମାରଙ୍କୁ ତା’ ବଦଳରେ ହାଉସେ ବୋଲି ଜଣକ ସଙ୍ଗରେ ପରିଚୟ କରାଇଦେଲେ । ସେ ଲୋକଟି ଇଂରେଜୀ ଜାଣେନାହିଁ । କେବଳ ସ୍ପେନିସ ଭାଷାରେ କଥା କହେ । ଖୁବ୍‍ ଚାନ୍ଦ ଓ ହୋରେସଙ୍କ ମାଧ୍ୟମରେ ସେହି ବ୍ୟକ୍ତି ସଙ୍ଗରେ କଥାବାର୍ତ୍ତା ଚାଲିଲା ।

 

ଜିବ୍ରାଲଟର ପ୍ରଣାଳୀ ସମ୍ବନ୍ଧରେ ହାଉସେଙ୍କର ଅଭିଜ୍ଞତା ଓ ମତାମତ ଖୁବ୍ ମୂଲ୍ୟବାନ ବୋଲି ଖୁବ୍‍ ଚାନ୍ଦ ଓ ହୋରେସ ମିହିରକୁମାରଙ୍କୁ ଜଣାଇଲେ । କାରଣ ସେ ଲୋକଟି ଦିନେ ଜଳଦସ୍ୟୁ ଥିଲା, ବର୍ତ୍ତମାନ ଚୋରା ଜିନିଷ ରପ୍ତାନୀକରେ । ସମୁଦ୍ରର ତରଙ୍ଗ ଓ ସ୍ରୋତ ତା’ର ହାତମୁଠା ମଧ୍ୟରେ । ସେ ଜଣେ ଓସ୍ତାତ୍ ଚୋରାବେପାରୀ । ବର୍ତ୍ତମାନ ତା’ର ସମୟ ବଡ଼ ଖରାପଭାବରେ ବିତୁଛି । ତିନି ତିନିବାର ସେ ଜେଲ ଖଟିଛି । ପୁଲିସ ସବୁବେଳେ ତା’ ପଛେ ପଛେ ବୁଲୁଛି । ସେ ଭୋରରୁ ଜିବ୍ରାଲଟର ପାରିହୋଇ ଆସେ, ପୁଣି ରାତି ଅନ୍ଧାରରେ ଘରକୁ ଫେରିଯାଏ-। ତା’ର ମନ୍ତବ୍ୟଶୁଣି ଓ କେତେକ ମତାମତ ସଂଗ୍ରହକରି ମିହିରକୁମାର ତାକୁ ବିଦାୟ ଦେଇଦେଲେ-

 

ମିହିରକୁମାର ପାଇଲଟ ଖୋଜିବାକୁ ଲାଗିଲେ । ଶେଷରେ ଉଇଲି ସୋମେସ ବୋଲି ପାଇଲଟକୁ ଖୋଜି ଖୋଜି ପାଇଲେ । ଉଇଲି ମଧ୍ୟ ଜଣେ ନାମଜାଦା ଜଳଦସ୍ୟୁ । ସ୍ପେନ, ମରକ୍କୋ, ଆଲଜିଅରସ୍, ଜିବ୍ରାଲଟର ଓ ରୟେଲନାଭିର ତୀକ୍ଷ୍ଣ ଦୃଷ୍ଟିକୁ ଫାଙ୍କିଦେଇ ସୋମେସ ଜିବ୍ରାଲଟର ବୁକୁରେ ରାତିବେଳେ କାମଦାମକରି ଚାଲିଯାଏ । ଜଳଦସ୍ୟୁ କାମ ବଦଳରେ ମିହିରକୁମାରଙ୍କୁ ସେ ଜିବ୍ରାଲଟର ପାରିହେବାର ପଥ ଦେଖାଇବାକୁ ରାଜିହେଲା ।

 

ମିହିରକୁମାର ଆଉ ଅନ୍ୟ ପାଇଲଟ ନ ଖୋଜି ଜିବ୍ରାଲଟ ପ୍ରଣାଳୀର ପାଗର ଗତି, ଢେଉ ଓ ସ୍ରୋତ ବିଷୟରେ ପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରୁ ତାଲିକା ଆଣିଲେ । ଜ୍ୟାମିଟି ତାଙ୍କୁ ସାହାଯ୍ୟ କଲେ । ଅଗଷ୍ଟ ମାସ ୨୩ଠାରୁ ୨୭ ପର୍ଯ୍ୟନ୍ତ ପାଗର ଗତି ଭଲ ରହିବ ଏବଂ ସ୍ରୋତରବେଗ ଓ ଢେଉରଉଚ୍ଚତା କମ୍ ରହିବବୋଲି ତାଙ୍କୁ ଜଣାଇ ଦିଆଗଲା ।

 

ମଙ୍ଗଳବାର ୨୩ ଅଗଷ୍ଟ ଆସିଲା ଗୌରବ, ଗାରିମା ଏବଂ ବହୁ ଆଶା ଭରସାକୁ ସାଙ୍ଗରେ ଘେନି । ଯେଉଁଭାବରେ ଆଶା ଭରସାର ପରିଚୟ ମିଳିଲା ସେପରି ଆଶା ଭାରସା ମିହିରକୁମାର କଦାପି ଆଶା କରିନଥିଲେ । ଜିବ୍ରାଲଟର ତଟ ଉପରେ ‘ଜିରକ’ ବୋଲି ପରିଚିତ ଯେଉଁ ୧୪୦୦ପୁଟ ଉଚ୍ଚ ପର୍ବତ ନିଜର ଆଧିପତ୍ୟ ବିସ୍ତାର କରି ଦଣ୍ଡାୟମାନ ହୋଇରହିଛି, ତାହା ଉପରର ନୀଳ ଆକାଶଟା କିପରି ମେଘୁଆ ଦେଖାଯାଉଥାଏ ।

 

ସେହିଦିନ ମିହିରକୁମାର ସନ୍ତରଣ ଆରମ୍ଭ କରିବାର ଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ସମସ୍ତ ପ୍ରାରମ୍ଭିକ ଆୟୋଜନ ସମ୍ପୂର୍ଣ ହୋଇପାରିନଥିଲା । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ତରଣ ପୂର୍ବରୁ ଯାହା ଆୟୋଜନ କରାଯିବାର କଥା ଖୁବ୍ ଚାନ୍ଦ, ଜ୍ୟାମିଟ୍ ଏବଂ ଅନ୍ୟାନ୍ୟ କେତେଜଣ ଆପ୍ରାଣ ଚେଷ୍ଟାକରି ନିର୍ଦ୍ଦିଷ୍ଟ ସମୟମଧ୍ୟରେ ସମସ୍ତ ବ୍ୟବସ୍ଥା ଶେଷ କରିଥିଲେ । ଏହି ଅବସରରେ ମିହିରକୁମାର ସାମାଜିକ ଭଦ୍ରତାରକ୍ଷା ଖାତିରରେ ଜିବ୍ରାଲଟର ଗଭର୍ଣ୍ଣର, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ଲୋକମାନଙ୍କ ସାଙ୍ଗରେ ଦେଖାସାକ୍ଷାତ କରିନେଲେ । ସମସ୍ତେ ମିହିରକୁମାରଙ୍କର ଏହି ସନ୍ତରଣ ପରିକଳ୍ପନାରେ ଆଗ୍ରହଶୀଳ ଥିବାର ଜଣାଗଲା । ଆଉ କେହି କେହି ତାଙ୍କୁ ସାବଧାନ କରିଦେଲେ ଓ କେହି କେହି ବିରୁଦ୍ଧ ମତ ଦେଲେ ।

 

ଜିବ୍ରାଲଟରର ଭ୍ରମଣ ବିଭାଗୀୟ ମନ୍ତ୍ରୀ ଶ୍ରୀ ଶାରାଙ୍ଗଲ ଜଣେ ବିରାଟ ବ୍ୟକ୍ତିତ୍ଵସମ୍ପନ୍ନ ମନ୍ତ୍ରୀ । ସେ ଚାହିଁଥିଲେ ମିହିରକୁମାର ଆଫ୍ରିକାଠାରୁ ଜିବ୍ରାଲଟରକୁ ସନ୍ତରଣକରି ଆସିବାନିମନ୍ତେ । କାରଣ ଏହି ସୀମା ଅନୁସାରେ କେହି ପୂର୍ବରୁ ସନ୍ତରଣ କରିନାହାନ୍ତି । କିନ୍ତୁ ରେକର୍ଡ଼ରୁ ଦେଖାଯାଏ ଯେ ପୂର୍ବେ ଦୁଇଥର ଜିବ୍ରାଲଟର ସନ୍ତରଣ କରାଯାଇଥିଲା । ଭ୍ରମଣ ବିଭାଗ ମନ୍ତ୍ରୀ ମିହିରକୁମାରଙ୍କୁ କହିଲେ, ଏହି ନିର୍ଦ୍ଦେଶ ଅନୁସାରେ ସନ୍ତରଣ କଲେ ପରିବ୍ରାଜକମାନଙ୍କର ଆକର୍ଷଣ ବୃଦ୍ଧି ପାଇବ ।

 

ମିହିରକୁମାର ଜିବ୍ରାଲଟରବାସୀ ଲୋକମାନଙ୍କ ସମ୍ପର୍କରେ କେତେକ ଘଟଣା ଅନୁଧ୍ୟାନ କରି କହିଛନ୍ତି ଯେ ଜିବ୍ରାଲଟରବାସୀଙ୍କ ମନୋଭାବ କ’ଣ ଜଣାଯାଏ ନାହିଁ କି ବୁଝାପଡ଼େ ନାହିଁ । ସେମାନେ ସ୍ପେନ ଅଧିବାସୀମାନଙ୍କର ବଂଶଧର ବୋଲି ଦାବି କରନ୍ତି । ସେମାନଙ୍କର ଜାତୀୟତାବୋଧ ଏପରି ଗୋଟିଏ ବିଷୟ ଯାହା ନଦେଖିଲେ ବିଶ୍ୱାସ କରାଯାଇପାରିବନାହିଁ । ସମୁଦ୍ର ଓ ପାହାଡ଼ ବେଷ୍ଟନୀ ଅନ୍ତରାଳରେ ସେମାନେ ବାସ କରିବାରୁ ସ୍ପେନ ଦେଶୀୟମାନଙ୍କ ପରି ସାବଲୀଳ ଜୀବନଧାରାର ପରିଚୟ ଦେବାର ଦେଖାଯାଏ ନାହିଁ । ମିହିରକୁମାର କହିଛନ୍ତି ମୁଁ ଜିବ୍ରାଲଟର ବାସୀଙ୍କ ମଧ୍ୟରେ କ୍ରମାଗତ ୪୮ ଘଣ୍ଟା ସମୟ ଅତିବାହିତ କରି ସେମାନଙ୍କର ଜାତୀୟତା ସମ୍ପର୍କରେ ମୋର ଏହି ଧାରଣା ହେଇଛି ଯେ ତାଙ୍କର ଏହି ଜାତୀୟତା ଆଖପାଖର ପାହାଡ଼ଗୁଡ଼ିକପରି ବଡ଼ କଠୋର । ମୁଁ ଜିବ୍ରାଲଟରବାସୀମାନଙ୍କର ସ୍ପେନିସୀୟମାନଙ୍କ ପ୍ରତି ବିରୁଦ୍ଧ ମନୋଭାବ ଦେଖି ବଡ଼ ବିସ୍ମିତ ହୋଇଥିଲି ।

 

ମିହିରକୁମାର ଦୁର୍ଭାଗ୍ୟକ୍ରମେ ଏହି ଜିବ୍ରାଲଟର ଓ ସ୍ପେନର ସ୍ନାୟୁଯୁଦ୍ଧ ମଧ୍ୟରେ ପଡ଼ିଗଲେ । ସେ ପ୍ରଥମେ ଜିବ୍ରାଲଟରଠାରୁ ଆଫ୍ରିକାର ସିଉଟା ତୀରରେ ସନ୍ତରଣକରି ଉଠିବାକୁ ସ୍ଥିରକରିଥିଲେ । କିନ୍ତୁ ତାଙ୍କୁ ଶେଷ ମୁହୂର୍ତ୍ତରେ ସେ ପରିକଳ୍ପନାକୁ ତ୍ୟାଗ କରିବାକୁ ପଡ଼ିଲା । କାରଣ ପ୍ରାୟ ଆଠ ମାଇଲ ବ୍ୟାପି ଏକ ବେଗବାନ ସ୍ରୋତ ଆଟଲାଣ୍ଟିକରୁ ଭୂମଧ୍ୟସାଗର ଆଡ଼କୁ ଏହି ପ୍ରଣାଳୀ ମଧ୍ୟଦେଇ ବହିଚାଲିଛି, ପୁଣି ଓଲଟା ଦିଗରୁ ଭୂମଧ୍ୟସାଗରରୁ ସେହିପରି ଗୋଟିଏ ତଳଦେଇ ଆଟଲାଣ୍ଟିକ ଦିଗକୁ ବହିଯାଉଛି । ଏହି ସ୍ରୋତକୁ କାଟିବାକୁଗଲେ ସନ୍ତରଣର ଦୂରତ୍ୱ ଅନେକ ବଢ଼ିଯିବ । ପୂର୍ବ କିମ୍ବା ପଶ୍ଚିମ ତୀରରୁ ଅପର ତୀରକୁ ଗଲେ ପ୍ରାୟ ୧୦ଠାରୁ ୧୫ ମାଇଲ ସନ୍ତରଣ କରିବାକୁ ପଡ଼ିବ । ଟାଞ୍ଜିଆରସଠାରୁ ସିଉଟା ତୀରକୁ ଲକ୍ଷ୍ୟକରି ସନ୍ତରଣ କରିବାକୁ ଗଲେ ଅନ୍ତତଃ ୨୦ମାଇଲ ପଥ ଅତିକ୍ରମ କରିବାକୁ ହେବ, କିନ୍ତୁ ସିଉଟା ପାରିହୋଇଗଲେ ଇଉରୋପ ଓ ଆଫ୍ରିକାର ଦୂରତ୍ୱ ୧୦୦ ମାଇଲ ବଢ଼ିଯିବ ।

 

ମିହିରକୁମାର ଜିବ୍ରାଲଟରଠାରେ କ୍ୟାମ୍ପ କଲେ । ସେ ଚିନ୍ତାକଲେ ସ୍ପେନର ତାରିକାଠାରୁ ସନ୍ତରଣ କରି ଆଫ୍ରିକାରେ ପହଞ୍ଚିବେ । ତାରିକାଠାରୁ ଟାଞ୍ଜିଆରସର ଦୂରତ୍ୱ ମାତ୍ର ସାଢ଼େ ନଅମାଇଲ । ତାରିକା ତୀରରେ ଦଣ୍ଡାୟମାନ ହେଲେ ଆଫ୍ରିକାର ଟାଞ୍ଜିଆରସ ତୀରଭୂମି ଦୃଷ୍ଟିରେପଡ଼େ । ଜିବ୍ରାଲଟରର ଇଉରୋପ ଦିଗରୁ ସିଉଟାର ପର୍ବତମାଳା ପରିଷ୍କାର ଦୃଷ୍ଟି ପଥାରୂଢ଼ ହୁଏ । ଏହିଠାରେ ଜିବ୍ରାଲଟରର ଚଉଡ଼ା ହେଉଛି ୧୬ମାଇଲ । ମିହିରକୁମାର କାହାରିଠାରୁ ଜାଣିନଥିଲେ ଯେ ଏହି ଦୁଇ ସାଗରର ଢେଉ ପ୍ରଣାଳୀର ସରୁ ସ୍ଥାନରେ ଖୁବ୍ ଭୟାବହ ଏବଂ ଭୟଙ୍କର । ସେ କେବଳ ସର୍ଜେଣ୍ଟ ଜ୍ୟାମିଟଙ୍କ ନିକଟରୁ ଢେଉର ଚାର୍ଟଟି ମାତ୍ର ପାଇଥିଲେ ।

 

ଜିବ୍ରାଲଟର ଓ ସ୍ପେନର ଶୀତଳ ଯୁଦ୍ଧ ମଧ୍ୟରେ ମିହିରଙ୍କର ଅଭିଯାନ ବନ୍ଦ ହୋଇଯିବାର ଉପକ୍ରମ ହୋଇଥିଲା । ଜିବ୍ରାଲଟରର ଡଙ୍ଗା ଦେଇ ସ୍ପେନ କୂଳରେ ଯିବାଆସିବାର ଭୟ ସସସ୍ତେ କରିଥାନ୍ତି । ସେଠାରେ ସ୍ପେନର ସଦାଜାଗ୍ରତ ପ୍ରହରୀମାନେ ବନ୍ଧୁକ ଧରି ପହରାଦେଉଥାନ୍ତି । ମିହିରକୁମାରଙ୍କର ଧାରଣା ଥିଲା ଆମର ଦୂତାବାସ ତାଙ୍କର ଏହି ସନ୍ତରଣ ଅଭିଯାନ କଥା ଉକ୍ତ ଦୁଇ ସରକାରକୁ ଜଣାଇଛନ୍ତି ଏବଂ ସେଥିପାଇଁ ଦୁଇ ସରକାରର କୌଣସି ଆପତ୍ତି ରହିବ ନାହିଁ ।

 

ପ୍ରକୃତରେ ଆମର ରାବତ ଓ ମାଦ୍ରିଦ୍ ଦୂତାବାସ କିଛି ବ୍ୟବସ୍ଥା କରିନଥିଲେ । ବିନାଅନୁମତିରେ ଅଭିଯାନ ଆରମ୍ଭ କଲେ ଏକ ଆନ୍ତର୍ଜାତିକ ଗୋଳମାଳ ହୋଇପାରେ । ମିହିରକୁମାରଙ୍କର ନୌକା ସେଲ ଆଘାତରେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଆନ୍ତା କିମ୍ବା ତାଙ୍କୁ ଦିଲ୍ଲୀକୁ ଯାଇ କୈଫିୟତ ଦେବାକୁ ହୁଅନ୍ତା । ସମସ୍ତ କଥା ଭାବିଚିନ୍ତି ମିହିରକୁମାର ରାବତ ଓ ମାଦ୍ରିଦ୍‍କୁ ଟେଲିଫୋନ କଲେ । ରାବତରୁ ଟେଲିଫୋନ ଆସିଲା; ମାଦ୍ରିଦ୍‍ରୁ ଫୋନ ଆସିଲା ଦିନ ସାଢ଼େ ୧୨ଟାରେ । ମାଦ୍ରିଦ୍‍ର ଆମ ଦୂତାବାସର ଫାଷ୍ଟ ସେକ୍ରେଟାରୀ ଶ୍ରୀ ଅରବିନ୍ଦ ଦେଓ ମିହିରକୁମାରଙ୍କୁ ଜଣାଇଲେ ‘‘ସବ୍ ଠିକ୍ ହୈ ।’’ କିନ୍ତୁ ପୁଣି ଦିନ ଦେଢ଼ଟାରେ ଟେଲିଫୋନ ଆସିଲା । ସେଥିରେ ଥିଲା ସ୍ପେନ ସରକାର ଜିବ୍ରାଲଟର ବୋଟ ନେଇ ତାରିକାରେ ପ୍ରବେଶ କରିବାକୁ ଅନୁମତି ଦେଇ ନାହାନ୍ତି । ଏହି ଦୁଃସମ୍ବାଦ ଶୁଣି ମିହିରକୁମାର ଶ୍ରୀ ଦେଓଙ୍କଠାକୁ ମାଦ୍ରିଦ୍ ଠିକଣାରେ ଟେଲିଫୋନ କଲେ । ଶ୍ରୀମତୀ ଦେଓ ମିହିରକୁମାରଙ୍କୁ ଜଣାଇଲେ ଶ୍ରୀ ଦେଓ ନାହାନ୍ତି, ସିକିଉରିଟିପାଇଁ ଯେତେବେଳେ ଜଣାଇଲେ ସେତେବେଳକୁ ଦିନ ୩ଟା । ପରଦିନ ଅର୍ଥାତ୍ ୨୪ ଅଗଷ୍ଟରେ ସେ ସନ୍ତରଣ ଅଭିଯାନ ଆରମ୍ଭ କରିବେ ।

 

ମିହିରକୁମାରଙ୍କୁ ଅନେକ କହିଲେ ଯେ, ଗାଡ଼ିରେ ଯାଇ ସ୍ପେନର ତାରିକାରେ ପହଞ୍ଚି ସନ୍ତରଣ କରିବା ଭଲ । କିନ୍ତୁ ତା’ କିପରି ସମ୍ଭବ ହୋଇପାରେ ? ଏତେବାଟ ଗାଡ଼ିରେ ଯାଇ ରାତିରେ ବିଶ୍ରାମ ନ ନେଇ ସକାଳେ ସନ୍ତରଣ କରି ଜିବ୍ରାଲଟର ଅତିକ୍ରମ କରିବା ଅସାଧ୍ୟ କଥା । ତଥାପି ଖୁବ୍‍ ଚାନ୍ଦ ମିହିରକୁମାରଙ୍କୁ ପ୍ରସ୍ତୁତ ହେବାକୁ ଅନୁରୋଧକଲେ । ମିହିରକୁମାର ରାତି ୯ଟାରେ ତାରିକା ପଥରେ ଯାତ୍ରା କରିବାକୁ ସ୍ଥିର କଲେ ।

 

ମିହିରକୁମାର ଭାବିଲେ ସେ ଯଦି ରାତିରେ ହୋଟେଲ ନ ପାଆନ୍ତି ଓ ବୋଟ ନ ମିଳେ ତେବେ ସନ୍ତରଣ କରିବେ କିପରି ? ହୁଏତ ତାଙ୍କର ସନ୍ତରଣ ଅଭିଯାନ ସମ୍ଭବ ହୋଇପାରିବ ନାହିଁ-। ତାଙ୍କ ମନରେ ନାନା ଚିନ୍ତା ଆସି ପହଞ୍ଚିଲା ।

 

ମିହିରକୁମାର କହିଛନ୍ତି, ‘‘ଆଶ୍ଚର୍ଯ୍ୟ ଘଟଣା ଖୁବ୍ କମ୍ ଘଟିଥାଏ । ମୁଁ ଜୀବନରେ ଲଟାରୀ କେବେ ପାଇନାହିଁ । ତେବେ ଜୀବନ-ଯୁଦ୍ଧରେ ବାଧା ବହୁତଥର ଅତିକ୍ରମ କରିଛି । ଏଥର କ’ଣ ହେବ, ସେହିକଥା ଭାବୁଛି ।’’ ଠିକ୍ ସେହି ମୁହୂର୍ତ୍ତରେ ଟେଲିଫୋନର ରିଙ୍ଗ ହେଲା । ଟେଲିଫୋନ ଧରିବା ପାଇଁ ସର୍ଜେଣ୍ଟ ଜ୍ୟାମିଟ୍, ଖୁବ୍‍ ଚାନ୍ଦ ଓ ମିହିରକୁମାରଙ୍କର ହାତ ଏକସଙ୍ଗରେ ରିସିଭରକୁ ଧରିବା ନିମନ୍ତେ ଆଗେଇ ଗଲା । ଘର ଶୂନଶାନ୍‍, କିଛି ଶବ୍ଦ ନାହିଁ । ଟେଲିଫୋନରେ ମାଦ୍ରିଦ୍‍ଠାରୁ ମିହିରକୁମାରଙ୍କର ବନ୍ଧୁ ଶ୍ରୀ ଦେଓଙ୍କ କଣ୍ଠର ସ୍ୱର ଭାସିଆସିଲା । ମିହିରକୁମାର କହିଲେ, ‘‘କେବଳ ମାତ୍ର ଗୋଟିଏ କଥାର ପ୍ରତୀକ୍ଷାରେ ମୁଁ ଅଧୀର ଆଗ୍ରହରେ ଅପେକ୍ଷା କରିଛି, ସେହି କଥାଟି ଉପରେ ହିଁ ମୋର ଜିବ୍ରାଲଟର ଅଭିଯାନ ନିର୍ଭରକରୁଛି । ସମସ୍ତେ ଚୁପ୍ ହୋଇ ଟେଲିଫୋନକୁ କାନପାତି ରହିଥାନ୍ତି । ଶୁଣିବାକୁ ମିଳିଲା ‘‘ସ୍ପେନ ସରକାର ସନ୍ତରଣ କରିବାକୁ ଅନୁମତି ଦେଇଛନ୍ତି ।’’ ସମସ୍ତେ ଆନନ୍ଦରେ ଅଧୀର ହୋଇପଡ଼ିଲେ ।

 

ମିହିରକୁମାରଙ୍କର ସନ୍ତରଣରେ ରିପୋର୍ଟ କରିବାକୁ ଷ୍ଟେଟ୍‍ସ୍‍ମ୍ୟାନ ପତ୍ରିକାର ମିଷ୍ଟର ଜେମସ୍ କାଉଲେ ଓ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ର ଡକ୍ଟର ତାରାପଦ ବସୁ ସେଠାକୁ ଆସୁଥିବାର ମିହିରକୁମାର ଜାଣିବାକୁପାଇଲେ । ମିହିରକୁମାର ବିଶ୍ରାମ ପାଇଁ ଶୋଇବାକୁ ଗଲେ । ଖୁବ୍ ଚାନ୍ଦ ଓ ଜ୍ୟାମିଟ ଅନେକ ରାତିଯାଏ ମିହିରଙ୍କର ସନ୍ତରଣ ପ୍ରସ୍ତୁତି ଜିନିଷପତ୍ର ଯୋଗାଡ଼ କରିବାରେ ବ୍ୟସ୍ତ ଥିଲେ ।

 

ଅଗଷ୍ଟ ୨୪ ତାରିଖ ଭୋରସମୟ । ମିହିରକୁମାର ସାଢ଼େ ତିନିଟାରୁ ଉଠି କଫି ଆଉ ସ୍ୟାଣ୍ଡ୍ଉଇଚ୍ ଖାଇ ୪ଟାବେଳେ ହୋଟେଲରୁ ବାହାରି ପଡ଼ିଲେ । ବନ୍ଦରକୁ ଯାଇ ମିହିରକୁମାର ଦେଖିଲେ ଚାରିଆଡ଼େ ରିପୋର୍ଟର, ଟେଲିଭିଜନ ଓ ଫିଲମ୍‌ରଲୋକ ରୁଣ୍ଡହୋଇଛନ୍ତି । ତାଙ୍କର ପରିଚିତ ବାନ୍ଧବୀ ଶ୍ରୀମତୀ ଖୁବ୍‌ଚାନ୍ଦ ଓ ମିସେସ୍‌ ଜ୍ୟାମିଟି ଏବଂ ଆଉ ଅନେକ ‘ଇଉବରିୟେଣ୍ଡର’ ଜାହାଜ ଡେକରେ-ଦଣ୍ଡାୟମାନ ହୋଇଛନ୍ତି । ତା’ପରେ ବିଶ୍ରାମ ପାଇଁ ମିହିରକୁମାର କେବିନରେ ପୁଣି ଶୋଇପଡ଼ିଲେ । ଦୁଇଘଣ୍ଟା ପରେ ଜ୍ୟାମିଟଙ୍କ ଡାକରେ ମିହିରକୁମାରଙ୍କର ନିଦ ଭାଙ୍ଗିଗଲା ।

 

ମିହିରକୁମାର ଜାହାଜ ଡେକରେ ଦଣ୍ଡାୟମାନ ହୋଇଥାନ୍ତି, ତାଙ୍କର ଦୃଷ୍ଟି ପଡ଼ିଲା ଶାନ୍ତ ନୀଳସମୁଦ୍ର ଉପରେ । ପ୍ରାୟ ୪୦୦ ଗଜ ଦୂରରେ ସ୍ପେନର ପୋଷ୍ଟପାଣ୍ଟା ଓଲିଭେରସ, ପୂର୍ବ ଦିଗରେ ତାରିକା ଠିକ୍‍ ଅଧମାଇଲ ଦୂରରେ । ସେହିଠାରୁ ତାଙ୍କର ସନ୍ତରଣ ଆରମ୍ଭ ହେବ । ଜାହାଜର ଡେକରେ ଜିବ୍ରାଲଟରର ଟେଲିଭିଜନ କ୍ୟାମେରାରେ ଜେ, ବ୍ରୁଗାଡ଼ର–ମିହିରକୁମାରଙ୍କ ସଙ୍ଗରେ ଆଲୋଚନା ରେକର୍ଡ଼କଲେ । ଏହି ସମୟରେ ପାଖଦେଇ ଦୁଇଟି ସ୍ପେନିସ କେଉଟଙ୍କର ନୌକା ଯାଉଥିଲା । ସେମାନେ ମିହିରକୁମାରଙ୍କ ନିକଟକୁ ମୁଠାଏ ମାଛ ଫିଙ୍ଗିଦେଇ ଶୁଭେଚ୍ଛା ଜଣାଇଦେଇ ଚାଲିଗଲେ ।

 

ମିହିରକୁମାର କହିଥିଲେ, ସେ ପାଣିରେ ପ୍ରବେଶ କରିବାକୁ ପ୍ରସ୍ତୁତ । ଠିକ୍‌ ସେହି ସମୟରେ ଛୋଟ ପାହାଡ଼ଉପରୁ ଓହ୍ଲାଇଆସିଲା ସବୁଜପୋଷାକ ପରିହିତ ଜଣେ ସୈନିକ-କାନ୍ଧରେ ତା’ର ରାଇଫଲ । କୌଣସି ପ୍ରଶ୍ନ ସେ କରିବାକୁ ଆସିନାହିଁ । ସେ ମୋତେ ଶୁଭେଚ୍ଛା ଜଣାଇବାକୁ ଆସିଥିଲା । ସର୍ଜେଣ୍ଟ ଜ୍ୟାମିଟଙ୍କ ସିଗନାଲ ପାଇଁ ମୁଁ ପାଣିରେ ଡେଇଁ ପଡ଼ିଲି । ମୁଁ ଯେପରି ରେଫ୍ରିଜେଟର ମଧ୍ୟକୁ ଚାଲିଗଲି ବୋଲି ମନେକଲି ।

 

୧୮୬୬ ସାଲ ଅଗଷ୍ଟ ଚବିଶ ତାରିଖ ୭ ଘଣ୍ଟା ୧୪ ମିନିଟରେ ମିହିରକୁମାର ସନ୍ତରଣ ଆରମ୍ଭ କଲେ । ଭୀଷଣ ଥଣ୍ଡା କଟାଇବାକୁ ତାଙ୍କୁ ଏକ ଘଣ୍ଟା ଖୁବ୍‌ ଜୋରରେ ସନ୍ତରଣ କରିବାକୁ ହୋଇଥିଲା । ସେତେବେଳଠାରୁ ସମୁଦ୍ରର ଜଳ ଉତ୍ତାଳ ଓ ଅଶାନ୍ତ ଥିଲା ।

 

ଆକାଶ ପରିଷ୍କାର । ଜଳ ଧୋବ ଓ ଚକ୍‌ଚକ୍‌ । ସେ ଜଳ ଏତେ ଥଣ୍ଡା ଯେ ମିହିରକୁମାର ସନ୍ତରଣ ଚଷମା ମଧ୍ୟ ଦେଇ ଜଳର ଫେଣ ଦେଖି ପାରୁନଥିଲେ । ସେ ଅସ୍ୱସ୍ତିବୋଧ କଲେ ମଧ୍ୟ ଆବହାୱା ଏବଂ ସବୁ ଦିଗରୁ ପରିସ୍ଥିତି ଖୁବ୍‌ ଭଲଥିଲା । ଶରୀରରେ ତାଙ୍କର ଜୋର୍‍ ପାଉନଥିଲା । କାରଣ ସନ୍ତରଣ କରିବା ପୂର୍ବରୁ ସେ କେତେଦିନ ‘ଫ୍ଲୁ’ ଭୋଗିଥିଲେ । ପେନସିଲିନ୍‌ ନେଇ କୌଣସିମତେ ସୁସ୍ଥ ହୋଇଥିଲେ । ତାଙ୍କର ମନେହେଉଥିଲା ସାଢ଼େ ଛଅ ଘଣ୍ଟା ମଧ୍ୟରେ ସେ ସାଢ଼େ ନଅ ମାଇଲ ସନ୍ତରଣକରି ଯାଇପାରିବେ ।

 

ନଅଘଣ୍ଟା ସନ୍ତରଣ କଲାପରେ ଜଳର ଉଷ୍ମତା ବୃଦ୍ଧିପାଇଲା । ସେହି ଉଷ୍ମତା ଥିଲା ମାତ୍ର ଏକ ମାଇଲ ପର୍ଯ୍ୟନ୍ତ । ଆଟଲାଣ୍ଟିକର ଜଳସ୍ରୋତ ବହିବା ହେଲା ଏହାର କାରଣ । କିନ୍ତୁ ଏହି ଜଳ ମଧ୍ୟରେ ସାଧାରଣତଃ ବଡ଼ ବଡ଼ ହାଙ୍ଗର ଥାନ୍ତି। କିଷାନ ଖୁବ୍‌ଚାନ୍ଦ ମିହିରକୁମାରଙ୍କର ଖୁବ୍‌ ନିକଟ ଦେଇ ଗୋଟିଏ ବୋଟରେ ଯାଉଥିଲେ । ସେ ବଡ଼ ଜାହାଜକୁ ସିଗନାଲ ଦେଲେ ଏବଂ ଜିବ୍ରାଲଟର ପୁଲିସ ପ୍ରହରୀମାନେ ରାଇଫଲ ଉଠାଇ ହାଙ୍ଗର ମାରିବା ପାଇଁ ପ୍ରସ୍ତୁତ ହୋଇଗଲେ ।

 

ମିହିରକୁମାର ବଡ଼ ବଡ଼ ଢେଉ କାଟି ଆଗେଇ ଚାଲିଥିଲେ । ଜିବ୍ରାଲଟରର ଐତିହାସିକ ଜଳ–ଯେଉଁଠାରେ ଟ୍ରାଫଲଗାରର ନୌ-ଯୁଦ୍ଧରେ ବ୍ରିଟିଶ ଆଡ଼ମିରାଲ ନେଲସନ ସ୍ପେନର ଆର୍ମର୍ଡାକୁ ହରାଇଥିଲେ ।

 

ପୁଣି ମିହିରକୁମାର ଥଣ୍ଡା ଜଳକୁ ଫେରିଗଲେ । ଦେହର ଉତ୍ତାପ ୯୮ଡିଗ୍ରୀ, କିନ୍ତୁ ଜଳର ଉତ୍ତାପ ୫୮ଡିଗ୍ରୀ ଥାଏ । ସୁତରାଂ ସନ୍ତରଣ କରି ପୁଣି ଦେହକୁ ଗରମ କରିବାପାଇଁ ଦ୍ରୂତଗତିରେ ଆଗେଇ ଚାଲିଥାନ୍ତି । ଆଠ ଘଣ୍ଟା ମଧ୍ୟରେ ସେ ଥରେ ମାତ୍ର ଖାଦ୍ୟ ଖାଇଥିଲେ ।

 

ହଠାତ୍‌ ସକାଳ ୧୦ଟା ସମୟରେ ଭୂ-ମଧ୍ୟସାଗରରୁ ଆଟଲାଣ୍ଟିକ ସାଗରକୁ ଢେଉ ଆସିବାକୁ ଲାଗିଲା । ଢେଉର ଏତେ ଜୋର ଯେ ମିହିରକୁମାର ମନେକଲେ ଯେପରି ତାଙ୍କର ଦେହର ପଞ୍ଜରାଗୁଡ଼ିକ ଖୋଲି ଖୋଲି ଯାଉଛି । ଢେଉର ଉଚ୍ଚତା ଥିଲା ପ୍ରାୟ ୫ଫୁଟ ଆଉ ବତାସର ତୀବ୍ର ଗତିଯୋଗୁଁ ସେ ଦୁଇ ପାଦ ଆଗେଇଲେ ଏକ ପାଦ ତାଙ୍କୁ ପଛେଇ ଆସିବାକୁ ପଡ଼ୁଥିଲା । ଖୁବ୍‌ ଧୀରେ ଧୀରେ ସେ ଅଗ୍ରସର ହେଉଥିଲେ ।

 

ଝଡ଼ ଓ ଥଣ୍ଡା ପବନ ଯୋଗୁଁ ମିହିରକୁମାରଙ୍କ ବନ୍ଧୁ ଷ୍ଟେଟସମ୍ୟାନର ଜେମସ୍‌ କାଉଲ ଓ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼ର ପ୍ରତିନିଧି ଡକ୍ଟର ତାରାପଦ ବସୁ ଚମଡ଼ାର କୋଟ ପିନ୍ଧି ବସିଥିଲେ । ଦିନ ଏଗାରଟା ସମୟରେ ମଧ୍ୟ ଶ୍ରୀ ବସୁ ଓ କାଉଲ ଦେହରୁ କୋଟ ଖୋଲିନଥିଲେ ।

 

ମିହିରକୁମାର କହିଲେ ସମୁଦ୍ର ସଙ୍ଗରେ ମୁଁ ଲଢ଼େଇକରି ଚାଲିଥାଏ । ମୋର ପାଇଲଟଙ୍କୁ ଅନୁସରଣ କରିବା ମୋ ପକ୍ଷରେ ଦୁଃସାଧ୍ୟ ହୋଇ ପଡ଼ିଥିଲା । ଇଂଲିଶପ୍ରଣାଳୀ, ଭାରତ ମହାସାଗରର ପାକ୍‌ପ୍ରଣାଳୀରେ ସନ୍ତରଣ କରିବା ଖୁବ୍‌ ସହଜ ହୋଇଥିଲା । କିନ୍ତୁ ଏଠାରେ ମୁଁ ଯେପରି ମୋର ସମସ୍ତ ଶକ୍ତି ହରାଇ ପକାଇଥିଲି । ଶରୀର ସବୁ ଯେପରି ଭାଙ୍ଗି ଚୁରମାର ହୋଇ ଯାଉଥିଲା । ଆଗେଇ ଯିବା ମୋ ପକ୍ଷରେ ଦୁଃସାଧ୍ୟ ବ୍ୟାପାର ହୋଇ ପଡ଼ିଥିଲା ।

 

ସମୁଦ୍ର ଏତେ ଅଶାନ୍ତ ଥିଲା ଯେ, ରୟଲ ଲାଇଫ ସେଭିଂ ସୋସାଇଟିର ସଭାପତି ଓ ସନ୍ତରଣର ପ୍ରଧାନ ପରିଚାଳକ ଶ୍ରୀହୋରେସ ଜ୍ୟାମିଟ ଇଉବରିଏଣ୍ଡାର ଜାହାଜର ଓଭର ବୋର୍ଡ଼ରୁ ଖସିପଡ଼ିଲେ । ସେ ଓ ମିହିରଙ୍କ ଗାଇଡ୍‌ ପାଇଲଟ ସୋମେସ ନିଜ ବୋଟରୁ ଅନ୍ୟ ବୋଟକୁ ଚାଲିଆସିଲେ । ଗୋଟିଏ ଆଠଫୁଟର ବୋଟ ମଧ୍ୟ ତାଙ୍କ ପଛେ ପଛେ ଆସୁଥିଲା । ଶ୍ରୀ ଜ୍ୟାମିଟ ଓ ପାଇଲଟ ସୋମେସ ଶ୍ରୀ ମିହିରଙ୍କୁ କହିଲେ, ତୁମେ ପଞ୍ଜୁରୀ ମଧ୍ୟକୁ ଚାଲିଯିବା ଉଚିତ ହେବ । କାରଣ ବହୁ ସମୟ ହେବ ଗୋଟିଏ ଲମ୍ୱା ହାଙ୍ଗର ତୁମକୁ ଅନୁସରଣ କରୁଛି । ହାଙ୍ଗରଟି ଖୁବ୍‌ ନିକଟକୁ ଆସିଗଲାରୁ ଶ୍ରୀ ଜ୍ୟାମିଟ୍‌ ମିହିରକୁମାରଙ୍କୁ ପଞ୍ଜୁରୀ ମଧ୍ୟକୁ ଯିବାକୁ ଅନୁରୋଧ କଲେ । କାରଣ ଜୀବନକୁ ଏପରି ବିପନ୍ନ କରିବା ସେ ଉଚିତ ମନେକଲେ ନାହିଁ । ମିହିରକୁମାର ପଞ୍ଜୁରୀ ମଧ୍ୟରେ ରହି ସନ୍ତରଣ କରିବା ସପକ୍ଷରେ ନଥିଲେ । କିନ୍ତୁ ବାଧ୍ୟହୋଇ ସେ ପଞ୍ଜୁରୀ ମଧ୍ୟରେ ପ୍ରବେଶ କଲେ । ସେ ପଞ୍ଜୁରୀଟି ତାର ଜାଲିରେ ତିଆରି ଓ ଚତୁସ୍କୋଣାକାର । ତଳରୁ ଚାରୋଟି ତକ୍ତାନେଟ ଉପରକୁ ଉଠିଆସିଛି । ନେଟ ମୁଖଟି ତଳେଇ ଧରିବାରୁ ମିହିରକୁମାର ତା’ ମଧ୍ୟରେ ପ୍ରବେଶ କଲେ । ଏ ପଞ୍ଜୁରୀ ମଧ୍ୟରେ ସନ୍ତରଣ କରିବା ବଡ଼ କଷ୍ଟକର ଏବଂ ସନ୍ତରଣ ଗତି ପଞ୍ଜୁରୀ ମଧ୍ୟରେ କମିଯାଏ । ଏଥିପାଇଁ ସମୟ ବେଶି ଲାଗେ । ସେ ସମୟରେ ଜଳ ଖୁବ୍‌ ଥଣ୍ଡା ଥିଲା ଓ ଜୋର ବତାସ ଯୋଗୁଁ ଢେଉ ଖୁବ୍‌ ପ୍ରବଳ ଏବଂ ଉଚ୍ଚ ଥିଲା । ଆବହାୱାର ପୂର୍ବାଭାସ ଅନୁଯାୟୀ ଛଅ ଘଣ୍ଟା ମଧ୍ୟରେ ସନ୍ତରଣ ଶେଷ ହେବାର ଥିଲା ।

 

ମିହିରକୁମାର ଉକ୍ତଦିନ ସକାଳ ୭ଘଣ୍ଟା ୧୪ମିନିଟରେ ସନ୍ତରଣ ଆରମ୍ଭ କରିଥିଲେ । ନାନା ସଙ୍କଟର ସମ୍ମୁଖୀନ ହୋଇ ସେଦିନ ଉପରଓଳି ୩ଘଣ୍ଟା ୧୫ମିନିଟ ସମୟରେ ଆଫ୍ରିକାର ସିଉଟା ଉପକୂଳରେ ସାଫଲ୍ୟର ସହିତ ପହଞ୍ଚି ଭାରତୀୟ ତ୍ରିରଙ୍ଗ ପତାକା ଉଡ଼ାଇଥିଲେ । ସେତେବେଳକୁ ମଧ୍ୟ ସମୁଦ୍ର ତା’ର ରୂଦ୍ରମୂର୍ତ୍ତି ସମ୍ୱରଣ କରିନଥିଲା । ଜିବ୍ରାଲଟର ପ୍ରଣାଳୀ ସବୁଦିଗରୁ ସନ୍ତରଣର ପ୍ରତିକୂଳ ଥିଲା ।

 

ମିହିରକୁମାର କହିଛନ୍ତି, ଜୀବନରେ ସେ ଯେତେ ସନ୍ତରଣ ଅଭିଯାନ କରିଛନ୍ତି ଏପରି ଅମାନୁଷିକଭାବେ କେବେ ସେ ସନ୍ତରଣ କରିନଥିଲେ । ଏହା ତାଙ୍କ ଜୀବନରେ ଏକ ନୂତନ ଅଭିଜ୍ଞତା । ସ୍ପେନ୍‌ ଉପକୂଳର ତାରିକାଠାରୁ ମରକୋ ଉପକୂଳର ପୁନେଟା ପର୍ଯ୍ୟନ୍ତ ସନ୍ତରଣ ପଥର ଦୂରତ୍ୱ ସାଢ଼େ ନଅ ମାଇଲ । କିନ୍ତୁ ମିହିରକୁମାରଙ୍କୁ ଉକ୍ତ ପ୍ରଣାଳୀ ୨୩ ମାଇଲରୁ ଅଧିକ ପଥ ସନ୍ତରଣ କରିବାକୁ ପଡ଼ିଥିଲା । କାରଣ ପ୍ରବଳ ସ୍ରୋତର ବେଗ ଏବଂ ଅଶାନ୍ତ ଆବହାୱା ଫଳରେ ପୁନେଟା-ସାଇରେସ ବଦଳରେ ବହୁଦୂର ପୁନେଟା-ଆଲମିରାଠାରେ ସନ୍ତରଣ ଶେଷ କରିବାକୁ ପଡ଼ିଥିଲା ।

 

ମିହିରକୁମାର ହିଁ ଏସିଆର ପ୍ରଥମ ସନ୍ତରଣକାରୀ ଯିଏ କି ଇଉରୋପ ଓ ଆଫ୍ରିକାର ମଧ୍ୟବର୍ତ୍ତୀ ଏହି ବିପଦସଙ୍କୁଳ ଜିବ୍ରାଲଟର ପ୍ରଣାଳୀ ପାର ହେଲେ । ଜିବ୍ରାଲଟର କ୍ରନିକଲ ପତ୍ରିକା ମତପ୍ରକାଶ କରିଥିଲା, ମିହିରକୁମାର ଯେଉଁ ସ୍ଥାନରୁ ଉକ୍ତ ପ୍ରଣାଳୀ ପାରିହେଲେ ଏହା ପୂର୍ବରୁ ଏହି ସ୍ଥାନରୁ ଆଉ କେହି ପାରିହୋଇନଥିଲେ । ସନ୍ତରଣ ପରେ ଭାରତର ରାଷ୍ଟ୍ରଦୂତ ତାଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ ।

 

ମିହିରକୁମାର ଜିବ୍ରାଲଟର ସନ୍ତରଣ ପରେ ପରେ ପ୍ରଥମେ ଭାରତର ରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନଙ୍କର ଅଭିନନ୍ଦନ ବାର୍ତ୍ତା ପାଇଥିଲେ । ତା’ପରେ ବଙ୍ଗଳାର ଗଭର୍ଣ୍ଣର ଶ୍ରୀମତୀ ପଦ୍ମଜା ନାଇଡ଼ୁଙ୍କଠାରୁ ମଧ୍ୟ ଅଭିନନ୍ଦନ ବାର୍ତ୍ତା ପାଇଥିଲେ ।

 

ସନ୍ତରଣ ପରେ ଭାରତୀୟ ଦୂତାବାସର ଦୁଇଜଣ ଡାକ୍ତର ମିହିରକୁମାରଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକରି ଭଲଥିବାର ମତଦେଲେ । ଓଜନରେ ସେ ପାଞ୍ଚ ପାଉଣ୍ଡ କମିଯାଇଥିଲେ । ଦୀର୍ଘ ସମୟ ସନ୍ତରଣ ମଧ୍ୟରେ ସେ ମାତ୍ର ଥରେ ମହୁ ଓ କଫି ପାନ କରିଥିଲେ ।

 

ମିହିରକୁମାରଙ୍କର ଜିବ୍ରାଲଟର ବିଜୟରେ ସମଗ୍ର ପୃଥିବୀର ସମ୍ୱାଦପତ୍ରମାନେ ପ୍ରଶଂସାମୁଖର ହୋଇ ତାଙ୍କର ଗୁଣଗାନ କରିଥିଲେ । ଭାରତର ସମ୍ୱାଦପତ୍ରମାନଙ୍କରେ ମଧ୍ୟ ମିହିରକୁମାରଙ୍କର ବିଜୟର ଜୟଜୟକାର ପଡ଼ିଯାଇଥିଲା ।

 

ଛଅ

ଦାର୍ଦ୍ଦନେଲିସ ବିଜୟ

 

ଇଉରୋପ ଓ ଏସିୟାନ୍‌ ତୁରସ୍କ ମଧ୍ୟସ୍ଥ ପ୍ରଣାଳୀ ନାମ ଦାର୍ଦ୍ଦନେଲିସ ପ୍ରଣାଳୀ । ପୁରାକାଳରେ ଦାର୍ଦ୍ଦନେଲିସର ନାମ ‘‘ହେଲେସପଣ୍ଟ’’ ଥିଲା । ମର୍ମରାସାଗର ସ୍ରୋତ ଆସି ପଡ଼ିଛି ଏଜିଆନ ସାଗରରେ । କହିବାକୁ ଗଲେ ମର୍ମରାସାଗର ଓ ଏଜିଆନ ସାଗରକୁ ସଂଯୁକ୍ତ କରିଛି ଏହି ହେଲେସପଣ୍ଟ ବା ଦାର୍ଦ୍ଦନେଲିସ ପ୍ରଣାଳୀ । ଠିକ୍‌ ଭାରତ ମହାସାଗରରେ ସିଂହଳ ଓ ଭାରତପରି । ହେଲେସପଣ୍ଟ ୪୦ମାଇଲ ଲମ୍ୱ ଓ ପାଞ୍ଚ ମାଇଲ ପ୍ରସ୍ଥ । ଆଉ ଏହି ହେଲେସପଣ୍ଟ ଏସିଆ ଓ ଇଉରୋପକୁ ପହରା ଦେଉଛି ।

 

ମର୍ମରାସାଗରଠାରୁ କୁମକେଲ କିମ୍ୱା ସେନ୍ଦୁଲବାହିର ଉତ୍ସସ୍ଥାନ ଗ୍ୟାଲିବାଉଏ (ଗ୍ୟାଲିପଲି ନୂତନ ନାମ) ଦାର୍ଦ୍ଦନେଲିସଠାରେ ଅବତରଣକରି ୪୦ମାଇଲ ସନ୍ତରଣକରି ଏଜିଆନ ସାଗରରେ ଉଠିବେ ବୋଲି ମିହିରକୁମାର ସ୍ଥିରକରିଥିଲେ । ସେ ଭାବିଥିଲେ ତାଙ୍କୁ ସନ୍ତରଣ କରିବାକୁ ପ୍ରାୟ ୨୦ଘଣ୍ଟା ସମୟ ଲାଗିବ । କିନ୍ତୁ ଏହି ୨୦ଘଣ୍ଟା ମଧ୍ୟରେ ସେ ବିଗତ ଅଢ଼େଇହଜାର ବର୍ଷର ବହୁ ଲୋକଙ୍କର ଇତିହାସ ଅତିକ୍ରମ କରିପାରିବେ ।

 

ଦାର୍ଦ୍ଦନେଲିସ ପ୍ରଣାଳୀ ଖୁବ୍‌ ଚଉଡ଼ା ନୁହେଁ; ତେବେ ସେ ବଡ଼ ଗଭୀର ଓ ଅଙ୍କାବଙ୍କା ପ୍ରଣାଳୀ । ଯେପରି ଜଣାଯାଉଛି ମର୍ମରାସାଗରରୁ ସ୍ରୋତ ଏଜିଆନ ସାଗର ଦିଗକୁ ପ୍ରବାହିତ ହୁଏ-। ସେ ପ୍ରଣାଳୀ ଖରସ୍ରୋତା ଓ ତରଙ୍ଗପୂର୍ଣ୍ଣ । ମଧ୍ୟ ପଥରେ ଏହି ସ୍ରୋତ ଦୁଇ ତୀର ଆଡ଼କୁ ବହିଚାଲେ । ବାଙ୍କ ନିକଟରେ ଘୂର୍ଣ୍ଣିସ୍ରୋତ ମଧ୍ୟ ପ୍ରଖର । ଦାର୍ଦ୍ଦନେଲିସରେ କୁଆଡ଼େ ଡ୍ରାଗନ ଓ ଜଳଦୈତ୍ୟ ଥିବାର ପ୍ରାଚୀନକାଳର ଗଳ୍ପମାନଙ୍କରୁ ଜଣାଯାଏ । ଏପର୍ଯ୍ୟନ୍ତ ସେ ବିଷୟରେ ପୂର୍ଣ୍ଣ ତଥ୍ୟ ସଂଗ୍ରହ ହୋଇନାହିଁ । ମିହିରକୁମାର କହିଛନ୍ତି ‘‘ଏଠାରେ ହାଙ୍ଗର ଓ ସାପ ଥିବା କଥା ଜଣା ପଡ଼ିନାହିଁ ।’’ ସାପ ଓ ହାଙ୍ଗରର ଭୟଙ୍କର ରୂପ ସେ ଦେଖିଛନ୍ତି । ଏସବୁ ଜନ୍ତୁ ଥିଲେ ମଧ୍ୟ ସେ ଆଶ୍ଚର୍ଯ୍ୟ ହେବେନାହିଁ ବୋଲି ମନେକରନ୍ତି ।

 

ଦାର୍ଦ୍ଦନେଲିସ ଯିବା ପୂର୍ବରୁ ମିହିରକୁମାର କହିଥିଲେ, ‘‘ଇସ୍ତାନବୁଲରୁ ମୁଁ ଜିବ୍ରାଲଟରର ଗାଲିପଲିରେ ଯାଇ ବିମାନରୁ ଓହ୍ଲାଇବି । ସେହିଠାରେ ମୁଁ କ୍ୟାମ୍ପ ସ୍ଥାପନ କରିବି । ସେଠାରେ ଅଭିଜ୍ଞ ପାଇଲଟ ଓ ଦାର୍ଦ୍ଦନେଲିସ ସ୍ରୋତର ଅନୁଶୀଳନ ମୋର ଏକାନ୍ତ ପ୍ରୟୋଜନ । ଆଙ୍କାରାର ଦୂତାବାସ ସଙ୍ଗରେ କେବଳ ସମ୍ପର୍କ ଚିଠିରେ । ମୋର ଅର୍ଥ ସ୍ୱଳ୍ପଥିବାରୁ ଭାରତରୁ କାହାରିକୁ ସଙ୍ଗରେ ନେଇପାରିନାହିଁ । ଦାର୍ଦ୍ଦନେଲିସ ମିଲିଟାରୀ ନିଷେଧ ଅଞ୍ଚଳ । ସେଥିପାଇଁ ମନେକରିଥିଲି ମୋର ଏ ଅଭିଯାନ ହୁଏତ ସମ୍ଭବ ହେବନାହିଁ । କିନ୍ତୁ ଆମ ବହିର୍ବିଷୟକ ଦପ୍ତରର ସାହଯ୍ୟ ପାଇ ତା’ ସମ୍ଭବ ହୋଇପାରିଛି । ତୁରସ୍କ ସରକାର ସନ୍ତରଣ କରିବା ପାଇଁ ମୋତେ ଅନୁମତି ଦେଇଛନ୍ତି-

 

ଦାର୍ଦ୍ଦନେଲିସ ସନ୍ତରଣ କରିବାବେଳେ ଇଉରୋପ ଡାହାଣ ଦିଗରେ ରହିବ ଓ ବାମ ଦିଗରେ ରହିବ ଏସିଆ; ଆଉ ଦାର୍ଦ୍ଦନଲିସର ଗଭୀର ଜଳରେ ରହିବ ୨୫ଶହ ବର୍ଷର ସ୍ମୃତି । ଯଦି ମୁଁ ସାଫଲ୍ୟ ଲାଭକରେ ତା’ହେଲେ ନିଦ୍ରାହୀନ ଯାତ୍ରୀର କ୍ଳାନ୍ତ ଅବସନ୍ନ ଦେହରେ ଆସିବ ନୂତନ ଉଦ୍ୟମ, ମନରେ ଜାଗିବ ପୁଣି ନୂତନ ଅଭିଯାନର ବାସନା ।’’

 

୧୯୬୬ ସାଲ ସେପ୍ଟେମ୍ୱର ୧୨ତାରିଖ ସକାଳ ପାଞ୍ଚଟା ସମୟରେ ଗାଲିପଲି ପଶ୍ଚିମ କୂଳରେ ମିହିରକୁମାର ଦଳବଳ ସହ ଆସି ପହଞ୍ଚିଲେ । କିନ୍ତୁ ସେତେବେଳକୁ ଝଡ଼ବତାସ ଆରମ୍ଭ ହୋଇଯାଇଥାଏ । ତୁରସ୍କ ସରକାରଙ୍କର ଦୁଇଖଣ୍ଡ ମଟର ଲଞ୍ଚ ମିହିରକୁମାରଙ୍କୁ ଅପେକ୍ଷା କରି ସେଠାରେ ଥିଲା । ମିହିରକୁମାର ଠିକ୍‌ କରିଥିଲେ ଗାଲିପଲିର ଲାଇଟହାଉସଠାରୁ ସନ୍ତରଣ ଆରମ୍ଭ କରିବାକୁ । କିନ୍ତୁ ଝଡ଼ ଆରମ୍ଭ ହୋଇଯିବାରୁ ଲଞ୍ଚ ସେଠାକୁ ଯାଇପାରିଲା ନାହିଁ । ମିହିରକୁମାର ଭାବିଲେ ତାଙ୍କୁ ମଝି ସାଗରଠାରୁ ସନ୍ତରଣ ଆରମ୍ଭ କରିବାକୁ ହେବ । ସକାଳ ୯ଟା ପୂର୍ବରୁ ସନ୍ତରଣ ଆରମ୍ଭ ସମ୍ଭବନୁହେଁ ବୋଲି ସେ ଠିକ୍‌ କଲେ । ମିହିରକୁମାର ଦାର୍ଦ୍ଦନେଲିସ ସନ୍ତରଣପାଇଁ ଦେହରେ ଗ୍ରୀଜ ମାଲିସକରି କୂଳରେ ଠିଆ ହୋଇଥାନ୍ତି । କ୍ରମେ ସମୟ ହୋଇ ଆସୁଛି । କିନ୍ତୁ ଦାର୍ଦ୍ଦନେଲିସର ଜଳ ଅଶାନ୍ତ । ଝଡ଼ବତାସ ଉତ୍ତର ଦିଗରୁ ବହୁଥାଏ । ଦାର୍ଦ୍ଦନେଲିସର ଢେଉ କୂଳରେ ଆସି ମଥା ପିଟୁଥାଏ ଖୁବ୍‌ ଜୋରରେ । କ୍ଷୁଦ୍ର ନୌକାରେ ତୁରସ୍କର ଅବଜରଭର ଓ ପ୍ରେସ ପ୍ରତିନିଧି ବସିଥାନ୍ତି । ନୌକା ଢେଉ ଆଢ଼ୁଆଳରେ ଲୁଚିଯାଉଛି ପୁଣି ଭାସି ଉଠୁଛି ।

 

ଏକମିନିଟ ମାତ୍ର ବାକି । ମିହିରକୁମାରଙ୍କୁ ଘୋଷଣା କରିବାକୁହେବ ଯେ, ତାଙ୍କର ଜୀବନ ହାନିପାଇଁ କେହି ଦାୟୀ ନୁହନ୍ତି । ମିହିରକୁମାର ତାଙ୍କର ଏହି ବିଜୟ ଅଭିଯାନର ଇନଚାର୍ଜ କାପଟେନ୍‌ କକ୍‌ନାରଙ୍କ ନିକଟରେ ଘୋଷଣାକଲେ ଯେ, ‘‘ମୁଁ ନିଜର ଦାୟିତ୍ୱରେ ଏହି ଅଭିଯାନ ପରିଚାଳନା କରୁଛି । ମୋର ଜୀବନ ହାନିପାଇଁ ତୁରସ୍କର ନୌବିଭାଗ ଦାୟୀ ନୁହନ୍ତି ।’’

 

ସେପ୍‌ଟେମ୍ୱର ୧୨ ତାରିଖ ସକାଳ ୫ଟା ୫୫ ମିନିଟରେ ସଙ୍କେତ ହୁଇସିଲ୍‌ ବାଜିଉଠିଲା । ମିହିରକୁମାର ସନ୍ତରଣ ପାଇଁ ଦାର୍ଦ୍ଦନେଲିସ ଜଳରେ ଝାମ୍ପଦେଲେ । ଧୀରେ ଧୀରେ ଏକ ବଡ଼ ନୌକା ତାଙ୍କ ଆଗରେ ଚାଲିଲା । ଦାର୍ଦ୍ଦନେଲିସରେ ଏହି ପ୍ରଥମ ଅଭିଯାନ । ଗତ ପାଞ୍ଚହଜାର ବର୍ଷ ଇତିହାସରେ ଏହା ପ୍ରଥମ । ଏହି ଅଭିଯାନର ବ୍ୟକ୍ତିହେଲେ ପ୍ରଥମ ଭାରତୀୟ ଶ୍ରୀ ମିହିରକୁମାର ।

 

ମିହିରକୁମାରଙ୍କ ସଙ୍ଗରେ ଦୁଇଟି ମଟରଲଞ୍ଚ ତାଙ୍କୁ ଅନୁସରଣ କରି ଚାଲିଥାଏ । ଏହି ଲଞ୍ଚରେ ତୁରସ୍କ ସରକାରର ଅବଜର୍‌ଭର୍‌, ପ୍ରେସ୍‌ ପ୍ରତିନିଧି, ଜଣେ ଡାକ୍ତର ଏବଂ ତୁରସ୍କ କ୍ରୀଡ଼ା ପରିଚାଳକ ସଂସ୍ଥାର ଜଣେ କର୍ମକର୍ତ୍ତା ମଧ୍ୟ ଚାଲିଥାନ୍ତି ।

 

ମିହିରକୁମାର ଗାଲିପଲିର ଲାଇଟ୍‌ହାଉସ୍‌ଠାରେ ଆସି ପହଞ୍ଚିଗଲେ । ସେ ଜାଣିପାରିଲେ ତାଙ୍କ ସନ୍ତରଣମାର୍ଗ ଭୁଲ୍‌ ହୋଇଯାଇଛି । ଅବଜରଭର ଏବଂ ଅନ୍ୟମାନେ ପରାମର୍ଶ କରି ମିହିରକୁମାରଙ୍କୁ ବାମଦିଗକୁ ସନ୍ତରଣ କରିବାକୁ ସିଗ୍‌ନାଲ୍‌ ଦେଲେ । ମିହିରକୁମାର ଢେଉ ସଙ୍ଗରେ ସଂଗ୍ରାମ କରି କରି ଆଗେଇ ଚାଲିଥାନ୍ତି । ସେତେବେଳେ ନୀଳ ଆକାଶରେ ସୂର୍ଯ୍ୟ ଉଙ୍କି ମାରୁଥାନ୍ତି । ସେତେବେଳକୁ ସମୟ ୭ଟା । ଗ୍ୟାଲିବାଉଠାରୁ ଏକମାଇଲ ଗାଲାଟା ଲାଇଟ୍‌ହାଉସ ନିକଟକୁ ଆସିଥାନ୍ତି । ସେତେବେଳକୁ ସମୟ ୭ଟା ୧୫ମିନିଟ ମିହିରକୁମାରଙ୍କ ପଛରେ ଗୋଟିଏ ମଟର ଲଞ୍ଚ ଉପରେ କ୍ୟାପଟେନ କକନାରଙ୍କ ସଙ୍ଗରେ ତୁରସ୍କ ସରକାରଙ୍କର ଦୁଇଜଣ ସୈନିକ ରାଇଫଲ ଉଞ୍ଚାଇ ବସିଥାନ୍ତି । ହଠାତ୍‍ ଡଲଫିନ ଦେଖାଗଲା । ଡଲଫିନଟିକୁ ଗୁଳି କରିବାନିମନ୍ତେ ସୈନିକମାନେ ପ୍ରସ୍ତୁତ । ଆହାନ ଚିତ୍କାରକରି ଗୁଳିକରିବାକୁ ବାରଣକଲେ । କାରଣ ଡଲଫିନ କିଛି କ୍ଷତି କରେନାହିଁ । ଠିକ୍‌ ୯-୪ମିନିଟରେ ଶ୍ରୀ ମିହିରଙ୍କ ଆପେଲ, ମହୁ, ଡିମ୍ବସିଝା ଖାଇବାକୁ ଦିଆଗଲା । ସମୁଦ୍ର ତରଙ୍ଗ ସଙ୍ଗରେ ସଂଗ୍ରାମ କରି ମିହିରକୁମାର ଆଗେଇ ଚାଲିଥାନ୍ତି । ଠିକ୍‌ ୯-୩୦ ମିନିଟ ସମୟରେ ଝଡ଼ବତାସ ଉତ୍ତର ଦିଗରୁ ବହିବାକୁ ଆରମ୍ଭକଲା । ପ୍ରଖର ସୂର୍ଯ୍ୟକିରଣ ଥିବାସତ୍ତ୍ୱେହିଁ ସେହି ଥଣ୍ଡା ପବନ ମିହିରକୁମାରଙ୍କ ପିଠିରେ ପିଟିହୋଇ ତାଙ୍କ ଶରୀରକୁ ଅସ୍ତବ୍ୟସ୍ତ କରୁଥିଲା ।

 

ଗାଲ୍‌ଟା ଲାଇଟ୍‌ହାଉସ୍‌, କାସାକୋଭା, ଇଲଗାରଦେରା, ଏକବାସ ଓ ନରବାରନୁ ପାରିହୋଇ କ୍ୟାନକାକେଲଠାରେ ଆସି ସେ ପହଞ୍ଚିଲେ । ଆଉ ୭ ମାଇଲ ମାତ୍ର ବାକି ଥାଏ । ଯେଉଁଠାରେ ଦାର୍ଦ୍ଦନେଲିସ ଏଜିଆନ ସାଗର ସଙ୍ଗରେ ମିଶିଛି ତା’ନାମ ସେଦୁଲବାରି । ସେତେବେଳକୁ ସମୟ ସାଢ଼େ ଚାରିଟା କିନ୍ତୁ ଏହି ସାତମାଇଲ ପଥ ସନ୍ତରଣ କରିବା ଖୁବ୍‌ କଷ୍ଟକର । ସୁଜାନକୁ ମିହିରକୁମାର ଜଣାଇଦେଲେ ସେ ଦାର୍ଦ୍ଦନେଲିସର ମଧ୍ୟସମୁଦ୍ର ଦେଇ ପହଁରିବେ । କୂଳରେ ପହଁରି ପହଁରି ଯିବା ଖୁବ୍‌ କଷ୍ଟ ।

 

ସୂର୍ଯ୍ୟ ଅସ୍ତାଚଳରେ ବୁଡ଼ିଗଲେ । ଦାର୍ଦ୍ଦନେଲିସ ନୀଳ ସାଗରକୁ ନଇଁଆସିଲା ଅନ୍ଧକାର-। ମିହିରକୁମାର ଧୀରେ ଧୀରେ ଆଗେଇ ଚାଲିଥାନ୍ତି । ସେ କୁମଖେଲ ନିକଟରେ ଆସି ପହଞ୍ଚିଗଲେ । ଡାହାଣ ପାଖରେ ସାଦୁଲବାରିର ପାହାଡ଼ । ମିହିରକୁମାରଙ୍କର ମନେପଡ଼ିଲା ପ୍ରଥମ ବିଶ୍ୱଯୁଦ୍ଧ କଥା–ଏହିଠାରେ କେତେଲକ୍ଷ ସୈନିକ ଚିର ନିଦ୍ରାରେ ମଗ୍ନ ହୋଇଥିଲେ ।

 

ଲଞ୍ଚର ହେଡ଼ଲାଇଟ ସୁଦୂର ଘନ ଅନ୍ଧକାର ଭେଦକରି କୃଷ୍ଣ ଜଳରେ ଯାଇ ପଡ଼ିଛି । ସୁଜାନର ଛୋଟ ଟର୍ଚ୍ଚ ମିହିରଙ୍କୁ ଖୋଜୁଛି । ଆହାନଙ୍କ ଚିତ୍କାର ଓ ହୁଇସିଲ ମିହିରକୁମାର ଶୁଣୁଥାନ୍ତି-। କ’ଣ ହେଲା ସେ କିଛି ବୁଝିପାରୁନଥାନ୍ତି ।

 

ମିହିରକୁମାର ଅନ୍ଧକାର ମଧ୍ୟରେ କେଉଁଠି ହେଲେଣି କିଛି ବୁଝିପାରୁନଥିଲେ । ସେ ଆହାନଙ୍କ ଚିତ୍କାର ଶୁଣି ପାରିଲେ, ‘‘ମିହିର ତାମାମ୍‌, ତାମାମ୍ (ହୋଗିଆ-ଶେଷ) ।’’ ମିହିରଙ୍କର ଦାର୍ଦ୍ଦନେଲିସ ବିଜୟ ଅଭିଯାନ ସଫଳ ହୋଇଛି । ମିହିରକୁମାର କହିଉଠିଲେ, ‘‘ଦାର୍ଦ୍ଦନେଲିସକୁ ମୁଁ ବିଜୟ କରିଛି । ଦାର୍ଦ୍ଦନେଲିସ ମୋ ନିକଟରେ ହାରିଯାଇଛି ।’’

 

ମିହିରକୁମାର ମର୍ମରାସାଗରର ଗାଲିପଲିଠାରୁ ଏଜିଆନ ସାଗର ପର୍ଯ୍ୟନ୍ତ ସନ୍ତରଣ କରି ଦାର୍ଦ୍ଦନେଲିସ ପ୍ରଣାଳୀ ସନ୍ତରଣ କଲେ । ପ୍ରାୟ ଚାଳିଶ ମାଇଲ ପଥ ତାଙ୍କୁ ସନ୍ତରଣ କରିବାକୁ ପଡ଼ିଲା । ଏଥିପାଇଁ ତାଙ୍କୁ ୧୩ଘଣ୍ଟା ୫୫ମିନିଟ ସମୟ ଅତିବାହିତ କରିବାକୁ ହୋଇଥିଲା । ଏହି ପ୍ରଣାଳୀ ସେ ସନ୍ତରଣକରି ପୃଥିବୀର ପ୍ରଥମ ସନ୍ତରଣକାରୀ ବୋଲି ସମ୍ମାନ ଲାଭ କଲେ । ଶ୍ରୀ ମିହିରକୁମାରଙ୍କୁ ପୁଷ୍ପମାଲ୍ୟରେ ସମ୍ୱର୍ଦ୍ଧନା କରାଗଲା ।

 

ସନ୍ତରଣ ପରେ ମିହିରକୁମାର କହିଲେ, ‘‘ଏହା ଖୁବ୍‌ ଭୟଙ୍କର ଓ କଷ୍ଟସାଧ୍ୟ ସନ୍ତରଣ । ସମୁଦ୍ରର ଶୀତଳ ଜଳ ଏବଂ ପ୍ରବଳ ତରଙ୍ଗ ବିରୁଦ୍ଧରେ ମୋତେ କଠିନ ସଂଗ୍ରାମ କରିବାକୁ ପଡ଼ିଲା-।’’

 

ମିହିରକୁମାରଙ୍କ ବିଜୟରେ ଭାରତର ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ ସମ୍ବର୍ଦ୍ଧନା ବାର୍ତ୍ତାରେ ଜଣାଇଥିଲେ, ‘‘ତୁମର ଆଉ ଗୋଟିଏ ଗୌରବମୟ ବିଜୟ ପାଇଁ ମୁଁ ଗର୍ବଅନୁଭବ କରିବା ସଙ୍ଗେ ସଙ୍ଗେ ଅନ୍ତରର ସମ୍ବର୍ଦ୍ଧନା ଜଣାଉଛି।’’

 

ସାତ

ବସ୍‌ଫରସ ବିଜୟ

 

ଭାରତମାତାର ମୁଖ ଉଜ୍ଜ୍ୱଳକାରୀ ପୃଥିବୀର ସର୍ବଶ୍ରେଷ୍ଠ ସନ୍ତରଣ ବୀର ମିହିରକୁମାର ଭାରତର ପ୍ରଥମ ସନ୍ତରଣକାରୀ । ୩୭ବର୍ଷ ବୟସ୍କ ମିହିରକୁମାର ପାଞ୍ଚଟି ଅଭିଯାନ ମଧ୍ୟରୁ ଚାରିଟିରେ ଭୀମକାନ୍ତ ସାଗରମାନଙ୍କର ତରଙ୍ଗ ଅତିକ୍ରମକରି ସାଫଲ୍ୟ ଅର୍ଜନ କରି ପାରିଥିଲେ । ୧୯୫୮ସାଲରେ ଭାରତର ଏକମାତ୍ର ସନ୍ତରଣକାରୀ ଭାବରେ ସେ ଇଂଲିଶ ପ୍ରଣାଳୀ ଅତିକ୍ରମ ପୂର୍ବରୁ ଥରେ ନୁହେଁ, ଦୁଇ ଥର ନୁହେଁ, ପାଞ୍ଚଥର ଇଂଲିଶ ପ୍ରଣାଳୀ ଅତିକ୍ରମ କରିବାରେ ବ୍ୟର୍ଥମନୋରଥ ହୋଇଥିଲେ । କିନ୍ତୁ ଗବେଷଣା ଅଧ୍ୟବସାୟ, ସାଧନା ଏବଂ ଦୃଢ଼ ମନୋବଳ ନିମନ୍ତେ ଦୁରନ୍ତ ଏବଂ ବିପଦସଙ୍କୁଳ ଇଂଲିଶ ପ୍ରଣାଳୀ ବିଜୟ କରିବାକୁ ସେ ସକ୍ଷମ ହୋଇଥିଲେ ।

 

ତା’ ପରେ ଦୀର୍ଘ ସାତବର୍ଷ ଅତିବାହିତ ହୋଇଗଲା । ବୟସ ବୃଦ୍ଧି ପାଇଥିଲେ ମଧ୍ୟ ମିହିରକୁମାରଙ୍କର ମନ ଭାରାକ୍ରାନ୍ତ ହୋଇପଡ଼ିନି । ଉଦ୍ୟମର ଅଭାବ ହୋଇନି କିମ୍ୱା ଉତ୍ସାହ ଓ ଉନ୍ମାଦନା କମିଯାଇନି ଏବଂ ସନ୍ତରଣ ଅଭିଯାନରେ ଭଟା ପଡ଼ିନି । ପ୍ରଥମ ସନ୍ତରଣକାରୀଭାବରେ ପାକ୍‌ପ୍ରଣାଳୀ ବିଜୟ ପରେ ସପ୍ତସାଗର ବିଜୟ ଅଭିଯାନପାଇଁ ମିହିରକୁମାର ସ୍ୱପ୍ନ ଦେଖିଲେ । ସେ ଅଭିଯାନ ହେଉଛି ଜିବ୍ରାଲଟର, ଦାର୍ଦ୍ଦନେଲିସ ଓ ବସ୍‌ଫରସ ପ୍ରଣାଳୀ ପାରହେବାର ପରିକଳ୍ପନା । ସେହି ସ୍ୱପ୍ନକୁ ସଫଳ କରିବାକୁ ମିହିରକୁମାର ଅଭିଯାନ ଆରମ୍ଭକଲେ । ପ୍ରଥମହେଲା ଜିବ୍ରାଲଟର ପ୍ରଣାଳୀ, ଯାହାର ଦୀର୍ଘତା ହେଉଛି ୨୩ ମାଇଲ । ଦ୍ୱିତୀୟହେଲା ଦାର୍ଦ୍ଦନେଲିସ ପ୍ରଣାଳୀ, ଯାହାର ଦୈର୍ଘ୍ୟ ୪୦ ମାଇଲ । ସପ୍ତସିନ୍ଧୁ ଅଭିଯାନର ତୃତୀୟ ବା ଶେଷଟି ହେଲା ବସ୍‌ଫରସ ପ୍ରଣାଳୀ, ତା’ର ଦୀର୍ଘତା ହେଉଛି ୧୭ମାଇଲ ।

 

ଏହି ତିନିଟି ପ୍ରଣାଳୀ ମଧ୍ୟରୁ ଜିବ୍ରାଲଟର ଓ ଦାର୍ଦ୍ଦନେଲିସ ପ୍ରଣାଳୀ ମିହିରକୁମାର ସଫଳତାର ସହିତ ବିଜୟ କରିବା ପରେ ବସ୍‌ଫରସ ପ୍ରଣାଳୀ ଅଭିଯାନ ଆରମ୍ଭ କରିବାକୁ ତୁରସ୍କର ଇସ୍ତାନବୁଲଠାରେ ନିଜର କ୍ୟାମ ସ୍ଥାପନକଲେ । କୃଷ୍ଣସାଗର ଓ ମର୍ମରାସାଗର ମଧ୍ୟସ୍ଥ ସଂକୀର୍ଣ୍ଣ ପ୍ରଣାଳୀଟିର ନାମ ହେଉଛି ବସ୍‌ଫରସ ପ୍ରଣାଳୀ ।

 

ବସ୍‍ଫରସ ପ୍ରଣାଳୀ ଚିର ସୁନ୍ଦର, ଅଶାନ୍ତ । ତାକୁ କେହି ଏପର୍ଯ୍ୟନ୍ତ ଅନୁଧ୍ୟାନ କରି ତା’ର ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିନାହିଁ । ଏହି ସଂକୀର୍ଣ୍ଣ ପ୍ରଣାଳୀର କାଚକେନ୍ଦୁପରି ଜଳ ସଦା ଚକମକ । ପର୍ବତର ପାଦଦେଶରେ ଅଙ୍କା ବଙ୍କା ହୋଇ କୁଳୁ କୁଳୁ ନାଦକରି ଏହାର ଜଳ ପ୍ରବାହିତ ହେଉଛି । ଏହାର ଗୋଟିଏ ବାଙ୍କ ସ୍ଥାନରେ ଭୀଷଣ ଓ ପ୍ରଳୟଙ୍କାରୀ ସ୍ଥାନଟିର ନାମ ହେଉଛି ଆକେନଦିଶି–ସେ ନିଜ କୋଳକୁ ଅନେକଙ୍କୁ ଟାଣିନେଇ ସମାଧି ଦେଇଛି ।

 

ଦାର୍ଦ୍ଦନେଲିସଠାରୁ ବସ୍‍ଫରସ ଖୁବ୍‌ ସରୁ ପ୍ରଣାଳୀ । ବସ୍‌ଫରସରେ ସନ୍ତରଣ କରିବା ଖୁବ୍‌ କଷ୍ଟକର । ଭଲ ପାଇଲଟ୍‌ ନହେଲେ ଏ ଅଜ୍ଞାତ ଓ ଭୟଙ୍କର ପ୍ରଣାଳୀ ସନ୍ତରଣ କରିବା ଏବଂ ଗନ୍ତବ୍ୟ ସ୍ଥାନରେ ଯାଇ ପହଞ୍ଚିବା ସହଜ ନୁହେଁ ।

 

୧୯୬୬ ସାଲ ସେପ୍ଟେମ୍ୱର ୨୧ ତାରିଖ । ମିହିରକୁମାର ନିଜର ଦଳବଳ ସହ ବସ୍‌ଫରସ ପ୍ରଣାଳୀର କୂଳ ରୂମେଲିଫେନାରଠାରେ ଉପସ୍ଥିତ ହେଲେ । ତୁରସ୍କର ନୌସେନାବିଭାଗ ତାଙ୍କର ସମସ୍ତ ସନ୍ତରଣ ଦାୟିତ୍ୱ ବହନକରିଥିଲେ । ନିର୍ଦ୍ଦିଷ୍ଟ ସମୟରେ ମିହିରକୁମାର ନୌବାହିନୀର ସଙ୍କେତ ସଙ୍ଗେ ସଙ୍ଗେ ଜଳରେ ଅବତରଣ କଲେ । ସଙ୍ଗରେ ତୁରସ୍କ ନୌବାହିନୀର ଅଫିସର, ଇସ୍ତାନବୁଲ ସୁଇମିଂ ଆସୋସିଏସନର କର୍ମକର୍ତ୍ତା ଓ ଗାଇଡ୍‌ ଚାଲିଥାନ୍ତି । ଆବହାୱା ବଡ଼ ଖରାପଥିଲା । ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବିପଦସଙ୍କୁଳ ସାଗରରେ ସନ୍ତରଣ କରିବାର ଚେଷ୍ଟା ମିହିରକୁମାରଙ୍କର ବଡ଼ ସାହସିକତାର ପରିଚାୟକ ।

 

ମିହିରକୁମାର ମନେକରୁଥିଲେ ଜିବ୍ରାଲଟର ଓ ଦାର୍ଦ୍ଦନେଲିସ ଅଭିଯାନପରି ବସ୍‌ଫରସ କଷ୍ଟକର ହେବନାହିଁ । କିନ୍ତୁ ବସ୍‌ଫରସର ହିମ ଶୀତଳ ଜଳ, ଘୂର୍ଣ୍ଣିସ୍ରୋତ ଏବଂ ୬ଫୁଟ ଉଚ୍ଚ ତରଙ୍ଗମଧ୍ୟରେ ମିହିରକୁମାର କୃଷ୍ଣସାଗରଠାରୁ ମର୍ମରସାଗର ପର୍ଯ୍ୟନ୍ତ ୧୭ ମାଇଲ ଦୂରତ୍ୱ ପ୍ରଣାଳୀର ଉତ୍ତାଳ ତରଙ୍ଗକୁ କାଟି କାଟି ଧୀରେ ଧୀରେ ଚାଲିଥାନ୍ତି । ମଝିରେ ମଝିରେ ମହୁ, କଫି ଓ ଆପେଲ ଖାଉଥାନ୍ତି । ଶେଷରେ ଚାରିଘଣ୍ଟାରୁ କିଛି କମ୍‌ ସମୟ ମଧ୍ୟରେ ମିହିରକୁମାର ସୌନ୍ଦର୍ଯ୍ୟମୟୀ, ଅଶାନ୍ତ ବସ୍‌ଫରସ ପ୍ରଣାଳୀକୁ ବିଜୟ କଲେ ।

 

ଶ୍ରୀ ମିହିରକୁମାର ବସ୍‌ଫରସ ସନ୍ତରଣ ପରେ କହିଲେ, ଇତିହାସରେ ସେ ଏକ ମାତ୍ର ବ୍ୟକ୍ତି ଯିଏ ସାତଟି ସମୁଦ୍ର ବିଜୟ କରିବାର କୃତିତ୍ୱ ଅର୍ଜନ କଲେ । ସେ ପୁଣି କହିଲେ, ଏହା ତାଙ୍କର ଶେଷ ସୁଦୂର ସନ୍ତରଣର ଶେଷପର୍ବ । ସେ ଏପର୍ଯ୍ୟନ୍ତ ଛଅ ହଜାର ମାଇଲ ସନ୍ତରଣ କରିସାରିଛନ୍ତି । ତାଙ୍କର ସପ୍ତସିନ୍ଧୁ ସନ୍ତରଣ ସ୍ୱପ୍ନ ସଫଳ ହେବାରୁ ସେ ଆନନ୍ଦରେ ଦୀର୍ଘନିଶ୍ୱାସ ମାରିଲେ ।

 

ସନ୍ତରଣ ପରେ ତୁରସ୍କର ନୌବାହିନୀ ବିଭାଗ ଏବଂ ଇସ୍ତାନବୁଲ ସୁଇମିଂ ଆସୋସିଏସନ୍‌ ମିହିରକୁମାରଙ୍କୁ ଭୂୟସୀ ପ୍ରଶଂସାକରି କହିଛନ୍ତି, ‘‘ସମ୍ପୂର୍ଣ୍ଣ ଏକ ପ୍ରତିକୂଳ ଆବହାୱା ମଧ୍ୟରେ ମିହିରକୁମାର ସନ୍ତରଣକରି ଅସୀମ ସାହସର ସହିତ ସମସ୍ତ ବାଧାବିଘ୍ନ ଲଙ୍ଘନକରି ଜୟମାଲ୍ୟ ପରିଧାନ କରିଛନ୍ତି ।

 

ତୁରସ୍କରେ ଥିବା ଭାରତର ରାଷ୍ଟ୍ରଦୂତ ସାଦତ୍‌ ଅଲୀ ଖାଁ ଏହି ସମୟରେ ଆଙ୍କରାରୁ ଇସ୍ତାନବୁଲ ଆସିଥିଲେ । ତାଙ୍କର ଆସିବା ଉଦ୍ଦେଶ୍ୟହେଲା ତାଙ୍କ ସ୍ୱଦେଶର ବୀର ଯୁବକର ଦୁଃସାହସିକ କାର୍ଯ୍ୟ ପରିଦର୍ଶନ କରିବା । ଏହାଙ୍କ ବ୍ୟତୀତ ତୁରସ୍କ ଓ ସୁଇଡେନ୍‌ର ସନ୍ତରଣ ବିଶେଷଜ୍ଞ ମଧ୍ୟ ଉପସ୍ଥିତ ଥିଲେ । ଏମାନେ ଓ ତୁରସ୍କର କେତେକ ସାଂସ୍କୃତିକ ଅନୁଷ୍ଠାନ ମିହିରକୁମାରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତର ରାଷ୍ଟ୍ରପତି ଡକ୍ଟର ରାଧାକୃଷ୍ଣନ ମିହିରକୁମାରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ବାର୍ତ୍ତା ପଠାଇଥିଲେ ।

 

ମିହିରକୁମାରଙ୍କ ଦାର୍ଦ୍ଦନେଲିସ ଓ ବସ୍‌ଫରସ ସନ୍ତରଣରେ ତୁରସ୍କ ସରକାର ସମସ୍ତପ୍ରକାର ସାହାଯ୍ୟ କରିଥିଲେ । ମିହିରକୁମାରଙ୍କ ସନ୍ତରଣକୁ କେନ୍ଦ୍ରକରି ତୁରସ୍କରେ ଯଥେଷ୍ଟ ଉତ୍ସାହ ଏବଂ ଉଦ୍ଦୀପନା ସୃଷ୍ଟି ସଙ୍ଗେ ସଙ୍ଗେ ଭାରତ ସମ୍ୱନ୍ଧରେ ଆଗ୍ରହ ପ୍ରକାଶ ପାଇଥିଲା । ବଡ଼ କଥାହେଉଛି ପାକିସ୍ଥାନ-ଭାରତ ସଂଘର୍ଷ ଫଳରେ ତୁରସ୍କରେ ଯେଉଁ ଭ୍ରାନ୍ତଧାରଣା ସୃଷ୍ଟି ହୋଇଥିଲା ସେ ଧାରଣା ଅନେକ ପରିମାଣରେ ଦୂର ହୋଇପାରିଛି ମିହିରକୁମାରଙ୍କ ସେଠାକୁ ଆଗମନ ଫଳରେ । ଏଥିପାଇଁ ଭାରତ ଓ ତୁରସ୍କ ମଧ୍ୟରେ ବନ୍ଧୁତ୍ୱ ଗଢ଼ିଉଠିଛି । ତୁରସ୍କର ଅନେକ ନେତୃସ୍ଥାନୀୟ ବ୍ୟକ୍ତି ମିହିରକୁମାରଙ୍କୁ ସଂସ୍କୃତି ଓ ଶୁଭେଚ୍ଛୁ ଦୂତଭାବରେ ଗ୍ରହଣ କରିଛନ୍ତି । ତୁରସ୍କର ଜନସାଧାରଣ ଓ ନୌବାହିନୀ ପକ୍ଷରୁ ଯେଉଁ ସମ୍ୱର୍ଦ୍ଧନା କରାଗଲା ସେଥିରୁ ତୁର୍କିର ମନୋଭାବ ଭାରତ ପ୍ରତି ଅନୁକୂଳ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।

 

ଲଣ୍ଡନରେ ଥିବା ଭାରତର ହାଇକମିଶନର ଡକ୍ଟର ଜୀବରାଜ ମେହେଟା ଓ ଶ୍ରୀମତୀ ହଂସ ମେହେଟା ମିହିରକୁମାରଙ୍କୁ ଏକ ଭୋଜି ସଭାରେ ବିପୁଳ ସମ୍ବର୍ଦ୍ଧନା କରିଥିଲେ । ସେ ସଭାରେ ଆନ୍ତରିକ ଅଭିନନ୍ଦନ ଜଣାଇ ଶ୍ରୀ ମେହେଟା କହିଥିଲେ ମିହିରକୁମାର ହେଉଛନ୍ତି ପ୍ରଥମ ସନ୍ତରଣକାରୀ ଯିଏକି ସପ୍ତସିନ୍ଧୁ ସନ୍ତରଣ କରି ପ୍ରତ୍ୟେକ ଅଭିଯାନରେ ବିଜୟ ଲାଭକରି ଜୟମାଲ୍ୟର ଅଧିକାରୀ ହୋଇପାରିଛନ୍ତି ।

 

ଲଣ୍ଡନର ଏକ ହୋଟେଲରେ ଭାରତୀୟ ଛାତ୍ରମାନେ ସପ୍ତସିନ୍ଧୁ ବିଜୟ ପରେ ଶ୍ରୀ ମିହିରକୁମାରଙ୍କୁ ସମ୍ୱର୍ଦ୍ଧନା ଦେଇଥିଲେ । ସେ ସଭାରେ ଛାତ୍ରମାନେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ ।

 

ସେହି ସଭାରେ ମିହିରକୁମାର କହିଥିଲେ, ତାଙ୍କର ସପ୍ତସିନ୍ଧୁ ସନ୍ତରଣ କରିବାର ଯେଉଁ ଆକାଂକ୍ଷା ଥିଲା, ତାହା ପୂରଣ ହୋଇଯାଇଛି । ପାନାମା କେନାଲ ସନ୍ତରଣ କରିବାର ପିପାସା ଏବେ ତାଙ୍କ ମନରେ ଜାଗରିତ ହୋଇଛି ।

 

ଭାରତୀୟ ଯୁବ-ସମାଜକୁ ମିହିରକୁମାର ତାଙ୍କର ବିପଦସଙ୍କୁଳ ସନ୍ତରଣର ଅଭିଜ୍ଞତା କଥା କହିବାକୁ ଯାଇ କହିଥିଲେ, ‘‘ଉଚ୍ଚ ତରଙ୍ଗ; ହିମ ଶୀତଳଜଳ, ଉତ୍ତପ୍ତ ସୂର୍ଯ୍ୟତାପ, ସର୍ପ-ତୀକ୍ଷ୍ଣ ସ୍ରୋତ ଓ ଭୟଙ୍କର ଜଳଜୀବମାନେ ତାଙ୍କର ଏହି ଜୟଯାତ୍ରାରେ ଭୟଙ୍କର ପ୍ରତିବନ୍ଧକ ହୋଇ ଠିଆହୋଇଥିଲେ । ଏହା ସତ୍ତ୍ୱେ; ସେ ଅସୀମ ଧୈର୍ଯ୍ୟ ଓ ଅପୂର୍ବ ସାହସର ସହିତ ସେ ସବୁର ସମ୍ମୁଖୀନ ହୋଇ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲେ । ସେ କହିଥିଲେ ବିଶ୍ୱର ପ୍ରତିଯୋଗୀମାନେ ତାଙ୍କୁ ଅନୁକରଣ କରନ୍ତୁ । ଭାରତୀୟ ଯୁବକମାନେ ଏହିଭଳି ସାହସିକତା ପ୍ରଦର୍ଶନ କରିବାରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ ।’’

 

ଲଣ୍ଡନର ଅନ୍ୟ ଏକ ସମ୍ୱର୍ଦ୍ଧନା ସଭାରେ ମିଷ୍ଟର ହାରଲ୍‌ଡ଼ ଜର୍ଜ ପୁଲର ମିହିରକୁମାରଙ୍କୁ ଉଚ୍ଛ୍ୱସିତ ଅଭିନନ୍ଦନ ଜଣାଇ କହିଲେ, ‘‘ମିହିରକୁମାର ହେଉଛନ୍ତି ସପ୍ତସିନ୍ଧୁ ବିଜୟୀ । ତାଙ୍କର ସାହସିକତାର ପ୍ରଶଂସାକରି ସେ ଏକ ଆଇରିଶ ଯୁବତୀଙ୍କକଥା ସ୍ମରଣ କରାଇଦେଇ କହିଥିଲେ ଯେ, ସେହି ଯୁବତୀ ଠିକ୍‍ ମିହିରଙ୍କ ପରି ନିଜ କାର୍ଯ୍ୟରେ ବଦ୍ଧପରିକର ଥିଲେ । ସେ ଯୁବତୀ ସାହସିକତାରସହିତ ସାଇକେଲରେ ଡନକାର୍କଠାରୁ ଦିଲ୍ଲୀପର୍ଯ୍ୟନ୍ତ ବହୁଦୂର ପଥ ଅତିକ୍ରମ କରିଥିଲେ । ସେ ଏହି ସୁଦୂର ଯାତ୍ରାରେ ବହୁ ନୂତନ ଅନୁଭୂତି ଅର୍ଜନ କରିଥିଲେ । ସେହିପରି ମିହିରକୁମାର ତାଙ୍କର ଏହି ପୃଥିବୀର ସମସ୍ତ ସାଗର ସନ୍ତରଣବେଳେ ବହୁ ଅଭିଜ୍ଞତା ଅର୍ଜନ କରିଛନ୍ତି । ସେ ଆଶାକରନ୍ତି ମିହିରକୁମାର ଅନ୍ୟ ବାକିଥିବା ପ୍ରଣାଳୀଗୁଡ଼ିକ ସନ୍ତରଣରେ ହତୋତ୍ସାହ ହେବେନାହିଁ । ସେ ନିଶ୍ଚିତଭାବରେ ଜାଣୁଛନ୍ତି ଯେ ମିହିରକୁମାର ପାନାମା କେନାଲ ନିଶ୍ଚୟ ସନ୍ତରଣ କରିବାରେ ସକ୍ଷମ ହେବେ । ସନ୍ତରଣରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ହୋଇ ସାରିଛି, ଅତଏବ ପାନାମା କେନାଲ ସନ୍ତରଣରେ ତାଙ୍କୁ ଆଉ ଅସୁବିଧା ପଡ଼ିବ ନାହିଁ ଏବଂ ପ୍ରକୃତି ଓ ପରିବେଶ ତାଙ୍କୁ ନିଶ୍ଚୟ ସହାୟକ ହେବ ।’’

 

ମିହିରକୁମାର ସପ୍ତସିନ୍ଧୁ ସନ୍ତରଣ କରିବାର ଯାତ୍ରା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରାଗାନ୍ଧୀ ତାଙ୍କର ହାତ ପାଣ୍ଠିରୁ ମିହିରକୁମାରଙ୍କ ସନ୍ତରଣ ବ୍ୟୟ ପାଇଁ ପାଞ୍ଚହଜାର ଟଙ୍କା ମଞ୍ଜୁର କରିବା ସଙ୍ଗେ ସଙ୍ଗେ ସେ ଟଙ୍କାରେ ବିଦେଶୀ ମୁଦ୍ରା ବ୍ୟବସ୍ଥା କରିଦେଇଥିଲେ ଏବଂ ମିହିରକୁମାରଙ୍କର ଏହି ଅଭିଯାନ ଭାରତକୁ ଅଧିକ ଗୌରବାନ୍ୱିତ କରିବାର ଉଦ୍ୟମକୁ ପ୍ରଶଂସାକରି ଅଭିଯାନର ସଫଳତା କାମନା କରିଥିଲେ । ସପ୍ତସିନ୍ଧୁ ବିଜୟ ପାଇଁ ଭାରତର ଶିକ୍ଷାବିଭାଗ ମିହିରକୁମାରଙ୍କ ନିମନ୍ତେ ଦଶହଜାର ଟଙ୍କା ମଞ୍ଜୁରକରି ତାଙ୍କ ନିକଟକୁ ପଠାଇ ଦେଇଥିଲେ ।

 

ମିହିରକୁମାରଙ୍କ ଇଂଲିଶ ପ୍ରଣାଳୀ ସନ୍ତରଣ ଆରମ୍ଭରେ ସେ ସମୟର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଡକ୍ଟର ହରେକୃଷ୍ଣ ମହତାବ ଓ ପରବର୍ତ୍ତୀ ସମୟର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୟାନନ୍ଦ ପଟ୍ଟନାୟକ ମିହିରକୁମାରଙ୍କୁ ଆର୍ଥିକ ସାହାଯ୍ୟ ଦେଇ ଯଥେଷ୍ଟ ଉତ୍ସାହିତ କରିଥିଲେ ।

 

ଆଠ

ଶେଷ ବିଜୟ ପାନାମା

 

ଶ୍ରୀ ମିହିରକୁମାରଙ୍କର ସପ୍ତସିନ୍ଧୁ ବିଜୟ ସାଫଲ୍ୟମଣ୍ଡିତ ହେଲା । ତା’ପରେ ତାଙ୍କ ମନରେ ପୁଣି ଏକ ଦୁରନ୍ତ ପ୍ରଣାଳୀ ବିଜୟନିମନ୍ତେ ଏକ କଳ୍ପନା ଜାଗିଲା । ସେ କଳ୍ପନାଟି ହେଲା ଆମେରିକାର ପାନାମା କେନାଲ ଅଭିଯାନ । ପୃଥିବୀରବହୁ ଚିନ୍ତା ଶୀଳ ଲୋକେ ମତ ପ୍ରକାଶ କଲେ ଯେ, ‘‘ଯଦି ମିହିରକୁମାର ପାନାମା କେନାଲ ବିଜୟ କରନ୍ତି ତେବେ ତାଙ୍କର ବିଜୟମୁକୁଟରେ ପଞ୍ଚମ ବିଜୟ ପରେ ଆଉଗୋଟିଏ ରଙ୍ଗୀନପର ଲଗାଇବେ । ଯଦି ପାନାମା କେନାଲ କର୍ତ୍ତୃପକ୍ଷ ଏହି ନିଷିଦ୍ଧ କେନାଲ ସନ୍ତରଣ କରିବାକୁ ମିହିରଙ୍କୁ ଅନୁମତି ଦିଅନ୍ତି ତେବେ ସେ ଆଉ ଏକ ମହୀୟାନ୍‌ ଗୌରବରେ ଗୌରବାନ୍ୱିତ ହେବେ । ୪୧ ମାଇଲ ଦୀର୍ଘ ଏହି ସୁଗଭୀର ଓ ବିରାଟ ସ୍ଥିର ଜଳଭାଗରେ ସନ୍ତରଣ କରିବା କଳ୍ପନା ମିହିରକୁମାରଙ୍କର କମ୍‌ ସାହସିକତାର ପରିଚୟ ନୁହେଁ ।’’

 

ମିହିରକୁମାର ଲଣ୍ଡନଠାରୁ ଆମେରିକା ସରକାରଙ୍କୁ ପାନାମା କେନାଲ ସନ୍ତରଣ ପାଇଁ ଅନୁମତି ଚାହିଁଥିଲେ । କର୍ତ୍ତୃପକ୍ଷ ଅନୁମତି ଦେବାରୁ ସେ ୧୯୬୬ସାଲ ଅକ୍ଟୋବର ମାସ ଶେଷ ସପ୍ତାହରେ ପାନାମା ସିଟିରେ ଯାଇ ପହଞ୍ଚିଲେ ।

 

ମିହିରକୁମାର ସିଦ୍ଧାନ୍ତ କଲେ ଯେ ସେ ଅକ୍ଟୋବର ୨୯ ତାରିଖ ସକାଳ ପାଞ୍ଚଟାବେଳେ ଆଟଲାଣ୍ଟିକ ମହାସାଗରରୁ ସନ୍ତରଣ ଆରମ୍ଭକରି ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ବାଲବୋୟାଠାରେ ୨୪ଘଣ୍ଟାପରେ ପହଞ୍ଚିବେ । ତାଙ୍କର ବିଶ୍ୱାସଥିଲା ସେ ଘଣ୍ଟାରେ ୨।୩ ମାଇଲ ପଥ ସନ୍ତରଣ କରିପାରିବେ ।

 

ମିହିରକୁମାର ପୂର୍ବରୁ ଇଂଲିଶ, ପାକ୍‌, ଜିବ୍ରାଲଟର, ଦାର୍ଦ୍ଦନେଲିସ ଓ ବସ୍‌ଫରସ ପ୍ରଣାଳୀ ସନ୍ତରଣ କରି ଯଥେଷ୍ଟ ଅଭିଜ୍ଞତା ଅର୍ଜନ କରିପାରିଛନ୍ତି । ଏଥର ଏକ ଅଦ୍ଭୁତ କେନାଲ ସନ୍ତରଣ କରିବାକୁ ଯାଉଛନ୍ତି । ଏପର୍ଯ୍ୟନ୍ତ ଯେତୋଟି ଜଳଭାଗ ସେ ସନ୍ତରଣ କରିସାରିଛନ୍ତି ସେଗୁଡ଼ିକ ପ୍ରାକୃତିକ ପ୍ରଣାଳୀ ଓ ସେସବୁର ଜଳ ସଦା ପ୍ରବାହମାନ । ପାନାମା ହେଉଛି ଏକ କୃତ୍ରିମ ଜଳଭାଗ । ତାହାର ଜଳ ସଦାସର୍ବଦା ପୁଷ୍କରିଣୀ ଜଳପରି ସ୍ଥିର । ଏହି ସ୍ଥିର ଜଳରେ ସନ୍ତରଣ କରିବା ବଡ଼ କଷ୍ଟକର । ତା’ ସଙ୍ଗେ ସଙ୍ଗେ ଏହି କେନାଲର ତିନିଟି ସ୍ଥାନରେ ତାଲା ବନ୍ଦ ଦରଜାକୁ ପରେ ପରେ ଅତିକ୍ରମ କରିବାକୁ ପଡ଼ିବ ।

 

ମିହିରକୁମାର ଉକ୍ତ କେନାଲ ସନ୍ତରଣ କରିବାକୁ ଅନୁମତି ପାଇଲାବେଳକୁ କେନାଲ ପରିଚାଳକ ବନ୍ଦ ଦରଜାଗୁଡ଼ିକ ଖୋଲିବାକୁ ରାଜିହୋଇନଥିଲେ । ପରିଶେଷରେ ୱାସିଂଟନ୍‌ର ଭାରତୀୟ ଦୂତାବାସ ଓ ପାନାମା କେନାଲର କେତେକ ଅଫିସରଙ୍କର ସଫଳ ଚେଷ୍ଟାଯୋଗୁଁ ଉକ୍ତ ଦରଜାଗୁଡ଼ିକ ଖୋଲିବାର ଆଦେଶ ମିଳିବାର ସମ୍ଭବ ହେଲା ।

 

ଅକ୍ଟୋବର ୨୯ତାରିଖ ଶନିବାରଦିନ ସକାଳ ୫ଟା ସମୟରେ ମିହିରକୁମାର ତାଙ୍କର ଜୀବନର ଶେଷ କଳ୍ପନା ପାନାମା କେନାଲରେ ଦୁରନ୍ତ ସନ୍ତରଣ ଅଭିଯାନ ଆରମ୍ଭ କଲେ । ସନ୍ତରଣ ସମୟରେ ସଂକୀର୍ଣ୍ଣ କେନାଲ ଏବଂ ନିଶ୍ଚଳ ଜଳଯୋଗୁଁ ମିହିରକୁମାରଙ୍କୁ ଭୟଙ୍କର କଷ୍ଟ ମଧ୍ୟଦେଇ ଗତିକରିବାକୁ ପଡ଼ିଥିଲା । ସେ ସ୍ଥାନୀୟ ସମୟ ୧୧ଘଣ୍ଟା ୪୫ମିନିଟ ବେଳକୁ ୧୨ ମାଇଲ ସନ୍ତରଣ କରିସାରିଥିଲେ । ସେତେବେଳେ ମିହିରକୁମାର ପେଟରେ ବେଦନା ଅନୁଭବ କଲେ । ତହୁଁ ସେ ସନ୍ତରଣରୁ ଅପସରି ଆସିବାକୁ ବାଧ୍ୟ ହୋଇଥିଲେ । ସେଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତତ୍‌ପରଦିନ ଅର୍ଥାତ୍‌ ୩୦ତାରିଖ ରବିବାର ଦିନ ସୁସ୍ଥହୋଇ ସେ ସନ୍ତରଣ ଯେଉଁଠାରୁ ବନ୍ଦ କରିଥିଲେ ପୁଣି ସେହି ସ୍ଥାନରୁ ଦ୍ୱିତୀୟ ପର୍ଯ୍ୟାୟ ସନ୍ତରଣ ଆରମ୍ଭ କଲେ । ସେତେବେଳେ ପାଗ ମେଘୁଆ ଥିଲେମଧ୍ୟ ଗରମଥିଲା । ମିହିରକୁମାରଙ୍କ ସନ୍ତରଣ ବେଳେ ପାଞ୍ଚଜଣ ସ୍ଥାନୀୟ ସନ୍ତରଣକାରୀ ତାଙ୍କ ସଙ୍ଗରେ ସହଯୋଗ କରିଥିଲେ । ପୂର୍ବଦିନ ଅପେକ୍ଷା ଏହିଦିନ ସେ ଖୁବ୍‌ ଭଲଭାବରେ ସନ୍ତରଣକରି ଚାଲିଥିଲେ । ଯୁକ୍ତରାଷ୍ଟ୍ରର ପାନାମାସ୍ଥ ରାଷ୍ଟ୍ରଦୂତ ଡବଲ୍ୟୁ, ଆଡ଼ିଆର ଜୁନିଅର ମିହିରଙ୍କ ସଙ୍ଗରେ ୩୦ମିନିଟ ସନ୍ତରଣବେଳେ ଅତିବାହିତ କରିଥିଲେ । କେନାଲର ଅଫିସର ଓ ପାନାମା ସିଟିର ବହୁ ସରକାରୀ ଏବଂ ବେସରକରୀ ବ୍ୟକ୍ତି ମଧ୍ୟ ସଙ୍ଗରେ ରହିଥିଲେ ।

 

୩୧ତାରିଖ ଦିନ ସନ୍ଧ୍ୟା ସାଢ଼େ ପାଞ୍ଚଟାବେଳେ ମିହିରକୁମାର ପାନାମା କେନାଲ ସନ୍ତରଣକରି ବିଜୟର ଅଧିକାରୀ ହୋଇଥିଲେ । ୪୧ମାଇଲ ଦୀର୍ଘ ଏହି କେନାଲକୁ ସନ୍ତରଣ କରିବା ନିମିତ୍ତ ମିହିରକୁମାରଙ୍କୁ ୩୫ଘଣ୍ଟା ୩୦ମିନିଟ୍‌ ସମୟ ଅତିବାହିତ କରିବାକୁ ପଡ଼ିଥିଲା ।

 

ମିହିରକୁମାର ଆଟଲାଣ୍ଟିକ ମହାସାଗରରୁ ସନ୍ତରଣ ଆରମ୍ଭ କରିଥିଲେ ଏବଂ ପ୍ରଶାନ୍ତ ମହାସାଗର ଫେଡ଼୍ରୋମିଗୁଏ ଲଓ ମିରା ଫ୍ଲୋର୍ସଲକଠାରେ ସନ୍ତରଣ ସମାପ୍ତ କରିଥିଲେ ।

 

ମିହିରକୁମାରଙ୍କର ସନ୍ତରଣର ଶେଷ ପର୍ଯ୍ୟାୟବେଳେ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶଚାରୀ ବିଜୟୀ ବୀର ନୀଲଆର୍ମଷ୍ଟ୍ରଙ୍ଗ ଓ ରିଚାର୍ଡ଼ ଗର୍ଡ଼ନ ପାନାମାକୁ ପଦାର୍ପଣ କରିଥିବା ସତ୍ତ୍ୱେ ମଧ୍ୟ ଆମେରିକା ଓ ପାନାମା ଅଧିବାସୀମାନେ ହଜାର ହଜାର ସଂଖ୍ୟାରେ ମିହିରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିରୁ ମିହିରକୁମାରଙ୍କର କେତେ ସମ୍ମାନ ବୃଦ୍ଧି ପାଇଥିଲା ଅନୁମାନ କରାଯାଇପାରେ ।

 

ମିହିରକୁମାର ଯେତେବେଳେ ପାନାମା କେନାଲ ବିଜୟ କଲେ, ତା’ ପରେ ପରେ ତାଙ୍କୁ ପାନାମା କେନାଲ ନାଭିଗେସନ ଚିଫ୍‌ ମିଷ୍ଟର ଡେନାଲଡ଼ ଏ. ଡାର୍ଟିନ ଆନ୍ତରିକ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

 

ଏହିଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ପାନାମା ସିଟି ପକ୍ଷରୁ ମିହିରକୁମାରଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ସଙ୍ଗେ ସଙ୍ଗେ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଆଞ୍ଚଳିକ କେନାଲ ଗଭର୍ଣ୍ଣର ମିଷ୍ଟର ଜେ. ଫ୍ଲେମିଙ୍ଗ (ଜୁନିଅର) ମିହିରକୁମାରଙ୍କୁ ପାନାମା କେନାଲ ଚାବି ଅର୍ପଣ କରିଥିଲେ । ପାନାମା ରାଷ୍ଟ୍ରପତି ମାକୋ, ଏ, ରବଲସ୍‌ ମିହିରକୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ସମ୍ମାନିତ କରିଥିଲେ ।

 

ମିହିରକୁମାର ୬ଷ୍ଠ ସନ୍ତରଣ ଅଭିଯାନରେ ଜୟଯୁକ୍ତ ହୋଇ ଯୁକ୍ତରାଷ୍ଟ୍ର ଆମେରିକାପରି ସଭ୍ୟ ଦେଶରୁ ସମ୍ମାନିତ ହେବା ଭାରତ ପକ୍ଷରେ ଗର୍ବ ଓ ଗୌରବର କଥା । ଏହି ବିଜୟ ଅଭିଯାନ ପରେ ମିହିରକୁମାର ପୁଣି ଯେ ସୁଏଜ କେନାଲ ବିଜୟ ପାଇଁ ସ୍ୱପ୍ନ ନଦେଖିବେ କିଏ କହିବ ?

 

ପାନାମା କେନାଲ ବିଜୟ ପରେ ଭାରତର ରାଷ୍ଟ୍ରପତି ଡକ୍ଟର ଏସ୍‌, ରାଧାକୃଷ୍ଣନ ମିହିରକୁମାରଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଏହି ଅଭିନନ୍ଦନ ବାର୍ତ୍ତାରେ ମିହିରକୁମାରଙ୍କୁ ଜଣାଇଥିଲେ ଯେ ‘‘ସାଫଲ୍ୟର ସହିତ ପାନାମା କେନାଲ ଅତିକ୍ରମ କରି ସନ୍ତରଣ ଜଗତରେ ଆଉ ଗୋଟିଏ କୀର୍ତ୍ତି ସ୍ଥାପନ କଲ । ମୋର ଅଭିନନ୍ଦନ ଗ୍ରହଣ କର ।’’

 

ନଭେମ୍ୱର ୧ତାରିଖଦିନ ପାନାମା ଓ ମେକ୍‌ସିକୋର ଭାରତୀୟ ରାଷ୍ଟ୍ରଦୂତ ନିରଞ୍ଜନ ସିଂଗିଲ ମିହିରକୁମାରଙ୍କ ସମ୍ବର୍ଦ୍ଧନା ନିମନ୍ତେ ପାନାମା ସିଟିରେ ଏକ ଭୋଜିସଭାର ବ୍ୟବସ୍ଥା କରିଥିଲେ । ସେହି ଭୋଜିସଭାରେ ସେଠାରେ ବହୁ ବିଶିଷ୍ଟବ୍ୟକ୍ତି ଉପସ୍ଥିତ ଥିଲେ । ସେହି ସଭାରେ ମହିରକୁମାର ପାନାମା କେନାଲ ସନ୍ତରଣ ପରିବେଶ ବିଷୟରେ କହିବାକୁ ଯାଇ କହିଲେ ମନୁଷ୍ୟଦ୍ୱାରା ପ୍ରସ୍ତୁତ କୃତ୍ରିମ କେନାଲ ଜଳର ହିମ ଶୀତଳତା ଓ ନିଶ୍ଚଳ ଛନ୍ଦ ସ୍ୱଚ୍ଛଳ ସନ୍ତରଣରେ ଅନ୍ତରାୟ ସୃଷ୍ଟି କରିଥାଏ । ମୁଁ ସାଢ଼େ ପଇଁତ୍ରିଶ ଘଣ୍ଟା ପାନାମା କେନାଲ ଜଳରେ ଅତିବାହିତ କରିଛି । ଜୀବନରେ ଏ ହେଲା ମୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସନ୍ତରଣ । ଏହି କେନାଲ ସନ୍ତରଣ ନିମନ୍ତେ ମୁଁ ଯେତିକି ଉତ୍ତେଜନା ଓ ଉନ୍ମାଦନା ଆଶାକରିଥିଲି ତାହାଠାରୁ ଅଧିକ ପାଇଥିଲି ।

 

ସେ ପୁଣି କହିଲେ, ପାନାମା କେନାଲ ସନ୍ତରଣ ପାଇଁ ଯେଉଁ ସରକାରୀ ଓ ବେସରକାରୀ ବ୍ୟକ୍ତିମାନେ ମୋତେ ସାହାଯ୍ୟ କରିଥିଲେ ସେମାନଙ୍କ ସୌହାର୍ଦ୍ର୍ୟ ଓ ସହଯୋଗିତାପାଇଁ ମୁଁ ତାଙ୍କୁ ମୁକ୍ତ କଣ୍ଠରେ ପ୍ରଶଂସା ନକରି ରହିପାରୁନାହିଁ। ମୋର ସନ୍ତରଣ ସମୟରେ ସହଯୋଗୀଭାବରେ ଯେଉଁ ଆମେରିକାନ୍‌ ଏବଂ ପାନାମା ଅଧିବାସୀ ଯୁବକମାନେ ଯୋଗଦେଇଥିଲେ, ସେମାନଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି । ସମୟ ସମୟରେ ପାଞ୍ଚଜଣ ସନ୍ତରଣକାରୀ ଦୀର୍ଘ ୫ଘଣ୍ଟାରୁ ୧୧ଘଣ୍ଟା ପର୍ଯ୍ୟନ୍ତ ମୋ’ ପାଖେ ପାଖେ ରହି ମୋତେ ଉତ୍ସାହ ଦେବାପାଇଁ ସନ୍ତରଣ କରୁଥିଲେ, ତାହା ମୋ’ ପକ୍ଷରେ ଖୁବ୍‌ ସହାୟକ ହୋଇଥିଲା । ସେମାନଙ୍କୁ ମଧ୍ୟ ମୁଁ ଆନ୍ତରିକ ଅଭିନନ୍ଦନ ଜଣାଉଛି ।

 

ନଅ

ଅତୀତର ସ୍ମୃତି

ଶ୍ରୀମତୀ ବେଲା ସେନ୍‌

 

[ମିହିରକୁମାର କି ପ୍ରକୃତିର ଲୋକ ସେ କଥା ଶ୍ରୀମତୀ ବେଲାସେନ ଏକ ପ୍ରବନ୍ଧରେ ଲେଖିଛନ୍ତି । ବେଲାସେନ୍‌ ମିହିରଙ୍କ ସଙ୍ଗେ ସଙ୍ଗେ ଛାଇପରି ରହି ଆସିଥିଲେ ଛାତ୍ରୀବନ୍ଧୁ ଭାବରେ । ସେ ପୁଣି ଦିନେ ତାଙ୍କର ଅର୍ଦ୍ଧାଙ୍ଗିନୀ ହୋଇ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସହାୟକ ହେଲେ । ଶ୍ରୀ ମିହିରକୁମାର ସେନ ଆଜି ଯେ ଜଣେ ପୃଥିବୀର ଶ୍ରେଷ୍ଠ ସନ୍ତରଣକାରୀ ହୋଇପାରିଛନ୍ତି, ତା’ମୂଳରେ ରହିଛି ତାଙ୍କ ସ୍ତ୍ରୀ ଶ୍ରୀମତୀ ବେଲାସେନ୍‌ଙ୍କର ବଳିଷ୍ଠ ଅବଦାନ । ଶ୍ରୀମତୀ ବେଲାସେନ୍‌ ତାଙ୍କ ସ୍ୱାମୀ ମିହିରଙ୍କ ସମ୍ୱନ୍ଧରେ ଯେଉଁ ମତ ପ୍ରକାଶ କରିଛନ୍ତି ତା’ ଏଠାରେ ଉଲ୍ଲେଖ କଲେ ମିହିରଙ୍କର ଚରିତ୍ରର ବହୁ କଥା ଜାଣିବାକୁ ମିଳିବ ।]

 

ଶ୍ରୀମତୀ ବେଲାସେନ ଲେଖିଛନ୍ତି–‘‘ଜୀବନର ଚଲା-ପଥରେ ଛନ୍ଦୋମୟ ଗତି ମଧ୍ୟରେ କେତେ ଅଚିହ୍ନା ମନୁଷ୍ୟଙ୍କ ସଙ୍ଗରେ ପରିଚୟ ହୋଇଛି, କିନ୍ତୁ ଏହି ପ୍ରକୃତି ମଧ୍ୟରେ କେତେଜଣ ଆମର ମାନସ-ପଟରେ ସ୍ଥାୟୀଭାବରେ ଆସନ ପାତି ପାରିଛନ୍ତି ? ଏହି ଜଗତ ବକ୍ଷରେ ଏପରି କେତେକଙ୍କ ସଙ୍ଗରେ ଭେଟହୁଏ ଯିଏ କ୍ଷଣିକର ପରିଚୟରେ ନିଜ ବ୍ୟକ୍ତିତ୍ୱଦ୍ୱାରା ଅଚିହ୍ନା ବା ଅପରିଚିତକୁ ଆପଣାର କରିନିଅନ୍ତି ।

 

ବାଉନ ସାଲର କଥା । ଜୀବନର ବନ୍ଧୁର ପଥରେ ପରିଚୟ ହେଲା ଜଣେ ପ୍ରଫେସରି ଢଙ୍ଗର ଭାରତୀୟ ଛାତ୍ରଙ୍କ ସଙ୍ଗରେ । ସେତେବେଳେ ମନେହେଲା–ଏ ପରିଚୟ କ୍ଷଣକର ନୁହେଁ–ଏ ଯେପରି ଜନ୍ମ ଜନ୍ମାନ୍ତରର ପରିଚୟ, ପରବର୍ତ୍ତୀ ସମୟରେ ଏହି ବିଦେଶୀ ଛାତ୍ର ହିଁ ଆମର ଇଣ୍ଟର ନାସନାଲ କ୍ଲବର ଅବୈତନିକ ସମ୍ପାଦକ ପଦ ଅଧିକାର କଲେ । ନିଜର ବ୍ୟକ୍ତିତ୍ୱ ଗୁଣରେ ସେଦିନର ବିଦେଶୀ ଛାତ୍ର ଜଣକ ଆଉ କେହି ନୁହେଁ–ମୋର ସ୍ୱାମୀ ‘ଶ୍ରୀ ମିହିରକୁମାର ସେନ ।’

 

ସେଦିନର କଥା ଚିନ୍ତାକଲେ ମାନସ-ପଟରେ ଛବିପରି ଜଣାଯାଉଛି । ଆଉ ବିସ୍ମିତ ହୋଇ ଭାବେ କି ଆଶ୍ଚର୍ଯ୍ୟ ଉତ୍ସାହ ଓ ଉଦ୍ଦୀପନା ଘେନି ମିହିରକୁମାର ଅସମ୍ଭବ ରକମର ପରିଶ୍ରମ କରନ୍ତି । ହଜାର ପ୍ରକାର କର୍ମ ମଧ୍ୟରେ ନିଜକୁ ଲିପ୍ତରଖିବା ଥିଲା ତାଙ୍କର ଗୋଟାଏ ନିଶା । ମିହିରକୁମାରଙ୍କର ବ୍ୟକ୍ତିତ୍ୱର ମଧୁରତା କିଏ ଅନୁଭବ ନ କରିଛି ? ପ୍ରକୃତ ସତ୍ୟକଥା କହିବାକୁ ଗଲେ ଜୀବନରେ ମୁଁ ଦ୍ୱିତୀୟ ବ୍ୟକ୍ତି ଦେଖିବାକୁ ପାଇନି ଯିଏ ତାଙ୍କରିପରି କଷ୍ଟସହିଷ୍ଣୁତାର ପରିଚୟ ଦେଇପାରେ । ସେଥିପାଇଁ ବରାବର ମୁଁ ମିହିରଙ୍କୁ ଉପହାସ ଛଳରେ କହିଥାଏ, ‘ଯେଉଁଦିନ କର୍ମଭାରରେ ମିହିର ଅକର୍ମଣ୍ୟ ହେବେ, ସେହିଦିନହିଁ ମିହିର ଧରାଧାମରୁ ବିଦାୟ ଗ୍ରହଣ କରିବେ ।’

 

ମନେପଡ଼େ ୧୯୫୫ ସାଲର କଥା–ଯେଉଁଦିନ ମିହିର କଥା ପ୍ରସଙ୍ଗରେ ଇଂଲିଶ ପ୍ରଣାଳୀ ସନ୍ତରଣ କରିବାର ସିଦ୍ଧାନ୍ତ ଜଣାଇଥିଲେ, ସମସ୍ତେ ସେଦିନ ହସ ମଧ୍ୟରେ ଘଟଣାଟିକୁ ପରିସମାପ୍ତି ଘଟାଇଲେ । କେହି କେହି ମନ୍ତବ୍ୟ କରିଥିଲେ, ଏଇ ଚେହେରା, ସେଥିରେ ପୁଣି ଗ୍ରନ୍ଥକୀଟ, ଏ ସ୍ୱାସ୍ଥ୍ୟରେ କ’ଣ ଇଂଲିଶ ପ୍ରଣାଳୀ ଅତିକ୍ରମ କରାଯାଇପାରେ? ପ୍ରଣାଳୀ ସନ୍ତରଣ କରିବାକୁ ହେଲେ ଦରକାର ସ୍ୱାସ୍ଥ୍ୟ । ଯଦି ଏହିସବୁ ସମାଲୋଚକ ପୂର୍ବରୁ ଜାଣିଥାନ୍ତେ ଯେ ପାଞ୍ଚବର୍ଷ ବୟସରୁ ମିହିର ସଙ୍ଗରେ ସନ୍ତରଣର ସମସ୍ତ ସମ୍ପର୍କ ଛିନ୍ନହୋଇଛି । ପୁଣି କାହା ନିକଟରୁ ସେ ସନ୍ତରଣ ଶିକ୍ଷା କରିଛନ୍ତି ? ତାଙ୍କ ଘର ଚାକର ନିକଟରୁ । ଏହି କଥା କେବଳ ମିହିର ମୋ’ ନିକଟରେ କହିଥିଲେ ।

 

ଏସବୁ ଚମକପ୍ରଦ କାହାଣୀ ଜାଣିଥିବା ସତ୍ତ୍ୱେ ମୋର ବିଶ୍ୱାସ ଥିଲା, ମିହିର ଏହି କାର୍ଯ୍ୟରେ ନିଶ୍ଚେ ସାଫଲ୍ୟ ଲାଭକରିବେ ହିଁ କରିବେ । ଜୀବନ-ଯୁଦ୍ଧରେ ପରାଜିତ ହୋଇ ପଶ୍ଚାଦ୍‌ପଦ ହେବାର ପିଲା ମିହିରସେନ ନୁହନ୍ତି । ହୁଏତ ସେ ସନ୍ତରଣକାରୀ ଶ୍ରେଣୀ ଭୁକ୍ତ ନୁହନ୍ତି; ତଥାପି ଅସାଧ୍ୟ ସାଧନର ପ୍ରବଳ ଆକାଂକ୍ଷା ତାଙ୍କର ବରାବର ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ । ସବୁ ଅପେକ୍ଷା ସେ ନିଜର ଜନ୍ମଭୂମି ଭାରତବର୍ଷକୁ ଅଧିକ ଭଲ ପାଆନ୍ତି ।

 

ସେ ସମୟରେ ମୁଁ ଲଣ୍ଡନରେ ଥାଏ । ଆମେ ପ୍ରତିଦିନ ସନ୍ଧ୍ୟା ସମୟରେ ହାମ୍ପେଷ୍ଟଡ଼ ଆଡ଼କୁ ସନ୍ଧ୍ୟାରେ ଭ୍ରମଣ କରିବାକୁ ଯାଉ । ଦିନେ ମିହିର ମତେ ଗୋଟିଏ ଗୋପନ କଥା କହିଲେ, ‘ମୁଁ ସାମୁଦ୍ରିକ ଜନ୍ତୁଙ୍କୁ ଭାରି ଭୟକରେ ।’ ମୁଁ ଜାଣେ ପିଲାବେଳେ ସେ ଭାରି ଦୁର୍ବଳ ଥିଲେ । ସେଥିପାଇଁ ମନରେ ଏହି ଭୟ ତାଙ୍କର ରହିଆସିଛି ।

 

ଥରେ ନୁହେଁ, ଦୁଇଥର ନୁହେଁ, ୫ମଥର ଯେତେବେଳେ ମିହିର ଦୀର୍ଘ ଅଠରଘଣ୍ଟା ଦୁର୍ଦ୍ଦାନ୍ତ ଇଂଲିଶ ପ୍ରଣାଳୀ ସଙ୍ଗେ ସଂଗ୍ରାମକରି ମାତ୍ର ୮୮୦ଗଜ ବ୍ୟବଧାନରେ ଫରାସୀ ଉପକୂଳରୁ ବିଫଳ ମନୋରଥ ହୋଇ ଫେରିଲେ ସେତେବେଳେ ତାଙ୍କର ଅଶ୍ରୁସିକ୍ତ ଚକ୍ଷୁ ଦେଖି ମୁଁ ତାଙ୍କର ପରାଜୟ କଥା ବୁଝିପାରିଲି । ମୋର ଏକମାତ୍ର ଚିନ୍ତା ହେଲା କ’ଣ କହି ତାଙ୍କୁ ମୁଁ ସାନ୍ତ୍ୱନାଦେବି । ପ୍ରଥମ ସାକ୍ଷାତରେ ମିହିର ମୋତେ କହିଲେ, ‘‘ପୁଣି ଆଉ ଚେଷ୍ଟା କରି ଦେଖିବି । କି ଅଦ୍ଭୁତ ସାହସ; ଧୈର୍ଯ୍ୟ, ସହିଷ୍ଣୁତା ଓ ଅଧ୍ୟବସାୟ ତାଙ୍କର । ଶେଷରେ ତାଙ୍କର ଏହିସବୁ ଗୁଣ ତାଙ୍କୁ ପୃଥିବୀର ଶ୍ରେଷ୍ଠ ସନ୍ତରଣକାରୀ ଆସନରେ ଅଧିଷ୍ଠିତ କରାଇ ପାରିଲା ।’’

 

ଇଂଲିଶ ପ୍ରଣାଳୀର ଆହ୍ୱାନ

ଶ୍ରୀ ମିହିରକୁମାର ସେନ୍

 

୧୮୭୫ ମସିହା ଅଗଷ୍ଟମାସ ୨୬ ତାରିଖ ସକାଳ । ସେତେବେଳେ ଫ୍ରାନ୍‌ସ ଉପକୂଳସ୍ଥ କାଲାଇସ୍‌ ସହରବାସୀମାନେ ଶେଯ ଛାଡ଼ୁଥାନ୍ତି । ସେମାନେ କେବେ କଳ୍ପନା କରିନଥିଲେ ସେଦିନ ଏଭଳି ଗୋଟିଏ ବିଖ୍ୟାତ ବିପଦସଂକୁଳ ସାମୁଦ୍ରିକ ଦୃଶ୍ୟ ଦେଖିବେ ବୋଲି ।

 

ସକାଳେ ଚାରିଆଡ଼େ କୁହୁଡ଼ି ଘେରିଥିଲା । କେତେକ ଡକ୍ କର୍ମଚାରୀ ସମୁଦ୍ରରେ ଏକ କୌତୂହଳପୂର୍ଣ୍ଣ ଜିନିଷ ଦେଖିଲେ । ସେମାନେ ଦେଖିଲେ ସମୁଦ୍ର ବେଳାଭୂମିଠାରୁ ଅଧ ମାଇଲ ଦୂରରେ ଦୁଇଟି କ୍ଷୁଦ୍ର ନୌକା ଧୀରେ ଧୀରେ କୂଳ ଆଡ଼କୁ ଆସୁଛି । ସେଇ ନୌକା ଦ୍ୱୟର ଲୋକମାନେ ସେମାନଙ୍କ ମଧ୍ୟଭାଗରେ କ’ଣ ଗୋଟାଏ ନେଇ ଆସୁଥିଲେ ଏବଂ ଗଗନ ପବନକୁ ବିଜୟ ଚିତ୍କାରରେ ମୁଖରିତ କରି ଦେଉଥିଲେ ଠିକ୍ ଚନ୍ଦ୍ର ଅଭିଯାନକାରୀଙ୍କ ପରି । ସେହି ଆନନ୍ଦମୁଖର ପରିବେଶରେ ଫ୍ରାନ୍‌ସ ନାବିକମାନେ ଯୋଗ ଦେଇଥିଲେ । କ୍ରମେ ସେମାନେ କୂଳରେ ଆସି ପହଞ୍ଚିଲେ । ପରିସ୍ଥିତି ଅତ୍ୟନ୍ତ କୌତୂକପୂର୍ଣ୍ଣ ଥିଲା । ସେତେବେଳେ ସକାଳ ସାତଟା ପନ୍ଦର ।

 

ଦୀର୍ଘ ୨୧ ଘଣ୍ଟା ୪୫ ମିନିଟ ସନ୍ତରଣ ପରେ କ୍ୟାପଟେନ ମାଥିଉ ଉଏବ୍‍ ଶେଷରେ ଉପକୂଳ ସ୍ପର୍ଶ କରିଥିଲେ । ଯେଉଁ ଲୋକମାନେ ତାଙ୍କୁ ନୌକାରେ ଅନୁସରଣ କରୁଥିଲେ, ସେମାନେ ଶେଷରେ ପାଣିକୁ ଡେଇଁ ପଡ଼ିଲେ ଏବଂ ତାଙ୍କୁ ଯତ୍ନସହକାରେ ପାଣିରୁ ଟେକିନେଲେ । କେତେକ ସମୟ ସୁଖରେ ବିଶ୍ରାମ ନେବାକୁ ଛାଡ଼ିଦେଲେ । ସେତେବେଳେ ଦଶଟା ଏକଚାଳିଶ ମିନିଟ୍ ବାଜିଥିଲା ।

 

ପ୍ରଥମଥରପାଇଁ ପ୍ରଖର ତରଙ୍ଗମାଳା, ହିମ-ଶୀତଳ-ଜଳରାଶିର ଗର୍ବକୁ ଖଣ୍ଡନ କରି ମନୁଷ୍ୟ ଇଂଲିଶ ପ୍ରଣାଳୀ ଅନୁସରଣ କରି ଇତିହାସ ସୃଷ୍ଟି କଲା । ଊନବିଂଶ ଶତକର ମାନବ ଯାହାକୁ ଅସମ୍ଭବ ବୋଲି ଭାବୁଥିଲା କ୍ୟାପଟେନ ଉଏବ୍ ତାହାକୁ ସମ୍ଭବବୋଲି ପ୍ରମାଣିତ କରିଦେଲେ । ଦେଶ ଯେତେବେଳେ ଏହା ଐଶ୍ୱରୀକ ଶକ୍ତିବୋଲି କହିବାକୁ ଲାଗିଲା, ଲୋକେ ଏହାକୁ ଅବିଶ୍ୱାସ କଲେ । ୧୯୦୫ ମସିହା ପର୍ଯ୍ୟନ୍ତ କ୍ୟାପଟେନ ଉଏବ୍‌ଙ୍କ ଦାବି ସ୍ୱୀକୃତ ଓ ଅସ୍ୱୀକୃତ ଭିତରେ ରହିଗଲା ।

 

ଏଇ ବାଦ ବିବାଦ ଭିତରେ ବର୍ଷ ବର୍ଷ ବିତିବାକୁ ଲାଗିଲା । ଅନେକ ସୁଦକ୍ଷ ସନ୍ତରଣକାରୀ ଇଂଲିଶ ପ୍ରଣାଳୀର ଗୁରୁଗାମ୍ଭୀର୍ଯ୍ୟ ଭାଙ୍ଗିବାକୁ ପ୍ରବଳ ପ୍ରୟାସ ଚଳାଇଲେ । ଦୀର୍ଘ ଛତିଶ ବର୍ଷରେ ସତୁରି ଜଣ ପ୍ରତିଯୋଗୀ ପ୍ରୟାସ ଚଳାଇ ବିଫଳ ହେଲେ ।

 

ତା’ପରେ ୧୯୧୧ ମସିହା ସେପ୍ଟେମ୍ବର ୭ ତାରିଖ ଦିନ ଅନ୍ୟ ଜଣେ ଇଂରେଜ ଲୋକ ଏହାକୁ ସନ୍ତରଣ କଲା । ଟି. ଡବ୍‌ଲ୍ୟୁ ବରଗେସ୍‌ ତାଙ୍କର ଦ୍ୱାଦଶବାର ପ୍ରଚେଷ୍ଟାରେ ସାଢ଼େ ବାଇଶ ଘଣ୍ଟାରେ ଇଂଲିଶ ପ୍ରଣାଳୀ ସନ୍ତରଣ କଲେ ।

 

ପ୍ରାୟ ବାରବର୍ଷ ପରେ, ୧୯୨୩ ମସିହା ଅଗଷ୍ଟ ଛ’ ତାରିଖରେ ଏଚ୍. ସୁଲିଭେନ୍ ନାମକ ଜଣେ ଆମେରିକା ବାସୀ ତୃତୀୟ ଥର ପାଇଁ କୃତିତ୍ୱପୂର୍ଣ୍ଣଭାବେ ଇଂଲିଶ ପ୍ରଣାଳୀ ସନ୍ତରଣ କଲେ । ଏହା ତାଙ୍କର ତୃତୀୟ ପ୍ରଚେଷ୍ଟା ଥିଲା । ସୁଲିଭେନ୍ ଛବିଶ ଘଣ୍ଟା ୫୦ ମିନିଟରେ ତାଙ୍କ ସନ୍ତରଣ ସମାପ୍ତ କରିଥିଲେ ।

 

ଏହି ସନ୍ତରଣ କ୍ୟାପଟେନ୍ ଉଏବ୍‍ ଓ ବରଗେସ୍‌ଙ୍କ ବିଜୟର ନିଶ୍ଚିନ୍ତତା ଅସ୍ୱୀକାର କରୁଥିବା ଜନତାଙ୍କ ମନରେ ବିଶ୍ୱାସ ଆଣିଦେଲା । ଏହି ବର୍ଷ ଲହରୀ ତଥ୍ୟ ଓ ସାମୁଦ୍ରିକ ଜୀବଙ୍କ ବିଷୟରେ ଅନେକ କିଛି ଆବିଷ୍କାର କରାଗଲା । ଏହା ପରବର୍ତ୍ତୀ ସନ୍ତରଣକାରୀଙ୍କୁ ପ୍ରଭୂତ ସାହାଯ୍ୟ କଲା । ସେମାନେ ବିଶେଷଭାବେ ଏହାଦ୍ୱାରା ଉପକୃତ ହେଲେ ଏବଂ ତାଙ୍କୁ ଅଳ୍ପ କଷ୍ଟ ସହ୍ୟ କରିବାକୁ ପଡ଼ିଲା । ଏହି ତଥ୍ୟ ସବୁକୁ ବ୍ୟବହାର କରି ଛ’ସପ୍ତାହ ଭିତରେ ଇଟାଲୀର ତିରାବୋଶ୍ଚି ଓ ଅନ୍ୟ ଜଣେ ଆମେରିକା ବାସୀ ଚାର୍‌ଲସ ଟଥ୍‌ ଏହି ପ୍ରଣାଳୀ ସନ୍ତରଣ କରିଥିଲେ । ଏମାନେ ଫ୍ରାନ୍‌ସଠାରୁ ଇଂଲଣ୍ଡ ଆଡ଼କୁ ବିପରୀତମୁଖୀ ହୋଇ ଅଳ୍ପ ସମୟରେ ସନ୍ତରଣ କରିଥିଲେ-

 

ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା । ଅନେକ ପ୍ରତିଯୋଗୀ ସନ୍ତରଣ ଦିଗରେ ମନବଳାଇଲେ । ମାତ୍ର କେହି ସାଗରର ନିରବ ବୀଣାକୁ ଝଙ୍କୃତ କରିବାକୁ ସକ୍ଷମ ହେଲେନି । ସତେ ଯେମିତି ଏହି ପ୍ରଣାଳୀର ଦୁରତ୍ୱ ବହୁଗୁଣରେ ବଢ଼ିବାକୁ ଲାଗିଲା ପ୍ରତ୍ୟେକ ବର୍ଷ ।

 

ଆଜି ସୁଦୀର୍ଘ ସନ୍ତରଣକାରୀ ଯଦିଓ ଏଇମାତ୍ର ଏକୋଇଶି ମାଇଲ ଜଳକୁ ସନ୍ତରଣ କରିବାକୁ ଅକ୍ଷମ ହେବନି, ତଥାପି ବଡ଼ ଆଶ୍ଚର୍ଯ୍ୟର କଥା ଯେ ଇଂଲିଶ ପ୍ରଣାଳୀ ସନ୍ତରଣକାରୀଙ୍କ ଆଗରେ ‘ନୀଳଫିତା’ ହୋଇ ରହିଛି । ଏହା ଯେମିତି ଖୁବ୍‌ ବିରାଟ ! ଖୁବ୍‌ ବିପଦସଂକୁଳ !!

 

ଅନେକ ଲୋକେ ପଚାରନ୍ତି କାହିଁକି ? ସନ୍ଦେହରେ କହନ୍ତି, ଦୀର୍ଘ ଅନବଦମିତ ପଥ ବିପଦସଂକୁଳ ହୋଇଉଠେ । ଡକ୍ଟର ଏଲ.ଜି.ଜି. ପୁଙ୍ଗ, ଯେ କି ୧୯୫୩ର ହିମାଳୟ ଅଭିଯାତ୍ରୀଙ୍କର ମୁଖ୍ୟ ମେଡିକାଲ ଉପଦେଷ୍ଟା ଥିଲେ, ସେ କହିଥିଲେ, ହିମାଳୟ ଆରୋହଣକାରୀଙ୍କ ପାଇଁ ଯେତେ ଖାଦ୍ୟସାର ଆବଶ୍ୟକ ପଡ଼େ ତା’ଠାରୁ ଅଧିକ ପଡ଼େ ଏଇ ପ୍ରଣାଳୀରେ ସନ୍ତରଣକାରୀଙ୍କ ପାଇଁ ।

 

ତେବେ କାହିଁକି ଏ ବାଇଶି ମାଇଲ ସନ୍ତରଣ କରିବାରେ ଏତେ ବାଧା, ଏତେ ଅନ୍ତରାୟ-। ଭୌଗୋଳିକ ତଥା ଜଳବାୟୁଜନିତ ପରିସ୍ଥିତି ବୋଧହୁଏ ଇଂଲିଶ ପ୍ରଣାଳୀକୁ ଏତେ ଅଦମ୍ୟ କରି ଗଢ଼ିଛି । ଉତ୍ତାଳ ତରଙ୍ଗ, ଜଳର ତାପ, ଏବଂ ପାଗ ଏଇ ପ୍ରଣାଳୀକୁ ଏତେ ଦୁର୍ଦ୍ଦମ୍ୟ କରିଛି ।

 

ପ୍ରଶାନ୍ତ ମହାସାଗରର ଏଇ କ୍ଷୀଣକାୟ ପ୍ରଖର ଜଳରାଶି ଉତ୍ତର ସାଗର ସହିତ ଏହାକୁ ସଂଯୁକ୍ତ କରୁଛି । ସାମ ରକେଟ୍ ଛ’ଫୁଟ ଉଚ୍ଚ ଏକ ରାକ୍ଷସାକୃତି ଲୋକ । ସେ ବି ଜଣେ ପ୍ରଣାଳୀ ବିଜେତା । ବର୍ତ୍ତମାନ ସେ ବାର୍ଷିକ ଆନ୍ତର୍ଜାତିକ ପ୍ରଣାଳୀ ସନ୍ତରଣ ପ୍ରତିଯୋଗିତା ସଂସ୍ଥାର ମାର୍ଶାଲ । ସେ କହିଛନ୍ତି, ମୋତେ ବିଶ୍ୱାସକର, ଆବିଷ୍କାରକ ପ୍ରଣାଳୀ ସନ୍ତରଣ କରିବା ଅପେକ୍ଷା ପ୍ରବର୍ତ୍ତାଏ ବେଶୀ ।

 

ମାତ୍ର ନିଉୟର୍କର ଏକ ଧୂସର ନୟନା ଊନବିଂଶ ବୟସ୍କା ବାଳିକା ଏହି ପ୍ରଣାଳୀ ୧୯୨୬ ମସିହା ଅଗଷ୍ଟ ମାସରେ ସନ୍ତରଣ କରିବାଦ୍ୱାରା ନାରୀମାନେ ଏ ଆଡ଼କୁ ଆକୃଷ୍ଟହେଲେ-। ଗର୍ତୁଡ଼ି ଇଡ଼ର୍ଲି ସନ୍ତରଣ ଜଗତର ପ୍ରଥମ ମହିଳା, ଯେ କି ଇଂଲିଶ ପ୍ରଣାଳୀ ସନ୍ତରଣ କରିବାରେ ଦକ୍ଷତା ଅର୍ଜନ କରିଥିଲେ । ମାତ୍ର ‘ପ୍ରଣାଳୀର ମହିଳା’ ଆଖ୍ୟା ଅର୍ଜନକଲେ କୁମାରୀ ଫ୍ଲୋରେନସ୍‌ ଚଦ୍ୱିକ୍–କାଲିଫର୍ଣ୍ଣିଆର ଜଣେ ସଇଁତିରିଶ ବର୍ଷିୟା ଟାଇପିଷ୍ଟ । ସେ ଏହି ଇଂଲିଶ ପ୍ରଣାଳୀକୁ ଚାରିଥର ସନ୍ତରଣ କରିଥିଲେ ଏବଂ ନିଜକୁ ସନ୍ତରଣକାରୀଙ୍କ ମଧ୍ୟରେ ଅନ୍ୟତମକରି ରଖିଥିଲେ ।

 

ଗତ ଅଶିବର୍ଷ ଧରି ଚାରିଶହ ଜଣ ପ୍ରଚେଷ୍ଟା କରିଛନ୍ତି । ମାତ୍ର ପ୍ରାଣାଳୀ ସନ୍ତରଣ ଆସୋସିଏସନରେ ମୋଟେ ପଚାଶ ଜଣଙ୍କର ନାମ କୃତିତ୍ୱର ତାଲିକାଭୁକ୍ତ ହୋଇଛି । ସେମାନଙ୍କ ମଧ୍ୟରୁ ଏଗାର ଜଣ ହେଉଛନ୍ତି ମହିଳା ।

 

ପ୍ରଣାଳୀ ସନ୍ତରଣର କାହାଣୀ ଅକୃତକାର୍ଯ୍ୟଙ୍କ ବିବରଣୀ ବିନା ପୂର୍ଣ୍ଣାଙ୍ଗ ହେବନି । ଏଗୁଡ଼ିକ ବିଜୟ ନହେଲେ ବି ସାହସିକତା ।

 

ମୋ ମୁଣ୍ଡକୁ ଜଣେ ବୟସ୍କ ଇଂରେଜ ଡାକ୍ତର ଜି.ବି. ବ୍ରିଉଷ୍ଟରଙ୍କ କଥା ଢୁକୁଚି । ସେ ତାଙ୍କ ଯୁବାବସ୍ଥାରୁ ଏ ପ୍ରଣାଳୀ ସନ୍ତରଣ ପ୍ରଚେଷ୍ଟା ଚଳାଇ ଆସିଛନ୍ତି । କହିବାକୁଗଲେ ଅତ୍ୟୁକ୍ତି ହେବନି ଯେ, ସେ ସେଇଥିପାଇଁ ବିବାହ କରିବାକୁ ସମୟ ପାଇଲେନି । ପଞ୍ଚଷଠି ବୟସରେ ସେ ଅବିବାହିତ ରହି ଆଶା କରିଥିଲେ ଆସନ୍ତା ସାଲକୁ ଆଉ ଗୋଟିଏ ଥର ଚେଷ୍ଟାକରିବେ ।

 

ଏଇ ହେଉଛି ଇଂଲିଶ ପ୍ରଣାଳୀର କାହାଣୀ । କେତେକ ତାକୁ ଆଘାତ କରିଛନ୍ତି ଏବଂ କେତେ ସାହସିକ ହୃଦୟକୁ ସେ ବି ଦମନ କରିଛି । ତଥାପି ଯେତେବେଳେ ଗ୍ରୀଷ୍ମଋତୁ ଝୁଲି ଝୁଲି ପୃଥିବୀକୁ ନଇଁଆସେ, ଏଇ ଇଂଲିଶ ଧୂମିଳ ଉପକୂଳରେ ପ୍ରତିଯୋଗୀଙ୍କ ସଂଖ୍ୟା ବଢ଼େ । ପୃଥିବୀର ପ୍ରତ୍ୟେକ ଅଂଶରୁ ପ୍ରତିଯୋଗୀଙ୍କର ସମାବେଶ ହୁଏ ।

 

ପ୍ରତ୍ୟେକ ବର୍ଷ ଜଣେ କିମ୍ବା ଦୁଇଜଣ କାଗଜ ପ୍ରମାଣପତ୍ର ନେଇ ଫେରନ୍ତି ଯାହାର ମୂଲ୍ୟ କି ପ୍ରାୟ ଶହେ ଚାଳିଶଟଙ୍କା । ମାତ୍ର ତାହା ଗୋଟିଏ ବକ୍ତ ଖାଦ୍ୟ କିଣିବାକୁ ଅନୁପଯୁକ୍ତ । ଅନ୍ୟମାନେ ଭଙ୍ଗାମନ ନେଇ ଫେରନ୍ତି । ସେମାନଙ୍କର ପ୍ରଗାଢ଼ ପରିଶ୍ରମ ସହିତ ସମସ୍ତ ଅର୍ଥ ସେଇ ଇଂଲିଶ ପ୍ରଣାଳୀରେ ହଜେ । ମାତ୍ର ଉପକୂଳ ପରିତ୍ୟାଗ କରିବା ପୂର୍ବରୁ ସେମାନେ କହନ୍ତି ‘‘ସେ (ପ୍ରଣାଳୀରୁ) ଜିତାପଟ ମିଳିବାକୁ ବହୁତ କଠିନ ।’’

 

ଅନ୍ୟଜଣେ ବି କହେ, ଯଦି ତାହା, ତେବେ ଲୋକେ କାହିଁକି ଇଂଲିଶ ପ୍ରଣାଳୀ ସନ୍ତରଣ କରନ୍ତି ?

 

ଦୁଃସାହସର ପରିଚିତି

ଶ୍ରୀ ମିହିରକୁମାର ସେନ

 

ଯଦି କେହି ମତେ ପଚାରେ ଯେ ତମେ ଏପରି ଏକ ବଳିଷ୍ଠ ଉଦାହରଣ ଦିଅ ବା କାରଣ ଦର୍ଶାଅ ଯାହାକି ମଣିଷକୁ ଠେକୁଆ ଶିକାର ଯୁଗରୁ ମହାକାଶ ଅଭିଯାତ୍ରୀ ଯୁଗର ଅତି ମାନବୀୟ ଅବସ୍ଥାରେ ଆଣି ପହଞ୍ଚାଇ ପାରିଛି ବୋଲି–ତେବେ ମୁଁ କହିବି ତାହା ହେଉଛି ମଣିଷର ସାହସିକତାର ଶକ୍ତି । ଏହି ଐଶ୍ୱରୀକ ଶକ୍ତି ମଣିଷକୁ ଗ୍ରହାନ୍ତର ସୃଷ୍ଟିରେ ଉନ୍ନତ, ଗୋଟିଏ ଦେଶଠାରୁ ଅନ୍ୟ ଦେଶକୁ ମହତ୍‌, ଜଣେ ବ୍ୟକ୍ତିଠାରୁ ଅନ୍ୟକୁ ପୃଥକ୍ କରିଛି । କୃତଜ୍ଞ ହେବାର ଉତ୍କଣ୍ଠା, ପାହାଡ଼ ଊର୍ଦ୍ଧ୍ୱରେ କ’ଣ ଅଛି ଜାଣିବାର ଆଲୋଡ଼ନ, ଈଶ୍ୱର ଦତ୍ତ ବସ୍ତୁ ପ୍ରତି ଅବିଶ୍ୱାସ ଓ ସନ୍ଦେହ, କଷ୍ଟ ସମ୍ମୁଖୀନ ହେବାର ପ୍ରେରଣା; ଅଜଣା, ଅଶୁଣା, ଅଦେଖା ପଦାର୍ଥର ଅନୁସନ୍ଧାନ ଓ ସର୍ବୋପରି ପାରିପାର୍ଶ୍ୱିକ ଓ ଆଭ୍ୟନ୍ତରୀଣ ବସ୍ତୁ ତଥା ଘାଟନିକ ପ୍ରତିକ୍ରିୟାକୁ ସମ୍ମୁଖୀନ ହେବାର ଉତ୍ସାହ ସେହି ସାହସିକ ଶକ୍ତିଠାରୁ ମିଳେ । ଏହି ଅନ୍ତର୍ନିହିତ ଶକ୍ତି ମଣିଷକୁ ପରିଚାଳିତ କରେ ସଂଗ୍ରାମ ଓ ସଂଗ୍ରହ କରିବାକୁ, ଗ୍ରହାନ୍ତର ଅଭିଯାନ କରିବାକୁ–ଯାହାକି ଦୁରନ୍ତର ଆଶାବାଡ଼ି ପାଖରେ ରହିଛି । ତେଣୁ ଏହା ଦୁର୍ଦ୍ଦମନୀୟ ହିଂସ୍ର ପଶୁ ଗୋଷ୍ଠୀଠାରୁ ବ୍ୟକ୍ତିକୁ, ଜାତିକୁ ଓ ସମାଜକୁ ହଜାର ହଜାର ବର୍ଷ ଧରି ମହାନ୍ ବୋଲି ଘୋଷିତ କରୁଛି ।

 

ସୃଷ୍ଟିର ଇତିହାସ, ଜୀବନର ପ୍ରବହମାନ, ମଣିଷର କାହାଣୀ କେବଳ ସାହସିକତାର ପରିଚିତ । ଆଧୁନିକ ବିଜ୍ଞାନବିତ୍‌ଙ୍କଦ୍ୱାରା ଏହା ବଳତ୍‌କାରରେ ଠେଲି ଦିଆଯାଏ ନାହିଁ କିମ୍ବା ଶିକ୍ଷାକରାଇ ଦିଆଯାଏ ନାହିଁ । ବାସ୍ତବରେ ପ୍ରକୃତିଗତ ଏକ ହଜାର ବର୍ଷଧରି ସର୍ବୋତ୍କୃଷ୍ଟ ସାହସିକତାର ଯେଉଁ ଚାପା ମଣିଷ ଉପରେ ପକାଉଥିଲା, ତା’ର ପ୍ରଗତି ଅୟମାରମ୍ଭ ମାତ୍ର । ମହାକାଶର ଐତିହାସିକ ଆକର୍ଷଣ ବର୍ତ୍ତମାନ ମାନବ ପ୍ରାଣକୁ ଆକୃଷ୍ଟ କରିବାକୁ ଆରମ୍ଭ କରିଛି । ଯେତେବେଳେ ଜଣେ ଚାହେଁ ତା’ର ଅତିମାନୁଷିକ କାର୍ଯ୍ୟକଳାପଦ୍ୱାରା ସମଗ୍ର ବିଶ୍ୱକୁ ଚମତ୍କାରିତ କରିଦେବାକୁ–ଏବଂ ତାହାର ପ୍ରଶାନ୍ତ ପ୍ରଚେଷ୍ଟାରେ ମାନବ ପ୍ରାଣ ଯେ କେତେଦୂର ଆକର୍ଷିତ ହେଉଛି ତାହା ସେ ଜାଣିବା ପୂର୍ବରୁ–ସେଇ ମଧ୍ୟାନ୍ତରରେ ସେ ଆତ୍ମସମର୍ପଣ କରେ ଅସହାୟଭାବେ ।

 

ମଣିଷ ଜାଣି ସାରିଲାଣି, ଯେଉଁ ନିହାରୀକା ଜଗତରେ ତାଙ୍କର ସୂର୍ଯ୍ୟ ଅବସ୍ଥିତ, ସେଇ ଜଗତରେ ଲକ୍ଷ ଲକ୍ଷ ସୂର୍ଯ୍ୟ ବିଦ୍ୟମାନ ଅଛନ୍ତି । ଯଦି ପ୍ରତ୍ୟହ ସେହି ଗ୍ରହ ଜଗତ ବିଷୟରେ ଅନୁସନ୍ଧାନ ଚାଲେ, ତେବେ ସେହି ଗ୍ରହ ପଠନରେ ତାକୁ ସାହସର ସହିତ ମହାକାଶ ପରିକ୍ରମଣ କରିବାକୁ ପଡ଼ିବ । ଆମଠାରୁ ବହୁ ଉନ୍ନତ ଦେଶ ଶିକ୍ଷା ଓ ଗବେଷଣାରେ ପ୍ରଗତିଶୀଳ ହୋଇ ବି ସେମାନେ ଆବିଷ୍କାର ଦିଗରୁ ମନ ଫେରାଇ ନାହାନ୍ତି । ଆଜିକାଲି ମଣିଷ ତିଆରି ରକେଟ ସବୁ ନୀଳ ଆକାଶରେ ପୃଥିବୀର ସୀମାନ୍ତ ଛାଡ଼ି ଅନ୍ୟ ଗ୍ରହକୁ ଛୁଟୁଛନ୍ତି । ଏହି ଅନନ୍ତ ସୃଷ୍ଟି ଓ ଅସୀମ ଆକାଶରେ ରକେଟ ସନ୍ତରଣ ମଣିଷର ଭାଗ୍ୟକୁ ସନ୍ଧାନୁଚି । ଗୋଟାଏ ସୁପ୍ତ ହଜିଲା ଅତୀତ ଏବଂ ଆଜିର ଜାଗ୍ରତ ସଞ୍ଜୀବିତ ବର୍ତ୍ତମାନ ଭିତରସ୍ଥ ନୂତନ ଯୁଗର ନୂତନ ପ୍ରଭାତକୁ ଆମେ କଳ ମୁଖରିତ କରୁଛୁ । ଆମେ ଗ୍ରହ ଜଗତର ପଦରେଣୁକୁ ଅନୁସନ୍ଧାନ କରୁଛୁ ।

 

ପ୍ରଗତିର ପ୍ରଭାତରେ, ଅସୁମାର ସୁଯୋଗର ଅଧିକାର ପାଇ ଭାରତୀୟମାନେ ନିଜର କ୍ଷୀଣ ଆଶାର ଦୀପକୁ ଜାଳି ଅଶ୍ରୁ ବିସର୍ଜନ କରୁଛନ୍ତି । ତାଙ୍କୁ ଆଜି-ଯୁଗର ପ୍ରତିଜ୍ଞା ଅତି ପୁରୁଣା ବୋଲି ମନେହେଉଛି । ତେଣୁ ତାଙ୍କ ପାରିପାର୍ଶ୍ୱିକ ପ୍ରକୃତି ତାଙ୍କୁ ଅପରିବର୍ତ୍ତିତ ରଖୁଚି । ସେମାନେ ସ୍ୱତଃସିଦ୍ଧ ଯେ ସେହି ବସ୍ତୁଗୁଡ଼ିକ ଅନ୍ୟ ଏକ ଜଗତର ଜିନିଷ । ଗ୍ରହାନ୍ତର ଗମନ କେବଳ ସମ୍ଭବ ମୃତ୍ୟୁପରେ ଏବଂ ମୃତ୍ୟୁ ହେଉଛି ଏକମାତ୍ର ମୁକ୍ତି ଓ ଆଦେଶନାମା । ସେ ଜଗତ ହେଉଛି ଶାନ୍ତିର ଦୁନିଆ ଏବଂ ଭଗବାନଙ୍କ ରାଜ୍ୟ । ତେଣୁ ସେମାନେ ଆକାଂକ୍ଷା ଓ ଉତ୍‌କଣ୍ଠାବିହୀନ ହୋଇ ମୁକ୍ତିକୁ ଅପେକ୍ଷା କରିଛନ୍ତି ।

 

ତଥାପି ଭାରତୀୟମାନେ ପୃଥିବୀର ପରିବର୍ତ୍ତନର ନିରବ ଦର୍ଶକ ନୁହନ୍ତି । ସେମାନେ କେବଳ ବିଚକ୍ଷଣ ଚିନ୍ତୁକ ନୁହଁନ୍ତି–ବିରାମବିହୀନ ଉଦ୍ଭାବକ ଓ କର୍ମନିପୁଣ ଜୀବନ ନାଟକର ଅଭିନେତା ମଧ୍ୟ । ପଣ୍ଡିତ ନେହେରୁ ତାଙ୍କ ‘‘ଭାରତ ଆବିଷ୍କାର’ ନାମକ ପୁସ୍ତକରେ ଲେଖିଛନ୍ତି ‘‘ଖ୍ରୀଷ୍ଟ ଜନ୍ମର ପ୍ରଥମ ଏକ ହଜାର ବର୍ଷରେ ଭାରତରେ କେତେ ଉତ୍‌ଥାନ ପତନ ହୋଇଯାଇଛି ।’’ ଅନେକ ଦ୍ୱନ୍ଦ୍ୱ ଉପସ୍ଥିତ ମାନବ ସମାଜ ଓ ଆଭ୍ୟନ୍ତରୀଣ ପରିସ୍ଥିତି ଭିତରେ ସୃଷ୍ଟି ହୋଇଛି । ମାତ୍ର ବର୍ତ୍ତମାନ ଜାତୀୟ ଜୀବନକୁ ଉନ୍ନତ କରିବାର ଏକ ସୁବର୍ଣ୍ଣ ଯୁଗ ଆସି ପହଞ୍ଚିଛି, ଯାହାଦ୍ୱାରା କି ଆମେ ଆମର ସର୍ବାଙ୍ଗୀନ ଉନ୍ନତି ସାଧନକରି ପାରୁଚେ । ସଂସ୍କୃତି ଉନ୍ନତ ସଭ୍ୟତାର ପୁଷ୍ପଭଳି ଦର୍ଶନ, ସାହିତ୍ୟ, ନାଟକ, କଳା, ବିଜ୍ଞାନ ଏବଂ ଗଣିତରେ ପ୍ରସ୍ଫୁଟିତ ହୋଇଉଠୁଚି, ଭାରତ ତା’ର ଦିଗନ୍ତର ପରିସର ବୃଦ୍ଧିକରୁଚି ଏବଂ ଅନ୍ୟ ଦେଶସବୁ ଏହାର ପ୍ରସାରିତ ବାହୁ ଭିତରକୁ ଆସୁଛନ୍ତି । ସର୍ବୋପରି ପୂର୍ବାଞ୍ଚଳ ମହାସାଗରରୁ ଏପରି ଏକ ଶକ୍ତି ଉଦ୍ଭାସିତ ହେଉଛି ଯାହାକି ଭାରତୀୟମାନଙ୍କୁ ନେତୃତ୍ୱ ଦେଉଛି ତାହାର ସଂସ୍କୃତି ସୀମା ପାରକରି ଦୂର ବିଦେଶରେ ପ୍ରସାରିତ କରିବାକୁ ।’’

 

ନେହେରୁ ତାଙ୍କ ଲେଖାର କ୍ରମତା ରକ୍ଷାକରି ଏକ ବିଷାଦଭରା ମନରେ କହିଛନ୍ତି, ‘‘ତଥାପି, ହଜାର ବର୍ଷ ଯେମିତି ଶେଷରେ ଆସି କହୁଚି, ଏହା ସଭ୍ୟତାର ଅପରାହ୍ନରେ ଆସି ପହଞ୍ଚୁଛି । ପ୍ରଭାତର ସୁରମ୍ୟତା ମଉଳି ଗଲାଣି ଅନେକ ଦିନରୁ । ସୁମହାନ୍ ମଧ୍ୟାହ୍ନ ବି ବାଟ ଭାଙ୍ଗି ଚାଲିଗଲାଣି । ଦକ୍ଷିଣରେ ତଥାପି ବୀରତ୍ୱ ଏବଂ ଶକ୍ତି ସଞ୍ଚିତ ଅଛି, ଯାହା କେତେ ଶହ ବର୍ଷପାଇଁ କ୍ରମଶଃ ରହିବ । ଭାରତଭଳି ଅନ୍ୟ ଦେଶମାନଙ୍କ ବାହାରେ ପୂର୍ଣ୍ଣ ଶକ୍ତିଶାଳୀ ଦେଶ ଅଛି ଯେଉଁମାନେ ଆସନ୍ତା ହଜାରବର୍ଷ ପାଇଁ ହାତ ଟେକି ଠିଆ ହେବେ । ମାତ୍ର ମନ କହୁଚି, ଏହି ଆଘାତ ଏବଂ ଆକ୍ରମଣ ଆସ୍ତେ ଆସ୍ତେ ଗ୍ରାସିଯିବ ଧ୍ୱଂସ ପର୍ଯ୍ୟନ୍ତ । ଆଭ୍ୟନ୍ତରୀଣ ଦୁର୍ବଳତା ଭାରତକୁ ଜଡ଼ କରିଦେବ, ଯାହାକି କେବଳ ରାଜନୀତିକୁ ଗ୍ରାସିବନି, ଗ୍ରାସିବ ତା’ର ସୃଜନଶୀଳ କ୍ରିୟା କଳାପକୁ । ଆଉ ଏହାପାଇଁ ସମୟ ନାହିଁ, ଯେଣୁ ଏହାର ପନ୍ଥା ଧୀର ଏବଂ ନଷ୍ଟକରିବା ମନୋଭାବ ଅଟେ....।’’

 

ନେହେରୁ ପୁନଶ୍ଚ ସେ ସମସ୍ତ କାରଣ ବିଶ୍ଳେଷଣ କରି କହିଥିଲେ, ‘‘ଯେତେବେଳେ ଚିନ୍ତା ତା’ର ସୃଜନଶକ୍ତି ଓ ସୃଷ୍ଟିଶକ୍ତି ହରାଏ ଏବଂ ପୋଷା ପ୍ରାଣୀଭଳି ପୁରାତନ ଅଭ୍ୟାସର ପୁନରାବୃତ୍ତି କରେ; ପୁରୁଣା କଥନିକାରେ ଅନୁପ୍ରାଣିତ ହୋଇ ନୂତନକୁ ଭୟକରେ, ସେତେବେଳେ ଜୀବନ ସ୍ଥିର ଓ କ୍ଳାନ୍ତ ହୋଇପଡ଼େ ଏବଂ ନିଜ ତିଆରି କାରାଗାରରେ ନିଜେ ବନ୍ଦୀଥିଲାପରି ବୋଧକରେ । କୌତୂହଳ ଓ ମାନସିକ ସାହସିକତା ଦୃଢ଼ ବାଜେ ଯୁକ୍ତିରେ ଭାରାକ୍ରାନ୍ତ ହୁଏ ଏବଂ ଫଳହୀନ ବଚସା ବଢ଼େ ।’’ ଭାରତ ବିଂଶ ଶତାବ୍ଦୀର ମଧ୍ୟଭାଗରେ ‘ଅନ୍ଧକାର ଅଂଶ’ରେ ରହି ଯାଇଛି ।

 

ଅନ୍ୟତମ ଭାରତୀୟ ଗଣଜୀବନ ପରିଦର୍ଶିକା ସହାନୁଭୂତିଶୀଳା ତତ୍କାଳୀନ କୁମାରୀ ମାର୍ଗାରେଟ ନୋବେଲ୍–ସିଷ୍ଟର ନିବେଦିତା ସେହି ଉପସଂହାରରେ ପହଞ୍ଚିଥିଲେ । ଅର୍ଦ୍ଧଶତାବ୍ଦୀ ପୂର୍ବେ ସେ ଲେଖିଥିଲେ, ‘‘ଭାରତୀୟ ମସ୍ତିଷ୍କ ସଂଗ୍ରାମଶୀଳ ଜୀବନ ଅତିବାହିତ କରିବାକୁ ସେତେ ବିଜ୍ଞାନୀ ନୁହେଁ.... ମୋଟରେ ଭାରତୀୟମାନେ ସ୍ୱପ୍ନରେ ବିଚରଣ କଲାଭଳି ଅଛନ୍ତି । ସେମାନେ ସାଧାରଣଜ୍ଞାନହୀନ, ଶକ୍ତିହୀନ, ମନୁଷ୍ୟତ୍ୱହୀନ ହୋଇ ମୁକ୍ତଭାବେ ପୂର୍ବଅବସ୍ଥାକୁ ଫେରିଆସିବାକୁ ଅକ୍ଷମ ହୋଇ ପଡ଼ିଛନ୍ତି ।

 

ବସ୍ତୁତଃ ବର୍ତ୍ତମାନର ଜ୍ୱଳନ୍ତ ପରିସ୍ଥିତି ସବୁ ଯେତେବେଳେ ନୂତନ ବାୟୁମଣ୍ଡଳ ସୃଷ୍ଟିକରିବାର ପରିପ୍ରେକ୍ଷୀରେ ଧାବିତ, ସେତେବେଳେ ଆମ୍ଭେ ଭାରତରେ ଏକ ଶକ୍ତିଶାଳୀ ପ୍ରଚାରଦ୍ୱାରା ଓ ନିର୍ମଳ ନିରୀକ୍ଷଣଦ୍ୱାରା ସୁଖମୟ ସମାଜ ଆମ୍ଭମାନଙ୍କପାଇଁ ଏବଂ ଆମର ସନ୍ତାନଗଣଙ୍କପାଇଁ ଗଢ଼ିପାରିବା । ଆମେ ନିଶ୍ଚୟ ଭୟଶୂନ୍ୟ ଶକ୍ତି ଓ ଦେଶାତ୍ମବୋଧକ ସାହସ ସୃଷ୍ଟି କରିବା, ଯାହାଦ୍ୱାରା କି ନୂତନ ମହାନୁଭବତାର ଆଦର୍ଶରେ ସାରା ଦେଶ ତଥା ଭବିଷ୍ୟତ ବଂଶଧରମାନେ ଅନୁପ୍ରାଣିତ ହୋଇପାରିବେ । ଅଜଣା ଦୁରନ୍ତର ଆହ୍ୱାନ, ଉତ୍ତାଳ ତରଙ୍ଗାୟିତ ସାଗରର ବାସନା, ପ୍ରଚଣ୍ଡ ପ୍ରଭଞ୍ଜନର ଝଙ୍କାର, ରହସ୍ୟ ଓ ବିପଦସଂକୁଳ ବୀଣାର ମୂର୍ଚ୍ଛନା ନିଶ୍ଚୟ ଭାରତର ତରୁଣ ତରୁଣୀଙ୍କୁ ଆକର୍ଷଣ କରିବ ।

 

ମୁଁ ଇଂଲଣ୍ଡରେ ଛାତ୍ର ଥିଲା ସମୟରେ ସାବ୍ୟସ୍ତ କରିଥିଲି ଯେ ଏଇ ଅସୀମ ଅଭିପ୍‌ସା ମୋର ଭାରତୀୟ ଯୁବସମାଜକୁ ଅବଦାନ ହେଉ । ଦୁର୍ବଳ ସ୍ୱାସ୍ଥ୍ୟ, ଅଳ୍ପ ସନ୍ତରଣ ଦକ୍ଷତା ଓ ଅର୍ଥହୀନ ଅବସ୍ଥାରେ ହୃଦୟଭରା ଉତ୍‌କଣ୍ଠା ତଥା ସାହସ ଧରି ଏବଂ ପତ୍ନୀର ଅଦମ୍ୟ ପ୍ରେରଣା ଓ ଉତ୍ସାହକୁ ନିଜରକରି ୧୯୫୫ ମସିହାରେ ମୁଁ ଇଂଲିଶ ପ୍ରଣାଳୀ ବକ୍ଷକୁ ଲମ୍ଫଦେଲି । ହୃଦୟଫଟା ଅକୃତକାର୍ଯ୍ୟତାକୁ ସମ୍ବଳ କରି ୧୯୫୮ରେ ସର୍ବଶ୍ରେଷ୍ଠ ବିଜୟର ଅଧିକାରୀ ହେଲି ।

 

୧୯୫୮ ମସିହା ସେପ୍ଟେମ୍ବର ୨୭ ତାରିଖ ପୂର୍ବରୁ ସାତବର୍ଷ ବିତିଯାଇଥିଲା, ମାତ୍ର ଧୂମିଳ ଫ୍ରାନ୍‌ସ ଉପକୂଳ ଟପିପାରି ନଥିଲି । ମାତ୍ର ସମୟର ପ୍ରବହମାନତାରେ ମୋର ହୃଦୟ ଯେତିକି କଠୋର ଓ ଦୃଢ଼ ହୋଇ ଆସୁଥିଲା, ଏବଂ କଲିକତାସ୍ଥ ବିରାଟ ଜଳାଶୟମାନଙ୍କରେ ସନ୍ତରଣ ଦକ୍ଷତା ଯେତିକି ବଢ଼ିଆସୁଥିଲା, ସେଇତକ ହେଲା ମୋର ଇଂଲିଶ ପ୍ରଣାଳୀ ସନ୍ତରଣ କରିବାର ସହକାରିଣୀ ।

 

ଭାରତର ଅଧିକାଂଶ ଲୋକଙ୍କପାଇଁ ଇଂଲିଶ ପ୍ରଣାଳୀ ଥିଲା ବିରାଟ, ଦୁରନ୍ତ ଓ ଆଶ୍ଚର୍ଯ୍ୟକର । ମାତ୍ର ଭାରତର ଧନୁଷ୍କୋଟୀ ଓ ସିଂହଳର ତଲାଇମାନାର ମଧ୍ୟବର୍ତ୍ତୀ ଭାରତ ମହାସାଗର ନିଶ୍ଚୟ ଆଶ୍ଚର୍ଯ୍ୟ ଓ ଅଦେଖା ନୁହେଁ । ପବ୍ଲିକ ସ୍କୁଲ ପିଲାଠାରୁ ଗ୍ରାମ୍ୟ ଯୁବକ ପର୍ଯ୍ୟନ୍ତ ପ୍ରତ୍ୟେକ ଭାରତୀୟ ଏହାର ଜଳ ବିଷୟରେ ଜାଣନ୍ତି । ନଚେତ୍ ଭୂଗୋଳ ବହିରେ କିମ୍ବା ରାମାୟଣରେ ନିଶ୍ଚୟ ପଢ଼ିଥିବେ । ଏଇ ତିରିଶ ମାଇଲ ସମୁଦ୍ର ହିନ୍ଦୁ ଧର୍ମଶାସ୍ତ୍ରରେ ଅବିସ୍ମରଣୀୟ । ତଥାପି ବିଷଧର ସର୍ପ ଏବଂ ଭୟଙ୍କର ତିମିମାଛ (ଯେଉଁମାନେ କି ତିରିଶ ଫୁଟରୁ ଅଧିକ ଲମ୍ବ)ଦ୍ୱାରା ପରିପୂର୍ଣ୍ଣ ଏହି ଜଳଭାଗ ଇଂଲିଶ ପ୍ରଣାଳୀଠାରୁ ବିପଦସଙ୍କୁଳ । ଏହି ପ୍ରଣାଳୀ ସନ୍ତରଣ ପରେ ମୁଁ ମୁଖ୍ୟତଃ ଭାରତୀୟ ଯୁବସମାଜକୁ ଅନୁପ୍ରାଣିତ ଓ ଉବ୍ଦୋଧିତ କରୁଛି । ତେଣୁ ଅସଞ୍ଜତ ହୋଇ ବ୍ୟକ୍ତିଗତଭାବେ ଯୁବକ ଯୁଗତୀମାନଙ୍କୁ ସମାଲୋଚନା କରିଛି ।

 

ମୁଁ ଠିକ୍‌ କରିଥିଲି ଭାରତ ମହାସାଗର ସନ୍ତରଣ କେବଳ ମୋର ସାହସିକ ପଦକ୍ଷେପ, ବିପଦ ଓ ଅସୁବିଧା ସହିତ ସଂଗ୍ରାମ ଏବଂ ପରିଶେଷରେ ପୁନଶ୍ଚ ମୋର ପତ୍ନୀ ବେଲାଙ୍କର ହୃଦୟଭରା ଆବେଗପୂର୍ଣ୍ଣ ପ୍ରରଣା ଏବଂ ସମର୍ଥନ ।

 

ପ୍ରଥମ ମଣିଷ

 

ମିହିର ସେନ ହେଉଛନ୍ତି ପ୍ରଥମ ମଣିଷ ଯେକି ସପ୍ତସିନ୍ଧୁ ସନ୍ତରଣକରି ପାରିଥିଲେ । ଏହା ବାସ୍ତବିକ ଭାରତପାଇଁ ଖୁବ୍‌ ଆନନ୍ଦ ଓ ଗର୍ବର କଥା । ତାଙ୍କର କୃତିତ୍ୱ ଭାରତୀୟ ଯୁବସମାଜକୁ ଅପୂର୍ବ ପ୍ରେରଣା ଦେବ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଦୁହେଁ ଶ୍ରୀଯୁକ୍ତ ସେନଙ୍କ ବିଜୟ ଗୌରବରେ ଗୌରବାନ୍ୱିତ । ଭାରତୀୟ ସାମ୍ବାଦିକସଙ୍ଘ ତରଫରୁ ସମ୍ପାଦକୀୟରେ ଶ୍ରୀଯୁକ୍ତ ସେନଙ୍କ ଭୂୟସୀ ପ୍ରଶଂସା କରାଯାଇଛି । ଗୋଟିଏ ଉଦାହରଣ ସ୍ୱରୂପ କୁହାଯାଇପାରେ ଯେ, ବମ୍ବେର ‘‘ବ୍ଳିଜ’’ ନାମକ ବିଖ୍ୟାତ ଇଂରେଜୀ ପତ୍ରିକାରେ ୧୯୬୬ ମସିହା ସେପ୍ଟେମ୍ବର ୨୪ ତାରିଖରେ ଗୋଟିଏ କବିତା ପ୍ରକାଶ ପାଇଥିଲା । ତାହା ଦେଶାତ୍ମବୋଧ ଭଳି ଭାରତର ଛାତ୍ରମହଲରେ ଗୁଞ୍ଜନ ତୋଳିଥିଲା । ସବୁରି କଣ୍ଠରେ ତାହା ପ୍ରତିଧ୍ୱନିତ ହୋଇଥିଲା । ତାହା ହେଉଛି–

 

ମିହିର ସେନଙ୍କ ଗୀତ କଣ୍ଠେ ମୋର ଭାସେ,

ସେ ମିହିର ସେନ, ମଣିଷର ମଧ୍ୟେ ସିଏ

ମଣିଷ ଜଣେ ସେ,

ଅବିଶ୍ୱାସୀ ବରୁଣର ନାରକିତ ପୁରୀ

ପାକ୍‌ର ପ୍ରଣାଳୀ ଆଉ ଦାର୍ଦନେଲିସ, ପୁଣି

ଯୁଗ ଯୁଗ ଧରି ରହିଥିଲା ଯା’ ଅଜେୟ

ଦୁଃସାହସେ ସେ କଲା ବିଜୟ ।

ନାସିକା କ୍ରନ୍ଦନ ସ୍ୱରେ ଯେ ଦେଶର

ଅବଜ୍ଞାତ ଅପୋଗଣ୍ଡ ଯୁବା

ପ୍ରଳମ୍ବ କୁନ୍ତଳ ସାଜି ରଚିଥିଲା ନାରୀତ୍ୱର ଶୋଭା

ସେହି, ସେହି ଭାରତମାତାର ସନ୍ତାନ କି ତୁମେ

ଅବା ଲଜ୍ଜାରୁଣ ରାଗ;

ପୂର୍ବର ସେ ସଙ୍କୁଚିତ ନାମେ ଭରିଛ ବିରାଗ ?

ହେ ବାଳିକା ଏ ଦେଶର ! ତମେକି ପାରନି ପାଇ

ମହତ୍ତର ବୀର

ବେହେଲାର ତନ୍ତ୍ରୀ ବାଇ ଆହରିବାଠାରୁ

ଶୂନ୍ୟର ସମୀର ?

ଭରତ, ଅର୍ଜୁନ, ଭୀମ ନାମେ ଦେଇ ଧ୍ୟାନ

ଭାରତ-ସନ୍ତାନ ଦିଅ ଏ ନୂତନ ଯୋଦ୍ଧାରେ ସମ୍ମାନ !

ଆଉ କିବା ଭୟ ଆଜି ଭାରତ ମାତାର

ମିହିର ସେନ ଯା’ ପୁତ୍ର–ଦୁର୍ଜୟ, ଦୁର୍ବାର ।

 

–ସ୍କର୍ପିଓ

ପତ୍ରାଳାପ

 

[ଶ୍ରୀ ମିହିରକୁମାରଙ୍କ ସହିତ ଲେଖକ ବ୍ୟକ୍ତିଗତଭାବେ କେତେଖଣ୍ଡ ପତ୍ରାଳାପ କରିଥିଲେ । ଏଠାରେ ଆବଶ୍ୟକତା ଦୃଷ୍ଟିରୁ ତାଙ୍କର ଦୁଇଟି ପତ୍ରର ଓଡ଼ିଆ ରୂପାନ୍ତର ଦିଆଗଲା ।]

 

(ଏକ)

 

୧୧, ଗଭର୍ଣ୍ଣମେଣ୍ଟ ପ୍ଲେସ ଇଷ୍ଟ

କଲିକତା-୧

ତା ୧୭।୧।୬୭ ରିଖ

 

ପ୍ରିୟ ଶ୍ରୀ ବର୍ମା,

 

ମୋର ବର୍ତ୍ତମାନ ଚିଠି ଖଣ୍ଡିଏ ଉତ୍ତର ଦେବାର ସମୟ ନାହିଁ । ବିଳମ୍ବପାଇଁ ଦୁଃଖିତ । ଗୋଟିଏ ସ୍ୱତନ୍ତ୍ର ଡାକରେ ମୁଁ ଯେତେଗୁଡ଼ିଏ ଛବି ପାଇଛି ତାହା ପଠାଉଛି । ଯେତେବେଳେ ମୁଁ ସନ୍ତରଣ କରୁଥିଲି ଫଟୋସବୁ ସମ୍ବାଦପତ୍ରର ଲୋକମାନେ ଉଠାଇ ନେଇଥିଲେ ଏବଂ ସିଧା ଭାରତକୁ ପଠାଇଥିଲେ । ଦୟାକରି ପ୍ରେସ ଇନ୍‌ଫରମେସନ ବ୍ୟୁରୋ ଏବଂ ଷ୍ଟେଟସ୍‌ମ୍ୟାନ, ଆନନ୍ଦବଜାର ଓ ଅମୃତବଜାର ପତ୍ରିକା ସହିତ ଅନୁସନ୍ଧାନ କରନ୍ତୁ । ହାର୍ଦ୍ଦିକ ଅଭିନନ୍ଦନ...

 

ଆପଣଙ୍କର

ସୁହୃଦ୍

ମିହିର ସେନ୍

 

(ଦୁଇ)

 

୧୧, ଗଭର୍ଣ୍ଣମେଣ୍ଟ ପ୍ଲେସ ଇଷ୍ଟ

କଲିକତା-୧

୨୭ ଜାନୁୟାରୀ, ୧୯୬୭

 

ପ୍ରିୟ ଶ୍ରୀଯୁକ୍ତ ବର୍ମା,

 

ଲେଖା ଓ ଫଟୋ ସବୁ ପଠାଇବାରେ ବିଳମ୍ବ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ । ମୁଁ ଭୟଙ୍କରଭାବେ ବ୍ୟସ୍ତ ଏବଂ ମୋର ମୋଟେ ହିଁ ସମୟ ନାହିଁ । ବୋଧହୁଏ ଆପଣ ବୁଝିପାରିବେ ନାହିଁ, ମୁଁ କେତେ ଚାପା ଭିତରେ କାମ କରୁଅଛି । ଆପଣ ଯେଉଁ ଜିନିଷଗୁଡ଼ିକୁ ଚାହିଁଥିଲେ ମୁଁ ପଠାଉଛି । ମୁଁ ନିମ୍ନଲିଖିତ ଲେଖା ଏବଂ ଜିନିଷଗୁଡ଼ିକର ଗୋଟିଏ ଲେଖା କପି ପଠାଉଛି, ଯାହାକି ବ୍ୟବହାର ପରେ ଦୟାକରି ଫେରାଇଦେବେ ।

 

ମୁଁ ଆଶାକରେ ଆପଣ ଏଗୁଡ଼ିକ ବ୍ୟବହାର କରିବାକୁ କ୍ଷମ ହେବେ ଏବଂ ସେ ବହି ଖୁବ୍‌ ଶୀଘ୍ର ଆତ୍ମପ୍ରକାଶ କରିବ ।

 

ଆପଣଙ୍କର

ବିନୀତ

ମିହିରକୁମାର ସେନ

 

ବିଜୟ ପଞ୍ଜିକା

 

ଇଂଲିଶ ପ୍ରଣାଳୀ–୧୯୫୮ ସାଲ, ସେପ୍ଟେମ୍ବର ୨୭ ତାରିଖ । ସମୟ ୧୪ ଘଣ୍ଟା ୪୫ମିନିଟ୍‌ । ପ୍ରଣାଳୀର ଦୂରତ୍ୱ ୪୦ ମାଇଲ ।

 

ପାକ୍‌ପ୍ରଣାଳୀ–୧୯୬୬ସାଲ, ଅପ୍ରେଲ ୫ ଓ ୬ ତାରିଖ । ସମୟ ୨୫ଘଣ୍ଟା ୪୪ମିନିଟ । ଭାରତ ମହାସାଗରର ସିଂହଳର ତଲାଇମାନ୍ନାରଠାରୁ ଭାରତର ଧନୁଷ୍କୋଟି ପର୍ଯ୍ୟନ୍ତ ଦୂରତ୍ୱ ୨୨ ମାଇଲ । କିନ୍ତୁ ତରଙ୍ଗ କାଟିବାକୁ ୪୦ ମାଇଲ ସନ୍ତରଣ କରିବାକୁ ହୋଇଥିଲା ।

 

ଜିବ୍ରାଲଟର ପ୍ରଣାଳୀ–୧୯୬୬ସାଲ ଅଗଷ୍ଟ ୨୪ତାରିଖ । ସମୟ ୮ଘଣ୍ଟା ୧ମିନିଟ । ଆଟଲାଣ୍ଟିକ ଓ ଭୂମଧ୍ୟସାଗରର ମଧ୍ୟବର୍ତ୍ତୀ ଜିବ୍ରାଲଟର ପ୍ରଣାଳୀର ଦୂରତ୍ୱ ସ୍ପେନ୍ ଉପକୂଳଠାରୁ ମରକୋର ସିଉଟା ପର୍ଯ୍ୟନ୍ତ ୨୩ମାଇଲ ।

 

ଦାର୍ଦ୍ଦନେଲିସ ପ୍ରଣାଳୀ–୧୯୬୬ସାଲ, ସେପ୍ଟେମ୍ବର ୧୩ତାରିଖ । ସମୟ ୧୩ଘଣ୍ଟା ୫୫ମିନିଟ । ମର୍ମରାସାଗରର ଗାଲିପଲିଠାରୁ ଏଜିଆନ ସାଗରର ମୋହନା ପର୍ଯ୍ୟନ୍ତ ଦାର୍ଦ୍ଦନେଲିସ ପ୍ରଣାଳୀର ଦୂରତ୍ୱ ୪୦ ମାଇଲ ।

 

ବସ୍‍ଫରସ ପ୍ରଣାଳୀ–୧୯୬୬ସାଲ, ସେପ୍ଟେମ୍ବର ୨୧ ତାରିଖ । ସମୟ ୪ଘଣ୍ଟାରୁ କିଛି କମ୍ । କୃଷ୍ଣସାଗରର ରୁମେଲି ଫେନାରଠାରୁ ମର୍ମରାସାଗରର ଲିଣ୍ଡାର୍ସ ଟାଓ୍ୱାର ପର୍ଯ୍ୟନ୍ତ ବସ୍‍ଫରସ ପ୍ରଣାଳୀର ଦୂରତ୍ୱ ୧୭ମାଇଲ ।

 

ପାନାମାକେନାଲ–୧୯୬୬ସାଲ, ଅକ୍ଟୋବର ୨୯ରୁ ୩୧ତାରିଖ । ସମୟ ୩୫ଘଣ୍ଟା ୩୦ମିନିଟ । ଆଟଲାଣ୍ଟିକ ମହାସାଗରର ପାନାମାଠାରୁ ପ୍ରଶାନ୍ତ ମହାସାଗରର ଫେଡ଼୍ରୋ ମିଗୁଏଲ ଓ ମିରା ଫୋର୍ସଲକ ପର୍ଯ୍ୟନ୍ତ ପାନାମା କେନାଲର ଦୂରତ୍ୱ ୪୧ମାଇଲ ।

Image